ଖାକିକୁ କଳଙ୍କ ବୋଝ : ଲାଞ୍ଚ, ବ୍ୟଭିଚାର ପରେ ଦୁଷ୍କର୍ମର ଛିଟା

Advertisment
ଉତ୍ତରାଞ୍ଚଳ ପୁଲିସ୍ ରେଞ୍ଜରେ ବଡ଼ଧରଣର ଅଦଳବଦଳ

ଭୁବନେଶ୍ବର : ଖାକିର ପିଛା ଛାଡ଼ୁନି ବଦନାମ୍‌। ଦିନକୁ ଦିନ କଳଙ୍କର ବୋଝ ଲଦି ହୋଇଯାଉଛି ଖାକି ମୁଣ୍ଡରେ। ଲାଞ୍ଚ, ‌ଯୌନ ବ୍ୟଭିଚାର ଓ ଦୁଷ୍କର୍ମ ଭଳି ସଂଗିନ୍ ମାମଲା ସବୁ ଖାକିରେ କଳଙ୍କ ବୋଳି ଚାଲିଛି। ମହାମାରୀ କରୋନା ମୁକାବିଲାରେ ପୁଲିସ ଯେତିକି ପ୍ରଂଶସା ସାଉଁଟୁଛି, ତା’ଠାରୁ ବଳେଇ ପଡ଼ୁଛି ବଦନାମ୍‌ର ବୋଝ। ସେମିତି କମିସନରେଟ୍‌ ପୁଲିସ୍‌ ପାଇଁ ଗୋଟିଏ ପରେ ଗୋଟିଏ ମାମଲା ଏବେ ଚିନ୍ତାର କାରଣ ପାଲଟିଛି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୁଲିସ ଗୋଟିଏ କଳଙ୍କ ଧୋଇବାକୁ ଯାଉଥିବା ବେଳେ ଆଉ ଗୋଟିଏ ଘଟଣାର ପର୍ଦ୍ଦାଫାସ ହେଉଛି। କରୋନା ମୁକାବିଲା ସମୟରେ ଏଭଳି ଘଟଣାଗୁଡ଼ିକ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।

କରୋନା ସମୟରେ ଏଭଳି ଘଟଣା ଆରମ୍ଭ ହୋଇଥିଲା ନନ୍ଦନକା‌ନନ ଥାନାରୁ। ଜଣେ ମହିଳା ସବ୍‌ଇନ୍ସପେକ୍ଟରଙ୍କୁ ଆଇଆଇସି ପରମାନନ୍ଦ ନାୟକ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏହି ଚର୍ଚ୍ଚିତ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୁଲିସ କମିସନର ମେ’ ୧ ତାରିଖରେ ଆଇଆଇସି ଶ୍ରୀ ନାୟକଙ୍କୁ ବଦଳି କରିଥିଲେ। ଏହି ଘଟଣାକୁ ମାତ୍ର ସପ୍ତାହେ ନ ବିତୁଣୁ କ୍ୟାପିଟାଲ ଥାନାର ତତ୍କାଳୀନ ସବ୍‌ଇନ୍ସପେକ୍ଟର୍‌ ରାକେଶ ସାମଲଙ୍କ ବିରୋଧରେ ଆସିଲା ଏକ ଦୁଷ୍କର୍ମ ମାମଲା। ମେ’ ୬ ତାରିଖରେ ଏହି ସଂଗିନ୍ ଅଭିଯୋଗ ଆଣିଥିଲେ ଜଣେ ଯୁବତୀ। ମହିଳା ଥାନା ପୁଲିସ ରାକେଶଙ୍କ ବିରୋଧରେ ମାମଲା ରୁଜୁ କଲା ଓ ଏହାର ପରଦିନ ତାଙ୍କୁ ନିଲମ୍ବିତ କରାଯାଇଥିଲା। ଏହାର ପ୍ରାୟ ମାସକ ପରେ ରାଜଧାନୀରେ ଆଉ ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଜଣେ ଅଭିଯୋଗକାରିଣୀଙ୍କୁ ଥାନାକୁ ନେବା ବାହାନାରେ ଅଟୋରେ ଅପହରଣ ଓ ଦୁଷ୍କର୍ମ ଉଦ୍ୟମ କରାଯାଇଥିଲା ବୋଲି ଅଭିଯୋଗ ହେଲା। ଏହି ଘଟଣାରେ ସହିଦନଗର ଥାନା ପୁଲିସ୍ ମେ’ ୩ ତାରିଖରେ ଓଏପିଏଫ୍ କନଷ୍ଟେବଳ ଓ ତାର ଦୁଇ ସହଯୋଗୀଙ୍କୁ ଗିରଫ କରିଥିଲା। ସେହିପରି ଷ୍ଟେଟ୍ କ୍ରାଇମ୍‌ ରେକର୍ଡ ବ୍ୟୁରୋରେ ମହିଳାଙ୍କ ଲାଗି ଉଦ୍ଦିଷ୍ଟ କଣ୍ଟ୍ରୋଲ ରୁମ୍‌ରେ ଡ୍ୟୁଟିରେ ଥିବା ଜଣେ ଏଏସ୍ଆଇଙ୍କ ଏକତରଫା ପ୍ରେମର କାହାଣୀ ବେଶ୍ ଚର୍ଚ୍ଚାକୁ ଆସିଥିଲା। ପ୍ରେମରେ ବିଫଳ ହେବାରୁ ଅଭିଯୁକ୍ତ ଏଏସ୍ଆଇ ମହିଳାଙ୍କୁ ଏସିଡ୍ ମାଡ଼ କରିବାକୁ ଧମକ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହି ମାମଲାଟି ସେତେବେଳେ ଆଲୋଡ଼ନ ସୃଷ୍ଟି କରିଥିଲା। ରକ୍ଷକ ହୋଇ ଭକ୍ଷକ ସାଜୁଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ଉଠିଥିଲା। ଜୁନ୍ ମାସରେ ଘଟିଥିବା ଏହି ଘଟଣାରେ ମହିଳା ଥାନା ପୁଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଏଏସ୍‌ଆଇ ସୁବ୍ରତ ଜ୍ଞାନରଞ୍ଜନଙ୍କୁ ଗିରଫ କରିଥିଲା।

ଏହା ପରେ ମେ’ ୧ ତାରିଖରେ ପଦାକୁ ଆସିଥିଲା ପୁଲିସ କର୍ମଚାରୀଙ୍କ ବିଶୃଙ୍ଖଳିତ ଚିତ୍ର। ଲକ୍‌ଡାଉନ୍ ନିୟନ ଉଲ୍ଲଂଘନ କରି ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରିବା ଅଭିଯୋଗରେ ହାବିଲଦାର ଓ କନଷ୍ଟେବଳ ସଂଘର ସମ୍ପାଦକ ପ୍ରସନ୍ନ ବେହେରାଙ୍କୁ ନିଲମ୍ବନ କରା ଯାଇଥିଲା। ସେହିପରି ଜୁଲାଇ ୧୬ ତାରିଖରେ ଖୋଦ୍‌ ପୁଲିସ ସେବା ଭବନରେ ଘଟିଥିଲା ଆଉ ଏକ ବଦନାମ୍ କାହାଣୀ। ଜଣେ ପୁଲିସ କର୍ମଚାରୀଙ୍କଠାରୁ ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍‌ସ ହାତରେ ରେଡ୍‌ ହ୍ୟାଣ୍ଡେଡ୍‌ ଧରାପଡ଼ିଥିଲେ ପୁଲିସ ସେବା ଭବନ ଆକାଉଣ୍ଟସ୍‌ ସେକ୍ସନ୍‌ କନ୍‌ଷ୍ଟେବଳ ସୁରେଶ ଦାଶ। ଏହି ଘଟଣାରେ ତାଙ୍କୁ ତୁରନ୍ତ ନିଲମ୍ବନ କରାଯାଇଥିଲା। ସେହିଭଳି ଥାନାରୁ ଏସି ଚୋରି ଘଟଣା ଓ ଅପରାଧୀକୁ ପାସପୋର୍ଟ ମିଳିବା ଘଟଣାରେ ମଧ୍ୟ କମିସନରେଟ୍‌ ପୁଲିସକୁ ବେଶ୍ ବଦନାମ୍ ହେବାକୁ ପଡ଼ିଛି। କିନ୍ତୁ ଏହି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଶେଷରେ ୭ମ ବାଟାଲିଅନ୍‌ର ଜଣେ ସୁବେଦାର ନିଜ ସରକାରୀ କ୍ବାର୍ଟର୍ସରେ ଜଣେ ଯୁବତୀଙ୍କୁ କାମ କରିବାକୁ ଡାକି ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି। ସୁବେଦାର ଦେବାଶିଷ ଯୁବତୀଙ୍କୁ ଏକ ରୁମ୍‌ରେ ତାଲା ପକାଇ ବନ୍ଦୀ କରି ରଖିଥିଲେ ଓ ତାଙ୍କୁ ବନ୍ଧୁକ ମୁନରେ ଭୟଭୀତ କରି ଦୁଷ୍କର୍ମ କରିଥିଲେ ବୋଲି ପୀଡ଼ିତା ଅଭିଯୋଗରେ ଦର୍ଶାଇଛନ୍ତି। ଏବେ ସୁବେଦାର୍‌ ଫେରାର୍ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe