ରସିକିଆ ଡ୍ରାଇଭରର ରାସଲୀଳା, ମାଡ଼ଖାଇ ବନ୍ଧାହେଲା

Advertisment
ରସିକିଆ ଡ୍ରାଇଭରର ରାସଲୀଳା, ମାଡ଼ଖାଇ ବନ୍ଧାହେଲା

ଭୁବନେଶ୍ବର : ପ୍ରଥମେ ଝିଅଙ୍କୁ ପ୍ରେମ ଜାଲରେ ଫସାଉଥିଲା। ପରେ ବିବାହକରି ଯୌତୁକ ଆକାରରେ ଟଙ୍କା, ସୁନା, ଗାଡି ହାତୋଉଥିଲା। ତେବେ ଜଣେ କି ଦୁଇ ଜଣ ନୁହେଁ। ତିନି ତିନି ଜଣ ଝିଅଙ୍କୁ ନିଜ ପ୍ରେମ ପାଲରେ ପକାଇ ବାହାହୋଇ ଜଣଙ୍କ ପରେ ଜଣଙ୍କୁ ଧୋକା ଦେଇଚାଲିଥିଲା। ଏଭଳି ଜଣେ ରସିକିଆ ଡ୍ରାଇଭରକୁ ପତ୍ନୀମାନେ ମାଡ଼ ଦେଇ ମଞ୍ଚେଶ୍ବର ଥାନା ପୁଲିସ ଜିମାରେ ଦେଇଛନ୍ତି। ସେ‌ ହେଲା ଖୋର୍ଦ୍ଧା ଜିଲ୍ଲା ବାଣପୁର ନାଚୁଣୀ ଦତ୍ତପୁର ଅଞ୍ଚଳର ଆଲୋକ ଜେନା(୩୨)।

publive-image

ପାଖାପାଖି ୧୪ ବର୍ଷ ତଳେ ଆଲୋକ ବାଣପୁରରୁ ରାଜଧାନୀ ଆସି ରସୁଲଗଡ଼ ଅଞ୍ଚଳରେ ରହି ଡ୍ରାଇଭର ଭାବେ କାମକରୁଥିଲା। ଏହି ସମୟରେ ସ୍ଥାନୀୟ ଅଞ୍ଚଳର ରୀନା ଜେନା ନାମକ ଜଣେ ଯୁବତୀଙ୍କ ସହ ଆଲୋକର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରବର୍ତ୍ତୀ ସମୟରେ ଉଭୟଙ୍କର ବିବାହ ହୋଇଥିଲା। ରୀନାଙ୍କ ଟଙ୍କାରେ ଆଲୋକ ଦୁଇ ଦୁଇଟି କାର ଓ ଅଟୋ କିଣି ରାଜଧାନୀରେ ନିଜର ବ୍ୟବସାୟ ବଢ଼ାଇଥିଲା। ତେବେ ଆଲୋକ ୨୦୧୭ ମସିହାରେ ଅନୀତା ସେଠୀ ନାମକ ଜଣେ ଯୁବତୀଙ୍କୁ ଭଲପାଇ ବସିଥିଲା। ଦୁଇ ଦୁଇଟି ସନ୍ତାର ବାପା ହୋଇଥିଲେ ବି ଆଲୋକ ତାଙ୍କୁ କିଛି ଜଣାଇନଥିଲା। ଅନ୍ୟପଟେ ରୀନା ଯେଭଳି କିଛି ନଜାଣିବେ, ସେଥିପାଇଁ ତାଙ୍କଠାରୁ ଅଲଗା ହେବା ପାଇଁ ବାଟ ତିଆରି କରିଥିଲା। ଯୌତୁକ ବାବଦକୁ ପ୍ଲଟ୍‌ ଦେବାକୁ ଚାପ ପକାଇଥିଲା। ପ୍ଲଟ୍‌ ନଦେଲେ ଛାଡ଼ପତ୍ର ଦେବାକୁ ଧମକ ଦେଇଥିଲା। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ଏହାର ସୁଯୋଗନେଇ ଆଲୋକ ଅନୀତାଙ୍କୁ ବିବାହ କରି ରୀନାଙ୍କଠାରୁ ଅଲଗା ରହିଥିଲା। ସେ ଏଭଳି ଷଡ଼ଯନ୍ତ୍ର କରିଥିଲା ଯେ, ନା ରୀନା ନା ଅନୀତା କେହି କାହା ବିଷୟରେ ଗନ୍ଧ ବାସ୍ନା ପାଇନଥିଲେ।

ହେଲେ ଏହା ବେଶି ଦିନ ଚାଲିନଥିଲା। ଦ୍ବିତୀୟ ବିବାହ କଥା ଜାଣିବା ପରେ ରୀନା ମହିଳା ଥାନାରେ ଅଭିଯୋଗ କରିଥିଲେ। ଥାନାରେ ବୁଝାମଣା ପରେ ଆଲୋକ ରୀନାଙ୍କ ସହ ରହିବାକୁ ରାଜି ହୋଇଥିଲା। ମାତ୍ର ଗୋଟିଏ ଦିନ ତାଙ୍କ ସହ ରହିବା ପରେ ଦ୍ବିତୀୟ ପତ୍ନୀଙ୍କ ନିକଟକୁ ଚାଲିଯାଇଥିଲା। ଏତିକିରେ ଆଲୋକର ପ୍ରେମ ସରିନଥିଲା ଦ୍ବିତୀୟ ବିବାହ ପରେ ଆଉ ଜଣେ ଯୁବତୀଙ୍କୁ ଭଲପାଇ ବସିଥିଲା। ଅନୀତାଙ୍କୁ ଛାଡ଼ି ୩ୟ ଯୁବତୀଙ୍କୁ ବିବାହ କରିଥିଲା। ତାଙ୍କୁ ନେଇ ସତ୍ୟବିହାର ସ୍ଥିତ ଭଉଣୀଙ୍କ ଘରେ ରହିଥିଲା। ସମସ୍ତ ଘଟଣା ଜଣାପଡ଼ିବା ପରେ ଆଜି ରୀନା ଓ ଅନୀତା ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୁଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜୁକରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe