ରାଜଧାନୀରେ ରଥଯାତ୍ରା: ଚକାନୟନରେ ମିଶିଲା ନେତ୍ର

Advertisment
ରାଜଧାନୀରେ ରଥଯାତ୍ରା: ଚକାନୟନରେ ମିଶିଲା ନେତ୍ର

ଭୁବନେଶ୍ବର: ମହାପ୍ରଭୁଙ୍କୁ ଦେଖିବାକୁ ଚାରିଆଡୁ ଶ୍ରଦ୍ଧାଳୁମାନେ ରାଜଧାନୀରେ ରୁଣ୍ଢ ହୋଇଥିଲେ। ହେଲେ ସକାଳ ଯେତେ ବଢ଼ୁଥିଲା ଭକ୍ତଙ୍କ ମନ ବ୍ୟାକୁଳ ହେଉଥିଲା। ଚକାନୟନରେ ନିଜ ଆଖିକୁ ମିଶାଇବାକୁ ଭକ୍ତ ଚାହୁଁଥିଲେ। କିଏ ନିଜ ମନକଥା ତାଙ୍କ ସହ ବାଣ୍ଟିବାକୁ ବ୍ୟଗ୍ର ହେଉଥିଲେ ତ ଆଉ କିଏ ନିଜ ଲୁହରେ ନୈବେଦ୍ୟ କରିବାକୁ ଚାହୁଁଥିଲେ। ତେବେ ପ୍ରତିକ୍ଷାର ଅନ୍ତ ଘଟାଇ ସମୟ ଅନୁସାରେ ବିଭିନ୍ନ ଜଗନ୍ନାଥ ମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତି ବାହାରକୁ ଗୋଟି ପହଣ୍ଡିରେ ବାହାରିଥିଲେ। ଭକ୍ତ ଓ ଭଗବାନ ଏକାକାର ହୋଇଯାଇଥିଲେ।

ଭିଏସ୍ଏସ୍ ନଗର

ବୀର ସୁରେନ୍ଦ୍ର ସାଏ ନଗରରେ ଶ୍ରୀ ଶ୍ରୀଭୁବନେଶ୍ୱରୀ ମନ୍ଦିର ପରିଚାଳନା ସମିତି ପକ୍ଷରୁ ୧୬ ତମ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରଭୁ ଜଗନ୍ନାଥ ବଡ଼ଭାଇ ବଳରାମ ଓ ଭଉଣୀ ସୁଭଦ୍ରାଙ୍କ ସହିତ ସୁସଜ୍ଜିତ ରଥରେ ଡିଏଲ, କଲୋନିସ୍ଥିତ ଭୁବନେଶ୍ୱରୀ ମନ୍ଦିରରୁ ଯାତ୍ରା ଆରମ୍ଭ କରି ସନ୍ଧ୍ୟା ପୂର୍ବରୁ ଆଡ଼ପ ମଣ୍ଡପ ନିକଟରେ ପହଞ୍ଚିଥିଲେ। ଅନୁଷ୍ଠାନର ସଭାପତି ଜୟନ୍ତ ପରିଡ଼ା ଛେରା ପହଁରା କରିଥିବା ବେଳେ ସାଧାରଣ ସମ୍ପାଦକ ପ୍ରତାପ କୁମାର ନନ୍ଦ ପହଣ୍ଡି ବିଜେ କରାଇଥିଲେ। ବିଧାୟକ ସୁଶାନ୍ତ କୁମାର ରାଉତ, ପୁଲିସ କମିସନର ସୌମେନ୍ଦ୍ର ପ୍ରୀୟଦର୍ଶୀ ଓ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ।
ପ୍ରଶାନ୍ତ ଷଡ଼ଙ୍ଗୀ, ନିତ୍ୟରଞ୍ଜନ ନନ୍ଦ, ଦିଲ୍ଲୀପ ଦାଶଶର୍ମା, ଧରଣୀଧର ରାଉତ, ପ୍ରେମାନନ୍ଦ ଲେଙ୍କା, ପ୍ରକାଶ କୁମାର ଦାସ, ନବୀନ କୁମାର ଭୁକ୍ତା, ସନ୍ତୋଷ କୁମାର ଶତପଥୀ, କ୍ଷୀରୋଦ କୁମାର ସାହୁ, ନିଶିଥ ରଞ୍ଜନ ନନ୍ଦ, ରବି ନାରାୟଣ ରାୟ, ସନ୍ତୋଷ କୁମାର କୁଣ୍ଡୁ, ରବୀନ୍ଦ୍ର କୁମାର ପାଲ, ମୋହନ ଚରଣ ବେହେରା ଓ ଅଭୟାନନ୍ଦ ନନ୍ଦ ପ୍ରମୁଖ ସହଯୋଗ କରିଥିଲେ।

ଶୈଳଶ୍ରୀବିହାରରେ ସହସ୍ରାଧିକ ଭକ୍ତ ରଥ ଟାଣିଲେ

publive-image

ଚନ୍ଦ୍ରଶେଖରପୁର: ଶୈଳଶ୍ରୀବିହାର ରଥଯାତ୍ରାରେ ଆଜି ପ୍ରବଳ ଜନ ସମାଗମ ହୋଇଥିଲା। ସକାଳ ୯ଟାରେ ତିନି ଠାକୁରଙ୍କର ପହଣ୍ଡି ନୀତି ସମ୍ପନ୍ନ ହୋଇଥିଲା। ରଥାରୂଢ଼ ବିଗ୍ରହମାନଙ୍କ ପୂଜା ନୀତି ସରିବା ପରେ ପ୍ରାୟ ସାଢ଼େ ଚାରିଟା ବେଳେ ହେମନ୍ତ କୁମାର ମହାପାତ୍ର ଛେରା ପହଁରା କରିଥିଲେ। ଏହାପରେ ପ୍ରାୟ ୫ଟା ବେଳେ ରଥ ଟଣାଯାଇଥିଲା। ରଥ ଆଗରେ ଝାଞ୍ଜ, ମୃଦଙ୍ଗ, ଖୋଳ ବଜାଇ ଶ୍ରଦ୍ଧାଳୁମା‌ନେ ନାମ ସଂକୀର୍ତ୍ତନ କରିଥିଲେ। ଏହି ସମୟରେ ପ୍ରଜାପିତା ବ୍ରହ୍ମାକୁମାରୀ ବିଶ୍ବବିଦ୍ୟାଳୟ ଓ ଆଉ କିଛି ସାମାଜିକ ସଂସ୍ଥା ପକ୍ଷରୁ ଆଧ୍ୟାତ୍ମିକ ଜନ ସଚେତନତା କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା। ସଂଧ୍ୟା ସୁଦ୍ଧା ମଙ୍ଗଳା ମନ୍ଦିର ଛକ ନିକଟରେ ରଥ ପହଞ୍ଚିଥିଲା। ସେଠାରେ ଠାକୁରଙ୍କ ଭୋଗ ଲାଗି କରାଯାଇଥିଲା।

‌କୋଳଥିଆ ଚିଦାନନ୍ଦବିହାର

publive-image

ଖଣ୍ଡଗିରି କୋଳଥିଆ ଚିଦାନନ୍ଦବିହାର ଜଗନ୍ନାଥ ମନ୍ଦିରରେ ଯଥାରୀତି ଘୋଷଯାତ୍ରା ସମ୍ପନ୍ନ ହୋଇଛି। ସକାଳ ନୀତି, ଖେଚୁଡ଼ି ଭୋଗ ଲାଗି ଓ ସେନାପଟା ଲାଗି ପରେ ମଧ୍ୟାହ୍ନ ୧୨ଟାରେ ତିନି ଠାକୁରଙ୍କୁ ପହଣ୍ତିରେ ଆଣି ରଥାରୂଢ଼ କରାଯାଇଥିଲା। ଅପରାହ୍‌ଣ ୨ଟାରେ ସଂଘ ସଭାପତି ସତ୍ୟବ୍ରତ ଦାସ ଛେରା ପହଁରା କରିଥିଲେ। ରଥଟଣା ଅପରାହ୍ଣ ୪ଟାରେ ଆରମ୍ଭ ହୋଇଥିଲା। ସନ୍ଧ୍ୟା ୬ଟାରେ ତିନି ଠାକୁର ସୁଧର୍ମା ମହାସଂଘ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲେ।

ରେଲ୍‌ୱେ କଲୋନି

ଚନ୍ଦ୍ରଶେଖରପୁର: ଉତ୍ତର ଭୁବନେଶ୍ବରର ଗାଡ଼କଣ, ରଙ୍ଗମାଟିଆ, ରେଲ୍‌ୱେ କଲୋନିରେ ରଥଯାତ୍ରା ଯଥାବିଧି ଅନୁଷ୍ଠିତ ହୋଇଯାଇଛି। ମଞ୍ଚେଶ୍ବର ଧିରିକୁଟିସାହି ବାଇଆ ବାବା ଜଗନ୍ନାଥ ମନ୍ଦିର ରଥଯାତ୍ରାରେ ବାଇଧର ବାରିକ ଛେରା ପହଁରା କରିଥିଲେ। ଏଠାରେ କେବଳ କୁନି ପିଲାମାନେ ରଥ ଟାଣି ରଙ୍ଗମାଟିଆ ରଙ୍ଗନାଥ ଦେବ ମନ୍ଦିର ପରିସରରେ ଥିବା ଗୁଣ୍ଡିଚା ମନ୍ଦିରକୁ ଆଣିଥିଲେ। ରେଲ୍‌ୱେ କଲୋନି ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ରଥଯାତ୍ରାରେ ମଞ୍ଚେଶ୍ବର ରେଳଡବା ମରାମତି କାରଖାନାର ସିଡବ୍ଲୁଏମ୍ ଛେରା ପହଁରା କରିଥିଲେ। ବହୁ ସଂଖ୍ୟାରେ ପୁରୁଷ ଓ ମହିଳାମାନେ ରଥକୁ ଟାଣି ରେଲ୍‌ୱେ ମାର୍କେଟ୍‌ ନିକଟ ଉପେନ୍ଦ୍ରଭଞ୍ଜ ମଣ୍ଡପ ନିକଟ ଗୁଣ୍ଡିଚା ମନ୍ଦିରକୁ ଆଣିଥିଲେ। ଗାଡ଼କଣ ଜଗନ୍ନାଥ ମନ୍ଦିର ପକ୍ଷରୁ ଆୟୋଜିତ ରଥଯାତ୍ରାରେ ପିକନ ଜେନା ଛେରା ପହଁରା କରିଥିଲେ। ରଥକୁ ଶ୍ରଦ୍ଧାଳୁମାନେ ଟାଣିଟାଣି ଆଦିମାତା କଲୋନିର ଆଦିମାତା ମନ୍ଦିର ପର୍ଯ୍ୟନ୍ତ ନେଇଥିଲେ।

ପୁରୁଣା ଭୁବନେଶ୍ୱର

publive-image

ପୁରୁଣା ଭୁବନେଶ୍ୱର: ସ୍ଥାନୀୟ ଜମେଶ୍ୱର ପାଟଣାରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ତିନି ଠାକୁର ପରକରଣ ସାହି ନାରାୟଣୀ ମନ୍ଦିରରୁ ବାହାରି ପହଣ୍ଡିରେ ଆସିଥିଲେ। ପରେ କୁନି ପିଲାଙ୍କ ଦ୍ୱାରା ଛେରା ପହଁରା ଓ ରଥ ଟଣା ହୋଇଥିଲା। ରଥ ତିନି ମୁଣ୍ଡିଆ ଛକ, ଲିଙ୍ଗରାଜ ମନ୍ଦିର ପରିଭ୍ରମଣ କରି ଗଙ୍ଗା ଯମୁନା ମନ୍ଦିର ନିକଟକୁ ଯାଇଥିଲା। ବସନ୍ତ ସମର୍ଥା ରଥଟଣା ପରିଚାଳନା କରିଥିଲେ। ସେହିପରି ବଡ଼ଦାଣ୍ଡସାହି ଘୋଷଯାତ୍ରା କମିଟି ପକ୍ଷରୁ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସୁସଜ୍ଜିତ ରଥ ବଡ଼ଦାଣ୍ଡସାହିରୁ ବାହାରି ଲିଙ୍ଗରାଜ ମନ୍ଦିର ଉତ୍ତରଦ୍ୱାର ନିକଟରୁ ବୁଲି ରାମେଶ୍ୱର ବାରିକସାହି ନିକଟ ହନୁମାନ ମନ୍ଦିର ନିକଟକୁ ଯାଇଥିଲା। କମିଟି ସଭାପତି ଶକ୍ତି ପ୍ରସାଦ ସାହୁ, ସମ୍ପାଦକ ସୁଶିଲ ପ୍ରହରାଜ ରଥଟଣା କାମ ପରିଚାଳନା କରିଥିଲେ। ସେହିପରି ଭାରତୀ ମଠ ଭୋଇସାହିଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରାଜଧାନୀ ଉପକଣ୍ଠ ଜାମୁକୋଳି ଲବଣଗିରି ପାହାଡ଼ରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପାହାଡ଼ରୁ ରଥ ବାହାରି ପ୍ରଧାନସାହି ପାର୍‌ ହୋଇ ପାଞ୍ଚଗାଁ ନିକଟ ମଙ୍ଗଳା ମନ୍ଦିରକୁ ଆସିଥିଲା। ଅନ୍ତର୍ଯ୍ୟାମୀ ବଡ଼ୁ ଛେରା ପହଁରା କରିଥିଲେ। କମିଟି ସଭାପତି ସୁଧାଂଶୁ ମୋହନ ପଟ୍ଟନାୟକ ଓ ବହୁ ମୁରବି ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe