ରଙ୍ଗମାଟିଆ ରାସ୍ତାରେ ଆଣ୍ଠୁଏ ପଙ୍କ

Advertisment
ରଙ୍ଗମାଟିଆ ରାସ୍ତାରେ ଆଣ୍ଠୁଏ ପଙ୍କ

ଚନ୍ଦ୍ରଶେଖରପୁର : ରାଜଧାନୀ ଉପକଣ୍ଠ ମଞ୍ଚେଶ୍ବର ରେଳ ଷ୍ଟେସନ୍ ନିକଟ ରଙ୍ଗମାଟିଆ ଗାଁ ରାସ୍ତାରେ ଜମିଛି ଆଣ୍ଠୁଏ ଗଭୀରର ପଙ୍କ। ଫଳରେ ଗାଁ ଭିତରକୁ ଯାତାୟାତ ପାଇଁ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ଚାରିଚକିଆ ଗାଡ଼ି ଯାତାୟାତ ଏକପ୍ରକାର ବନ୍ଦ ହୋଇଯାଇଛି। ତେଣୁ ଏବେ ଗାଁ ଭିତରକୁ ଆମ୍ବୁଲାନ୍‌ସ ଯିବା ଆସିବା କରିବାରେ ଘୋର ପ୍ରତିବନ୍ଧକ ସୃଷ୍ଟି ହୋଇଛି। ପାଞ୍ଚ ବର୍ଷ ଧରି ଏହି ଅଂଶରେ ମାଟି ମୁଠାଏ ପଡ଼ି ନଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।

ରଙ୍ଗମାଟିଆ ତଳ ସାହିକୁ ଲମ୍ବିଥିବା ରାସ୍ତାର ଏହି ଅଂଶଟି ଏକ ବିବାଦୀୟ ଅଞ୍ଚଳ ବୋଲି ବାହାନା କରି ଏହାର ମରାମତି କରାଯାଉନାହିଁ। ବିବଦୀୟ ହୋଇଥିବାରୁ ଟେଣ୍ଡର୍‌ ହୋଇପାରୁନାହିଁ। କିନ୍ତୁ ରାସ୍ତାଟି ପୂରା ବନ୍ଦ ହେଉନାହିଁ। ଏହି ରାସ୍ତା ଦେଇ ମଞ୍ଚେଶ୍ବର ଷ୍ଟେସନ୍ ନିକଟରେ ଥିବା ସିମେଣ୍ଟ୍ ଅନଲୋଡିଂ ଗୋଦାମର ଶହ ଶହ ଟ୍ରକ୍ ପ୍ରତିଦିନ ଯାତାୟାତ କରୁଛି। ସେହି ଗା‌ଡ଼ିମାନଙ୍କଠାରୁ ଷ୍ଟେସନ୍ ବିଭାଗ ରାସ୍ତା ମରାମତି ବାବଦରେ ଚାନ୍ଦା ଆଦାୟ କରୁଛି। କିନ୍ତୁ ଗ୍ରାମ୍ୟ ରାସ୍ତାକୁ ମରାମତି କରିବା ତ ଦୂରର କଥା, ବର୍ଷା ଦିନେ ଖାଲଖମା ରାସ୍ତାରେ ମାଟି ପକାଇ କାଦୁଅ କରିଦେଇଛନ୍ତି। ଫଳରେ ପଙ୍କଭର୍ତ୍ତି ଏହି ରାସ୍ତାରେ ଲୋକ ଚାଲିଚାଲି ଯିବା ମଧ୍ୟ ସମ୍ଭବ ହେଉନାହିଁ। ଗତ ନିର୍ବାଚନ ବେଳେ ଏହି ରାସ୍ତାର ମରାମତି ମୁଖ୍ୟ ପ୍ରସଙ୍ଗ ପାଲଟିଥିଲା। ଆଶାୟୀ ବିଧାୟକ ଓ କର୍ପୋରେଟର୍ ନିର୍ବାଚନ ପରେ ତୁରନ୍ତ ରାସ୍ତା କାମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ସେମାନଙ୍କ ପ୍ରତଶ୍ରୁତି ସେମିତି ପାଣିର ଗାର ହୋଇ ଉଭେଇଗଲା। ଏବେ ରଙ୍ଗମାଟିଆ ଗ୍ରାମବାସୀ ଯମଯନ୍ତ୍ରଣା ଭୋଗୁଛନ୍ତି। ଏନେଇ ସେମାନେ ବିଧାୟକ ସୁଶାନ୍ତ ରାଉତ ଓ ପୂର୍ବତନ କର୍ପୋରେଟର୍ ସୂର୍ଯ୍ୟକାନ୍ତି ଜେନାଙ୍କ ନିକଟରେ ଅନୁରୋଧ କରି ମଧ୍ୟ ହତାଶ ହୋଇଛନ୍ତି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe