କର୍ଫ୍ୟୁରେ ବଡ଼ବଡ଼ିଆଙ୍କ ଭୋଜିଭାତ ଆସର, ତଦନ୍ତ ପାଇଁ ଏସିପି ବି ଡରୁଛନ୍ତି!

Advertisment
କର୍ଫ୍ୟୁରେ ବଡ଼ବଡ଼ିଆଙ୍କ ଭୋଜିଭାତ ଆସର, ତଦନ୍ତ ପାଇଁ ଏସିପି ବି ଡରୁଛନ୍ତି!

Pinterest

ଭୁବନେଶ୍ବର: ରାତ୍ରିକାଳୀନ କର୍ଫ୍ୟୁରେ ବଡ଼ବଡ଼ିଆଙ୍କ ଭୋଜିଭାତର ଆସର ଜମିବା ଘଟଣାରେ ଆଜି ଏକ ନୂଆ ତଥ୍ୟ ପଦାକୁ ଆସିଛି। ସେମାନଙ୍କ ମନୋରଂଜନ କେବଳ ଭୋଜିଭାତ, ମଦ ଓ ନାଚଗୀତରେ ସୀମିତ ନଥିଲା, ସେଠାରେ ଜୁଆ ଖେଳ ମଧ୍ୟ ଚାଲିଥିଲା ବୋଲି ଅତି ବିଶ୍ବସ୍ତ ସୂତ୍ରରୁ ଜଣଯାଇଛି। ଏ ସଂପର୍କରେ ପୁଲିସ୍‌ ଅବଗତ ଥିଲେ ହଁ ବଡ଼ବଡ଼ିଆଙ୍କ ବିରୋଧରେ ଯିବା ପାଇଁ ପୁଲିସ୍‌ ଆଗ୍ରହ ଦେଖାଉନାହିଁ। ମାମଲାକୁ ଚାପି ଦେବା ପାଇଁ ଯଥାସମ୍ଭବ ଉଦ୍ୟମ ଚଳାଇଛି। ଅପରପକ୍ଷରେ ମହାମାରୀ ଆଇନ ଉଲ୍ଲଙ୍ଘନ ଭଳି ସ୍ପର୍ଶକାତର ମାମଲା‌ର ତଦନ୍ତ ଖୋଦ୍ ଜୋନ୍‌ ଏସିପି କରିବା କଥା। କିନ୍ତୁ ଦାୟିତ୍ବରେ ଥିବା ଏସିପି ନା ଥାନାକୁ ଯାଇ ଏ ସଂପର୍କରେ ପଚାରି ବୁଝିଛନ୍ତି ନା ତଦନ୍ତ ପାଇଁ କୌଣସି ପଦକ୍ଷେପ ନେଇଛନ୍ତି। ନିୟମ ଉଲ୍ଲଙ୍ଘନକାରୀଙ୍କ ମଧ୍ୟରେ ସହରର ବଡ଼ ବଡ଼ ଶିଳ୍ପପତି, ବିଲ୍ଡର୍‌, ବ୍ୟବସାୟୀ ଓ ପ୍ରଭାବଶାଳୀ ବ୍ୟକ୍ତି ଥିବାରୁ ଏସିପି ବି ତଦନ୍ତ ପାଇଁ ଡରୁଛନ୍ତି ବୋଲି ପୁଲିସ୍‌ ମହଲରେ ଏକ ଚାପା ଗୁଞ୍ଜରଣ ସୃଷ୍ଟି ହେଲାଣି।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ରାତିରେ ରାଜଧାନୀର ଜଣେ ବ୍ୟବସାୟୀଙ୍କ ଘର ଭିତରେ ଭୋଜିଭାତର ଆସର ଜମିଥିଲା। ଏଥିରେ ବଡ଼ ବଡ଼ ଶିଳ୍ପପତି, ବିଲ୍ଡର୍‌, ଅଭିନେତ୍ରୀ, ବ୍ୟବସାୟୀ ଓ ପ୍ରଭାବଶାଳୀ ବ୍ୟକ୍ତି ସାମିଲ ଥିଲେ। କୋଭିଡ୍‌ ମୁକାବିଲା ପାଇଁ ସରକାର ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଘୋଷଣା କରିଥିବା ଏମାନେ ସବୁ ନିୟମକୁ ମୋଡ଼ି ମକଚି ନାଚଗୀତରେ ମସଗୁଲ୍‌ ଥିଲେ। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ ସେମାନେ ପୁଲିସ୍‌ ସହ ଦୀର୍ଘ ସମୟ ଧରି ଯୁକ୍ତିତର୍କ କରିଥିଲେ। ତେଣୁ ପୁଲିସ୍‌ ସେମାନଙ୍କୁ ପାର୍ଟି ବନ୍ଦ କରିବା ପାଇଁ ଅନୁରୋଧ କରି ମାତ୍ର ୬ଜଣଙ୍କ ନାଁରେ ୭୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରି ଘଟଣାସ୍ଥଳରୁ ପଳାଇ ଆସିଥିଲା। ବଡ଼ କଥା ହେଲା, ଯେଉଁ ପ୍ରତିଷ୍ଠିତ ବ୍ୟକ୍ତିମାନେ ନିୟମ ଉଲ୍ଲଙ୍ଘନ କରିଥିଲେ, ପୁଲିସ ସେମାନଙ୍କ ନାଁରେ ଜରିମାନା ଆଦାୟ କରିନଥିଲା। ବରଂ କେତେକ ଜାଲ୍ ନାଁ ଓ ଡ୍ରାଇଭରଙ୍କ ନାଁରେ ଜରିମାନା ଆଦାୟ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe