ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରସ୍ଥିତ ବିଭିନ୍ନ ପୂଜା କମିଟି ପକ୍ଷରୁ ଶୁକ୍ରବାର ରାତି ରାବଣ ପୋଡ଼ିର ଆୟୋଜନ କରାଯାଇଛି। ସୁଉଚ୍ଚ ରାବଣ ଓ କୁମ୍ଭକର୍ଣ୍ଣର ପୁତ୍ତଳିକାକୁ ବାଣ ସାହାଯ୍ୟରେ ନିଅାଁ ସଂଯୋଗ କରାଯାଇଛି। ଭଳିକି ଭଳି ବାଣ ଓ ଫଟୋକାରେ ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ଶବ୍ଦ ଓ ଆଲୋକମାଳା ଝଲସି ଉଠିଛି। ହଜାର ହଜାର ଦର୍ଶକ ରାବଣ ପୋଡ଼ି ଦୃଶ୍ୟ ଦେଖି ବିମୋହିତ ହୋଇଛନ୍ତି। ଏଥି ସହିତ ୪ ଦିବସୀୟ ଦଶହରା ସଂପନ୍ନ ହୋଇଛି।
ଝାରପଡ଼ା ଦୁର୍ଗାପୂଜା କମିଟି ପକ୍ଷରୁ ଲକ୍ଷାଧିକ ଟଙ୍କାର ବାଣ ଓ ଫଟୋକା ସାହାଯ୍ୟରେ ରାବଣ ପୋଡ଼ି କରାଯାଇଛି। ଶାରଦୀୟ ଦୁର୍ଗାପୂଜା ଅବସରରେ ହୋଇଥିବା ରାବଣ ପୋଡ଼ି ପାଇଁ ରାଜଧାନୀର ଝାରପଡ଼ା, ସହିଦନଗର, ନୂଆପଲ୍ଲୀ ଓ ବରମୁଣ୍ଡା ପୂଜାମଣ୍ଡପ ନିକଟରେ ଳକ୍ଷାଧିକ ଦର୍ଶକଙ୍କ ସମାଗମ ହୋଇଛି।
ଆଜି ଦଶହରା ପର୍ବ ମଧ୍ୟ ରାତ୍ରୀରେ ଶେଷ ହେବା ପରେ ଶନିବାର ଅପରାହ୍ନରେ ମା’ ଦୁର୍ଗାଙ୍କୁ ବିଦାୟ ଦିଆଯିବ। ଏହା ପୂର୍ବରୁ ଭସାଣୀ ମେଳା ଅନୁଷ୍ଠିତ ହେବ। ଏଥି ପାଇଁ ରାଜଧାନୀର ପ୍ରାଣକେନ୍ଦ୍ର କୁହାଯାଉଥିବା ସହିଦ ନଗର ଓ ନୂଆପଲ୍ଲୀରେ ଭୁବନେଶ୍ୱରର ଅଧିକାଂଶ ଦୁର୍ଗା ପ୍ରତିମା ଏକତ୍ରିତ ହେବେ। ପ୍ରସ୍ତାବିତ କାର୍ଯ୍ୟସୂଚୀ ପରେ ସମସ୍ତ ମୂର୍ତ୍ତିକୁ ଶୋଭାଯାତ୍ରାରେ ନିଆଯାଇ ବିସର୍ଜନ କରାଯିବ।
Follow Us