୨୫ ତାରିଖରୁ ରସୁଲଗଡ଼ ଫ୍ଲାଏ ଓଭର ଫାଳେ ବନ୍ଦ

୨୫ ତାରିଖରୁ ରସୁଲଗଡ଼ ଫ୍ଲାଏ ଓଭର ଫାଳେ ବନ୍ଦ

Sambad English

ଭୁବନେଶ୍ବର: ବାଣୀବିହାର ଆରଓବି ପ୍ରଶସ୍ତୀକରଣ କାର୍ଯ୍ୟ ୨୫ ତାରିଖ ଅର୍ଥାତ୍‌ ଶୁକ୍ରବାର ଠାରୁ ଆରମ୍ଭ ହେବ। ଏଥିପାଇଁ ଏହି ଆରଓବି କଡ଼ରେ ନିର୍ମାଣ ହୋଇଥିବା ବିକଳ୍ପ ଆରଓବିରେ ଗାଡ଼ି ଯିବା ଆସିବା କରିବ। ମୁଖ୍ୟ ରାସ୍ତାକୁ କାମ ଶେଷ ହେବା ପର୍ଯ୍ୟନ୍ତ ବନ୍ଦ ରଖାଯିବ। ଅର୍ଥାତ୍‌ ବାଣୀବିହାର ପଟୁ କଟକ ଆଡ଼କୁ ଯାଉଥିବା ସମସ୍ତ ଯାନବାହନ ରସୁଲଗଡ଼ ଫ୍ଲାଏ ଓଭରବ୍ରିଜ୍‌ ଦେଇ ଯାଇପାରିବେ ନାହିଁ। ହାଲୁକା ଯାନ ଓ ଭାରୀଯାନ ଏହି ବିକଳ୍ପ ରାସ୍ତା ଦେଇ କଟକ ଅଭିମୁଖେ ଯିବେ। ଏ ନେଇ ଆଜି କମିସନରେଟ୍‌ ପୁଲିସ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଟ୍ରାଫିକ୍‌ ପରିବର୍ତ୍ତନରେ ଗାଡ଼ି ଚାଳକଙ୍କ ସହଯୋଗ ଲୋଡ଼ା ଯାଇଛି।

ବିକଳ୍ପ ଆରଓବିରେ ନୟାନ୍ତ ହେବେ ଚାଳକ
ପ୍ରଭାବିତ ହେବ ବିଶ୍ବ କପ୍‌ ହକି ପରିଚାଳନା

ପୂର୍ବରୁ ଫ୍ଲାଏ ଓଭରବ୍ରିଜ୍‌ ବ୍ୟବହାର ହେଉଥିବା ବେଳେ ଏହି ରାସ୍ତାରେ ପ୍ରବଳ ଭିଡ଼ ହେଉଥିଲା। ସତ୍‌ସଙ୍ଗ ବିହାରରୁ ପଳାସୁଣି ପର୍ଯ୍ୟନ୍ତ ଘଣ୍ଟା ଘଣ୍ଟା ଧରି ଗାଡ଼ି ମୋଟର ଛିଡ଼ା ହୋଇ ରହୁଥିଲା‌। ଟ୍ରାଫିକ୍‌ ନିୟନ୍ତ୍ରଣ କରିବାକୁ ପୁଲିସ ନୟାନ୍ତ ହେଉଥିଲା। କେବଳ ପୁଲିସ ନୁହେଁ, ବରଂ ହଜାର ହଜାର ଲୋକଙ୍କ ସହ ଆମ୍ବୁଲାନ୍ସ ମଧ୍ୟ ଫସି ରହୁଥିଲା। ଏବେ ଓଭରବ୍ରିଜ୍‌ ବନ୍ଦ ହୋଇଯିବ। ନୂଆ ରାସ୍ତାରେ ଗାଡ଼ିଗୁଡ଼ିକ ଯାଇ ରସୁଲଗଡ଼ ଛକରେ ସର୍ଭିସ୍‌‌ରୋଡ୍‌ରେ ମିଶିବେ। ହକି ପାଇଁ ଦେଶ ବିଦେଶରୁ ହଜାର ହଜାର ଲୋକଙ୍କ ସମାଗମ ହେବ। କଟକ-ଭୁବନେଶ୍ବର ମଧ୍ୟରେ ଯିବାଆସିବା ଅଧିକ ହେବ। ନିକଟ ଅତୀତରେ ମୁଖ୍ୟ ଶାସନ ସଚିବ ହକି ଖେଳ ପାଇଁ ପ୍ରସ୍ତୁତିର ସମୀକ୍ଷା କରି ରାସ୍ତାଘାଟ ଯେଭଳି ଫାଙ୍କା ରହିବ, ଟ୍ରାଫିକ୍‌ ସମସ୍ୟା ହେବ ନାହିଁ, ରାସ୍ତା ଖୋଳାଖୋଳି ହେବ ନାହିଁ ତାହା ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ କମିସନରେଟ୍‌ ପୁଲିସର ମୁଖିଆଙ୍କ ଠାରୁ ଆରମ୍ଭ କରି ପ୍ରତ୍ୟେକ ବିଭାଗର ମୁଖିଆ ରହିଥିଲେ। କିନ୍ତୁ ଏଠାରେ ଆରଓବି ବନ୍ଦ କରି ଅଯଥା ଭିଡ଼କୁ କିଏ ଆମନ୍ତ୍ରଣ କରିଛି? ଏଭଳି ନିଷ୍ପତ୍ତି ନେବା ବେ‌ଳେ କମିସନ‌ରେଟ୍‌ ପୁଲିସ ହକି ଖେଳର ଗୁରୁତ୍ବକୁ ସ୍ମରଣ କରିପାରିଲା ନାହିଁ କାହିଁକି? ବୈଠକରେ ରେଳ ବିଭାଗର ବରିଷ୍ଠ ଅଧିକାରୀ ମଧ୍ୟ ରହିଥିଲେ। ହେଲେ ଏଭଳି ଏକ ନିଷ୍ପତ୍ତି ନେବା ପୂର୍ବରୁ ଆଲୋଚନା କଲେ ନାହିଁ କାହିଁକି? ଏଭଳି ଅନେକ ପ୍ରଶ୍ନ ଏହି ନିଷ୍ପତ୍ତିକୁ ବିବାଦକୁ ଟାଣିଛି।

ଉଲ୍ଲେଖଯୋଗ୍ୟ, ତୃତୀୟ ରେଳଧାରଣା ବିଛାଯିବା ପାଇଁ ଏହି ଆରଓବି ସମ୍ପ୍ରସାରଣ ହେଉଛି। ଏବେ ଏହା ୧୮ ମିଟର ଥିବା ବେଳେ ଏହାକୁ ବଢ଼ାଇ ୪୬ ମିଟର କରାଯିବାକୁ ଯୋଜନା ହୋଇଛି। ଏହି ଯୋଜନା ୨୦୧୦ ମସିହାରେ ହୋଇଥିଲା। ବିଭିନ୍ନ କାରଣରୁ ୧୨ ବର୍ଷ ପରେ ‌ଏହା ନିର୍ମାଣ ହେବାକୁ ଯାଉଛି। ଏହି ଟ୍ରାଫିକ୍‌ ସମସ୍ୟା ଯୋଗୁଁ ପିତାପଲ୍ଲୀରୁ ଗାଡ଼ିଗୁଡ଼ିକର ଗତିପଥ ବଦଳାଇବା ପାଇଁ ଯୋଜନା ହୋଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନଥିଲା। ଏହାକୁ ରେଳ ବିକାଶ ନିଗମ ଲିମିଟେଡ୍‌ ନିର୍ମାଣ କରୁଛି। ଯେଉଁ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ କରିବାକୁ ୧୨ ବର୍ଷ ଲାଗିଗଲା ସେହି ନିଷ୍ପତ୍ତିକୁ ବିଶ୍ବସ୍ତରୀୟ ହକିଖେଳ ପାଇଁ ଆଉ କିଛି ମାସ ଘୁଞ୍ଚାଇ ଦେଇଥିଲେ କ’ଣ ଅସୁବିଧା ହୋଇଥାନ୍ତା ବୋଲି ସଚେତନ ନାଗରିକ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe