କାର୍ତ୍ତିକରେ ଜମୁଛି ମୁରୁଜ ବେପାର: ସମୟ ସହିତ ବଦଳିଛି ପ୍ରସ୍ତୁତି ଓ ବ୍ୟବହାର ଶୈଳୀ

ପୁଣ୍ୟ ମାସ ‘କାର୍ତ୍ତିକ’ରେ ଭଗବାନ ବିଷ୍ଣୁଙ୍କ ସହିତ ମାତା ତୁଳସୀଙ୍କୁ ପୂଜା କରିବା ଶୁଭ ବୋଲି ସାଧାରଣରେ ବିଶ୍ବାସ ରହିଛି। ପ୍ରତିଦିନ ମା’ ବୃନ୍ଦାବତୀଙ୍କ (ତୁଳସୀ ଚଉରା) ପୂଜା କଲେ ଘରେ ସୁଖ ଶାନ୍ତି ବଜାୟ ରହିଥାଏ।

sfsffsxcxxc

ଖଣ୍ଡଗିରି: ପୁଣ୍ୟ ମାସ ‘କାର୍ତ୍ତିକ’ରେ ଭଗବାନ ବିଷ୍ଣୁଙ୍କ ସହିତ ମାତା ତୁଳସୀଙ୍କୁ ପୂଜା କରିବା ଶୁଭ ବୋଲି ସାଧାରଣରେ ବିଶ୍ବାସ ରହିଛି। ପ୍ରତିଦିନ ମା’ ବୃନ୍ଦାବତୀଙ୍କ (ତୁଳସୀ ଚଉରା) ପୂଜା କଲେ ଘରେ ସୁଖ ଶାନ୍ତି ବଜାୟ ରହିଥାଏ। ଓଡ଼ିଆ ପରମ୍ପରାରେ କାର୍ତ୍ତିକ ମାସରେ ହବି‌ଷ୍ୟାଳିମାନେ ଚଉରା ମୂଳେ ମୁରୁଜରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ଆଙ୍କିବା ସହ ଆକାଶଦୀପ ଜାଳି ରାଈଦାମୋଦର ପୂଜା କରିଥା’ନ୍ତି। ତେବେ ଓଡ଼ିଆ ପରମ୍ପରାରେ ପ୍ରତି ହୋମଯଜ୍ଞରେ ମୁରୁଜ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇଥିବା ବେଳେ ତୁଳସୀ ପୂଜା ସହିତ ଯୋଡ଼ି ହୋଇଯାଇଛି ଚଉରା ମୂଳେ ମୁରୁଜ ଆଙ୍କିବା। କାର୍ତ୍ତିକ ମାସରେ ଚଉରା ମୂଳେ ଶୁଦ୍ଧତା ପୂର୍ବକ ଓଡ଼ିଆଣୀଙ୍କ ହାତର କଳାକୃତି ବା ହସ୍ତକଳାର ନିଦର୍ଶନ ଦେଖିବାକୁ ମିଳୁଛି। ତେବେ ଏହି ମୁରୁଜ ପରମ୍ପର‌ା ବଦଳିନି ସତ,  କିନ୍ତୁ ସମୟ ସହିତ ବଦଳିଛି ଏହାକୁ ପ୍ରସ୍ତୁତ କରିବ‌ା ଓ ବ୍ୟବହାର କରିବାର ପଦ୍ଧତି।  ଚତୁର୍ଦ୍ଧାମୂର୍ତ୍ତି, ଶଙ୍ଖ, ଚକ୍ର, ଗଦା, ପଦ୍ମ, ଶୁଆଶାରୀ, କପୋତକପୋତୀ, ବଗବଗୁଲି, ଜୟବିଜୟ, ଅଁଳାଗଛ, ସ୍ୱର୍ଗଶିଡ଼ି ଓ ଆକାଶଦୀପ ଭଳି ଚିତ୍ର ଆଙ୍କିବା ପାଇଁ ଆଉ ଘଣ୍ଟା ଘଣ୍ଟା‌ ବସିବାକୁ ପଡ଼ୁନି। ‌ବଜାରରେ ରେଡିମେଡ୍‌ ମୁରୁଜ, ଛାଞ୍ଚ ଓ ଷ୍ଟିକର୍‌ ଯୋଗୁ ଏବେ ଖୁବ୍‌କମ୍‌ ସମୟରେ ଏ ସବୁ ପ୍ରସ୍ତୁତ କରାଯାଇପାରୁଛି। ତେଣୁ ବଜା‌ରରେ କାର୍ତ୍ତିକ ମାସରେ ଏହାର ଚାହିଦା ଢେର୍।

ପୂର୍ବରୁ ଅରୁଆ ଚାଉଳ ଗୁଣ୍ଡକୁ ମୁରୁଜ ଭାବେ ବ୍ୟବହାର କରାଯାଉଥିଲା। ଅଧିକ ଆକର୍ଷଣୀୟ କରିବା ପାଇଁ ମୁରୁଜରେ ବିଭିନ୍ନ ରଙ୍ଗ ମିଶାଯାଉଥିଲା। ଗଛର ପତ୍ର, ଫୁଲ ପାଖୁଡ଼ା ଆଦିକୁ ଗୁଣ୍ଡକରି ବିଭିନ୍ନ ରଙ୍ଗ ପ୍ରସ୍ତୁତ କରାଯାଉଥିଲା। ଧଳା ରଙ୍ଗ ପାଇଁ ଚାଉଳ ଗୁଣ୍ଡ, ହଳଦିଆ ପାଇଁ ହଳଦୀ ଗୁଣ୍ଡ, ସବୁଜ ରଙ୍ଗ ପାଇଁ ଗଛର ପତ୍ର, ନାଲି ରଙ୍ଗ ପାଇଁ ହଳଦୀଗୁଣ୍ଡ ସହ ଚୁନପଥର ଗୁଣ୍ଡର ମିଶ୍ରଣ, ମାଟିଆ ରଙ୍ଗ ପାଇଁ ଗଛର ଶୁଖିଲା ବକଳ ଓ କଳା ରଙ୍ଗ ପାଇଁ ନଡ଼ିଆ ଶଢ଼େଇ, ଘଷି କିମ୍ବା କାଠ ଅଙ୍ଗାରରୁ ପ୍ରସ୍ତୁତ ଅଙ୍ଗାର ବ୍ୟବହାର କରାଯାଉଥିଲା। ହେଲେ ସମୟ ବଦଳିଛି। ବ୍ୟସ୍ତବହୁଳ ଜୀବନ ଭିତରେ ମୁରୁଜ ପ୍ରସ୍ତୁତ ପାଇଁ ଆଉ ସମୟ ନାହିଁ।  ଏବେ ଅରୁଆ ଚାଉଳ ଗୁଣ୍ଡ ଛଡ଼ା ଏକପ୍ରକାର ପଥରର ଗୁଣ୍ଡକୁ ବ୍ୟବହାର କରାଯାଉଛି ଓ ବିଭିନ୍ନ ରଙ୍ଗର ଅବିର ମିଶାଇ ରଙ୍ଗୀନ ମୁରୁଜ ପ୍ରସ୍ତୁତ କରାଯାଉଛି। ପ୍ରଦର୍ଶନୀ ପଡ଼ିଆରେ ମୁରୁଜ ବିକ୍ରି କରିବାକୁ ଆସିଥିବା ବିଶ୍ବଜିତ୍‌ ସାହୁଙ୍କ କହିବା କଥା, ମୁରୁଜ ପାଇଁ ବ୍ୟବହୃତ ହେଉଥିବା ବିଭିନ୍ନ ରଙ୍ଗ ମଧ୍ୟରେ ହଳଦୀ, ନାଲି, କଳା, ଧଳା ଓ ସବୁଜ ରଙ୍ଗର ପଞ୍ଚ ମୁରୁଜ ଅଧିକ ବିକ୍ରି ହେଉଛି। ବିଭିନ୍ନ ଦେବଦେବୀଙ୍କ ପାଇଁ ଭିନ୍ନ ଭିନ୍ନ ରଙ୍ଗର ମୁରୁଜ ବ୍ୟବହାର କରାଯାଏ। ଲକ୍ଷ୍ମୀପାଦ, କାମଧେନୁ ଗାଈ, ପଦ୍ମ, ବିଭିନ୍ନ ପ୍ରକାର ଫୁଲ, ଡାଳୀ, ମୁରୁଜ ଡିଜାଇନ୍‌, ଦୀପ ଭଳି ଅନେକ ପ୍ରକାର ଛ‌ାଞ୍ଚ ରହୁଛି। କାର୍ତ୍ତିକ ମାସରେ ଜଗନ୍ନାଥ ଓ ମୁରୁଜ ଚିତ୍ର ଅଙ୍କାଯାଉଥିବାରୁ ଗ୍ରାହକ ଏହାକୁ ଅଧିକ ନେଉଛନ୍ତି। ୧୭୦ ଗ୍ରାମ୍‌କୁ ୧୦ଟଙ୍କା ଲେଖାଏ ପ୍ୟାକେଟ୍‌ କରାଯାଇ ବିକ୍ରି ହେଉଛି। ସାଇଜ୍‌ ଅନୁସାରେ ୨୦ ଟଙ୍କାରୁ ୧୫୦ ଟଙ୍କା ପର୍ଯ୍ୟନ୍ତ ଛାଞ୍ଚ ଉପଲବ୍ଧ ଅଛି। 

ମୁରୁଜର କିଂବଦନ୍ତି

ବହୁବର୍ଷ ପୂର୍ବେ ଚିତ୍ରଲକ୍ଷଣ ନାମରେ ଜଣେ ରାଜା ଥିଲେ। ତାଙ୍କ ସମୟରେ ସେ ଥିଲେ ଜଣେ ପ୍ରସିଦ୍ଧ ଚିତ୍ରକର। ଏକଦା ରାଜା ଚିତ୍ରଲକ୍ଷଣଙ୍କ ଦରବାରର ମହାପଣ୍ଡିତଙ୍କର ପୁତ୍ରର ଅକାଳ ମୃତ୍ୟୁ ଘଟିବାରୁ ମହାପଣ୍ଡିତଙ୍କ ସମେତ ସାରା ରାଜ୍ୟବାସୀ ଏହି ଘଟଣାରେ ଦୁଃଖିତ ହୋଇପଡ଼ିଲେ। ପଣ୍ଡିତଙ୍କ ପୁତ୍ରକୁ ଜୀବନଦାନ ଦେବା ପାଇଁ ସମସ୍ତେ ବ୍ରହ୍ମାଙ୍କୁ ପ୍ରାର୍ଥନା କଲେ। ବ୍ରହ୍ମା ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ କହିଲେ ମୃତ ପଣ୍ଡିତପୁତ୍ରଙ୍କର ଚିତ୍ର ମୁରୁଜରେ ଆଙ୍କିଲେ ସେ ସେହି ଚିତ୍ରକୁ ଜୀବନଦାନ ଦେବେ। ବ୍ରହ୍ମାଙ୍କ ଏପରି ନିର୍ଦ୍ଦେଶରେ ରାଜା ଚିତ୍ରଲକ୍ଷଣ ନିଜେ ମୁରୁଜରେ ପିଲାଟିର ଚିତ୍ର ଆଙ୍କିବା ପରେ ବ୍ରହ୍ମା ସେହି ଚିତ୍ରପ୍ରତିମାକୁ ଜୀବନଦାନ ଦେଇଥିଲେ। ସେହି ଦିନଠାରୁ ମୁରୁଜକୁ ସାରା ରାଜ୍ୟବାସୀ ଶୁଭ ବୋଲି ବିବେଚନା କଲେ। ଶୁଭ ଅବସରରେ ଘର ଅଗଣା ଓ ଚଉଁରା ମୂଳେ ମୁରୁଜରେ ଚିତ୍ର ଆଙ୍କିବାକୁ ଲାଗିଲେ। ତେଣୁ କାର୍ତ୍ତିକ ମାସରେ କିଛି ନ ଆଙ୍କିଲେ ମଧ୍ୟ ସ୍ୱର୍ଗଶିଡ଼ି ଓ ଓଡ଼ିଆ ଘରେ ଆରାଧ୍ୟ ଦେବତା ଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରା‌ଙ୍କ ଚିତ୍ର ଅଙ୍କାଯାଏ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe