ରେଞ୍ଜ ରୋଭର୍‌ ଦୁର୍ଘଟଣା ମାମଲା: ମୁହଁ ଖୋଲିଲେ ପୁଲିସ କମିସନର

Advertisment

ସବୁ ଅଭିଯୋଗର ତନ୍ନ ତନ୍ନ ଯାଞ୍ଚ ହେବ

ସବୁ ଅଭିଯୋଗର ତନ୍ନ ତନ୍ନ ଯାଞ୍ଚ ହେବ

ରେଞ୍ଜ ରୋଭର୍‌ ଦୁର୍ଘଟଣା ମାମଲା: ମୁହଁ ଖୋଲିଲେ ପୁଲିସ କମିସନର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ପାଵାର ହାଉସ୍ ଛକ ନିକଟରେ ଦୁର୍ଘଟଣା ଘଟାଇଥିବା ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କ ରେଞ୍ଜ ରୋଭର୍‌ ଗାଡ଼ି (ଓଡି୨୩କେ-୦୦୦୬) ବାବଦରେ ଆସିଥିବା ସବୁ ଅଭିଯୋଗର ତନ୍ନ ତନ୍ନ କରି ଯାଞ୍ଚ କରାଯିବ। ଦୁର୍ଘଟଣା ମାମଲାକୁ ନେଇ ରାଜନୈତିକ ଚାପ ବଢ଼ିବା ପରେ ମୁହଁ ଖୋଲିଛନ୍ତି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ। କମିସନରେଟ ପୁଲିସ ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ବେଳେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ରଖି ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି ଯାହାର ଯାହା ଅଭିଯୋଗ ରହିଛି ତାକୁ ଆମେ ତର୍ଜମା କରିବୁ। ଯେଉଁ ସବୁ ଅଭିଯୋଗ ଆସୁଛି ପ୍ରତ୍ୟେକ ଦିଗକୁ ଆମେ ତନ୍ନ ତନ୍ନ ଯାଞ୍ଚ କରିବୁ। ଆଇନଗତ ଦୃଷ୍ଟିରୁ କୌଣସି ମାମଲାରେ ସିସିଟିଭି ଫୁଟେଜ୍‌ ସାର୍ବଜନୀନ ହୋଇପାରିବ କି ନାହିଁ ଆପଣମାନେ ବିଚାର କରନ୍ତୁ ବୋଲି ଶ୍ରୀ ପ୍ରିୟଦର୍ଶୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରଶ୍ନ ପଚାରିବା ଢଙ୍ଗରେ କହିଥିଲେ। ସେହିପରି ଧକ୍କା ଦେଇଥିବା ଗାଡ଼ି ନମ୍ବର ପ୍ରେସ ବିଜ୍ଞପ୍ତିରେ ତ୍ରୁଟି, ଯାହାକି କିଛି ସମୟ ମଧ୍ୟରେ ଠିକ୍ କରାଯାଇଥିଲା ବୋଲି ସେ କହିଛନ୍ତି।

ଦୁର୍ଘଟଣା ସମୟରେ ରେଞ୍ଜ ରୋଭର୍‌ ଗାଡ଼ିରେ ବିଶାଲ ଦାସ ଥିଲେ ବୋଲି ଅଭିଯୋଗ ହେଉଛି। ଏପରିକି ବିଶାଲଙ୍କୁ ପୁଲିସ ଘଣ୍ଟ ଘୋଡ଼ାଉଥିବା ନେଇ ଛାତ୍ର କଂଗ୍ରେସ ଅଭିଯୋଗ କରି ରାଜରାସ୍ତାକୁ ଓହ୍ଲାଇଥିଲା। ବିଜେପି ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା। ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିବା ଯୁବତୀ ଲୋପାମୁଦ୍ରାଙ୍କ ପରିବାର ଲୋକ ମଧ୍ୟ ପୁଲିସ ଉପରେ ସନ୍ଦେହ ପ୍ରକାଶ କରିବା ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ସୋସିଆଲ ମିଡିଆରେ ଏହାକୁ ନେଇ ଶହ ଶହ ସଂଖ୍ୟାରେ ପ୍ରଶ୍ନ ଉଠାଇଥିଲେ ସାଧାରଣ ଜନତା। ଆଇନଜୀବୀ ସିଦ୍ଧାର୍ଥ ଦାସଙ୍କ ମତରେ ଆଇନଗତ ଦୃଷ୍ଟିରୁ ସିସିଟିଭି ଫୁଟେଜ୍‌ ସାର୍ବଜନୀନ କରାଯାଇ ପାରିବ କି ନାହିଁ ତାହା ପୁଲିସର ଇଚ୍ଛାଧୀନ ବ୍ୟାପାର। ଏହା ପ୍ରମାଣ ଆକାରରେ କୋର୍ଟରେ ଦାଖଲ କରାଯାଏ। ସିସିଟିଭି ଫୁଟେଜ୍‌ ସାର୍ବଜନୀନ କରିବା ପାଇଁ ପୁଲିସକୁ କେହି ବାଧ୍ୟ କରିପାରିବେ ନାହିଁ। କିନ୍ତୁ ଯଦି ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି, ଏହାକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ହେଉଛି, ରାଜନୈତିକ ଦଳ ଆନ୍ଦୋଳନ କରୁଛନ୍ତି, ଜନସାଧାରଣଙ୍କ ମନରେ ସନ୍ଦେହ ସୃଷ୍ଟି ହେଉଛି ତା’ହେଲେ ଏଭଳି ସ୍ଥିତିରେ ସିସିଟିଭି ଫୁଟେଜ୍‌ ସାର୍ବଜନୀନ କଲେ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଗତ ୩୧ ତାରିଖରେ ପାଵାର ହାଉସ୍ ଛକ ନିକଟରେ ରେଞ୍ଜ ରୋଭର୍‌ ଗାଡ଼ି ଏକ ବାଇକ୍‌କୁ ଧକ୍କା ଦେଇଥିଲା। ବାଇକଚାଳକ ଯବାନ ସଂକଟାପନ୍ନ ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ସେଥିରେ ବସିଥିବା ଯୁବତୀ ଲୋପାମୁଦ୍ରାଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe