ଆଜି ରାମନବମୀ: ଭକ୍ତଙ୍କ ଅପେକ୍ଷାରେ ମଠ, ମନ୍ଦିର

Advertisment
ଆଜି ରାମନବମୀ: ଭକ୍ତଙ୍କ ଅପେକ୍ଷାରେ ମଠ, ମନ୍ଦିର

ଭୁବନେଶ୍ବର: ରାମନାମ ଧ୍ବନିରେ ଗୁଞ୍ଜରିତ ହେବ ଗଗନ ପବନ। ପବିତ୍ର ରାମଚରିତ ମାନସର ପଙ୍‌କ୍ତି ରାଜଧାନୀକୁ ଆଧ୍ୟାତ୍ମିକ ଭାବନାରେ ଭରିଦେବ। ମର୍ଯ୍ୟାଦା ପୁରୁଷୋତ୍ତମଙ୍କୁ ଆଖି ପୂରେଇ ଦେଖି ନେବାର ଅଭୀପ୍‌ସା ହଜାର ହଜାର ଭକ୍ତଙ୍କୁ ମନ୍ଦିରକୁ ଟାଣିନେବ। ଆସନ୍ତାକାଲି (ବୁଧବାର) ଭୋର୍‌ରୁ ଚଳଚଞ୍ଚଳ ହୋଇପଡ଼ିବ ମଠ ଓ ମନ୍ଦିର। ମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟିବ। ଏଣୁ ଆଜି ସହରର ସମସ୍ତ ରାମ ମନ୍ଦିର ଓ ବିଭିନ୍ନ ମଠରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଭକ୍ତ ଓ ଭଗବାନଙ୍କ ମିଳନରେ କିଛି ଯେମିତି ଊଣା ନହେବ, ସେ ନେଇ ପ୍ରତ୍ୟେକ ମନ୍ଦିର ପରିଚାଳନା କମିଟି ବ୍ୟବସ୍ଥା କରିଛନ୍ତି। ଆଜି ଅଶୋକାଷ୍ଟମୀ ଥିବାରୁ ମନ୍ଦିରରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଥିଲା। ଫୁଲ, ଫଳ ଓ ପୂଜା ସାମଗ୍ରୀ ଦୋକାନରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା। ପ୍ରଥମେ ଓଡ଼ିଆ ନବବର୍ଷ ଓ ପରେ ରାମ ନବମୀ ପାଇଁ କିଛି ଦିନ ହେଲା ଫୁଲ ଓ ଫଳ ଦର ମଧ୍ୟ ଉଚ୍ଚା ରହିଛି।

ଗତ ୩ ଦିନ ହେବ ୟୁନିଟ୍‌-୩ସ୍ଥିତ ରାମ ମନ୍ଦିର‌ ଆଲୋକମାଳାରେ ଝଲସୁଥିବା ବେଳେ ରାମ ନବମୀ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଭୋର୍‌ରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲକ୍ଷାଧିକ ଭକ୍ତଙ୍କ ସମାଗମ ପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କିଛିଦିନ ହେଲା ଖରା ଅଧିକ ହେଉଥିବାରୁ ଭକ୍ତଙ୍କ ପାଇଁ ଏହା ବାଧକ ସାଜିବ ବୋଲି ପରିଚାଳନା କମିଟି ପକ୍ଷରୁ ଆଶଙ୍କା ବ୍ୟକ୍ତ କରାଯାଇଛି। ଖରାପାଇଁ ଭକ୍ତଙ୍କ ସମାଗମ କମିପାରେ ବୋଲି ମନ୍ଦିର ପରିଚାଳକ ମହାବୀର ପ୍ରସାଦ ଶର୍ମା କହିଛନ୍ତି। ତଥାପି ପ୍ରଭୁଙ୍କ ନୀତିକାନ୍ତି ନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ଭୋର୍‌ ସାଢ଼େ ୫ଟାରୁ ମଙ୍ଗଳ ଆଳତି ହେବ ବୋଲି ସେ କହିଛନ୍ତି। ଏହାପରେ ସାଧାରଣ ଦର୍ଶନ ଆରମ୍ଭ ହେବ। ସକାଳ ୭ଟାରେ ଶୃଙ୍ଗାର ଆଳତି, ୮ଟାରୁ ଶ୍ରୀରାମ ଚରିତ ମାନସ ପାରାୟଣ ଅନୁଷ୍ଠିତ ହେବ। ସାଢ଼େ ୧୦ରେ ହୋମ, ଭଜନ କୀର୍ତ୍ତନ ହୋଇ ୧୧ଟାରେ ପହୁଡ଼ ନୀତି ହେବ। ମଧ୍ୟାହ୍ନ ଭୋଗରେ ପ୍ରଭୁଙ୍କ ପାଖରେ ଫଳ, ମିଠା, ଅନ୍ନ, ଡାଲି, ଖିରି, ପିଠା ଭଳି ବିଭିନ୍ନ ବ୍ୟଞ୍ଜନ ଲାଗି ହେବ। ମଧ୍ୟାହ୍ନ ୧ଟା ୩୦ରେ ପହୁଡ଼ ପଡ଼ିବ। ଅପରାହ୍ନ ୪ଟାରେ ପହୁଡ଼ ଖୋଲିବା ସହ ଦର୍ଶନ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ସନ୍ଧ୍ୟା ଆଳତି ହେବ। ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ମନ୍ଦିର ଖୋଲା ରହିବ ବୋଲି ଶ୍ରୀ ଶର୍ମା ସୂଚନା ଦେଇଛନ୍ତି। ଗତ ବର୍ଷ ୬୦ ହଜାରରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାବେଳେ ଚଳିତବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନ ‌ନେଇ ଆକଳନ କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ଧାଡ଼ି ବ୍ୟବସ୍ଥା କରାଯାଇଛି। ଏଥିସହ ମନ୍ଦିର ଚତୁଃପାର୍ଶ୍ବରେ ସିସିଟିଭି ଖଞ୍ଜାଯାଇଛି। ଭିଡ଼ ନିୟନ୍ତ୍ରଣ କରିବା ସହ ଶୃଙ୍ଖଳା ରକ୍ଷା କରିବା ପାଇଁ କମିସନରେଟ ପୁଲିସ ପକ୍ଷରୁ ୧୫ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବ।

ଶ୍ରୀରାମଙ୍କ ଆବାହନ ପାଇଁ ସିଆର୍‌ପିସ୍ଥିତ ଇସ୍କନ୍‌ ମନ୍ଦିର ବି ସଜେଇ ହୋଇଛି। ମଧ୍ୟାହ୍ନ ୧୨ଟାରେ ପ୍ରଭୁଙ୍କ ଅଭିଷେକ କରାଯିବ। ତା’ପରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ପାଳୁଅ ଖିରି, ସୋଲା, ଫଳ ଓ ସିଝା ପରିବାରେ ତିଆରି ‘ଅନୁକଳ୍ପ ପ୍ରସାଦ’ ବଣ୍ଟନ କରାଯିବ ବୋଲି ମନ୍ଦିର ଅଧିକାରୀ ରାଧାକାନ୍ତ ଦାସ କହିଛନ୍ତି। ସେହିପରି ସହରର ଅନ୍ୟ ସମସ୍ତ ମଠ, ମନ୍ଦିରରେ ପ୍ରଭୁଙ୍କ ଜନ୍ମୋତ୍ସବ ଉପଲକ୍ଷେ ସଂକୀର୍ତନ ଓ ରାମଚରିତ ମାନସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe