Image Source: Hindustan Times
ଭୁବନେଶ୍ବର : ଦୀର୍ଘ ଅଢ଼େଇ ବର୍ଷ ହେଲା ଓଡ଼ିଶା ରିଅଲ ଇଷ୍ଟେଟ୍ ରେଗୁଲେଟୋରି ଅଥରିଟି (ଓରେରା) କାର୍ଯ୍ୟକ୍ଷମ ହୋଇଥିଲେ ହେଁ ଆଜି ପର୍ଯ୍ୟନ୍ତ ଓଡ଼ିଶା ରିଅଲ-ଇଷ୍ଟେଟ୍ ଆପିଲିଏଟ୍ ଟ୍ରିବ୍ୟୁନାଲ (ଓରିଏଟ୍) କାର୍ଯ୍ୟକ୍ଷମ ହୋଇପାରିନି। ଫଳରେ ଓରେରାର ରାୟରେ ସନ୍ତୁଷ୍ଟ ହେଉ ନ ଥିବା ଲୋକମାନେ ଏବେ ବି ନ୍ୟାୟ ପାଉନାହାନ୍ତି। ରାଜ୍ୟ ସରକାର ଓଡ଼ିଶା ରିଅଲ-ଇେଷ୍ଟଟ୍ ଆପିଲିଏଟ୍ ଟ୍ରିବ୍ୟୁନାଲ ପାଇଁ ଅଧ୍ୟକ୍ଷଙ୍କ ସମେତ ଦୁଇଜଣ ସଦସ୍ୟଙ୍କୁ ନିଯୁକ୍ତି ଦେଇଥିଲେ ମଧ୍ୟ ଅଫିସ ଘର ନ ଥିବାରୁ ଟ୍ରିବ୍ୟୁନାଲ୍ କାମ କରୁନି।
ଓରେରାରେ ପ୍ରାୟ ୭୦୦ ଅଭିଯୋଗ ହୋଇଥିବା ବେଳେ ଏଥିରୁ ପ୍ରାୟ ୩୦ଜଣ ଓରେରା ଦେଇଥିବା ରାୟରେ ସନ୍ତୁଷ୍ଟ ନାହାନ୍ତି। ସେମାନେ ଓରିଏଟ୍ରେ ଆବେଦନ କରିବାକୁ ସମୟ ନେଇଛନ୍ତି। ହେଲେ ଟ୍ରିବ୍ୟୁନାଲ ଅଫିସ ନ ଥିବାରୁ ଟ୍ରିବ୍ୟୁନାଲ ଶୁଣାଣି କରିପାରୁନି।
୨୦୧୭ ମେ’ ପହିଲାରେ ଓରେରା ଗଠନ ହୋଇଥିବା ବେଳେ ନିୟମ ଅନୁଯାୟୀ, ଓରିଏଟ୍ ଏହାସହିତ ଗଠନ ହେବା କଥା। କିନ୍ତୁ ରାଜ୍ୟ ସରକାର ଏହି ଟ୍ରିବ୍ୟୁନାଲ ଗଠନ ନ କରି ସେଲ୍ ଟ୍ୟାକ୍ସ ଟ୍ରିବ୍ୟୁନାଲରେ ମାମଲାର ଶୁଣାଣି କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଏହି ଟ୍ରିବ୍ୟୁନାଲରେ ମାମଲା ଶୁଣାଣି ହେଲାନି। ୨୦୧୯ ଫେବ୍ରୁଆରିରେ ରାଜ୍ୟ ସରକାର ଓଡ଼ିଶା ରିଅଲଇଷ୍ଟେଟ୍ ଆପିଲିଏଟ୍ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଭାବେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ସୁବାସ ଚନ୍ଦ୍ର ପରିଜାଙ୍କୁ ନିଯୁକ୍ତି ଦେଲେ। ହେଲେ କେବଳ ଅଧ୍ୟକ୍ଷରେ ମାମଲାର ଶୁଣାଣି ହେବା ସମ୍ଭବ ନ ଥିବାରୁ ସେପ୍ଟେମ୍ବର, ୨୦୧୯ରେ ରାଜ୍ୟ ସରକାର ଟ୍ରିବ୍ୟୁନାଲର ଦୁଇ ଜଣ ସଦସ୍ୟଙ୍କୁ ନିଯୁକ୍ତି ଦେଲେ। ସେପ୍ଟେମ୍ବର ୧ରେ ବୈଷୟିକ ସଦସ୍ୟ ଭାବେ ମଳୟ କୁମାର ଚାଟାର୍ଜୀ ଏବଂ ନ୍ୟାୟିକ ସଦସ୍ୟ ଭାବେ ଈଶାନ କୁମାର ଦାସଙ୍କୁ ନିଯୁକ୍ତି ଦେଲେ। କିନ୍ତୁ କାର୍ଯ୍ୟାଳୟ ନ ଥିବାରୁ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଓ ସଦସ୍ୟ ଦରମା ନେଇ ଘରେ ବସିଲେ। କିନ୍ତୁ ଲୋକଙ୍କ ଅଭିଯୋଗ ଶୁଣାଣି ହେଲାନି।
ଦିନକୁ ଦିନ ଅଭିଯୋଗ ବଢ଼ି ଚାଲିଥିବାରୁ ଏବଂ ହାଇକୋର୍ଟ ତୁରନ୍ତ କାର୍ଯ୍ୟାଳୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେବା ପରେ ରାଜ୍ୟ ସରକାର ତୋଷାଳି ଭବନର ୭ମ ମହଲାର ଏ-୧ ବ୍ଲକରେ ଟ୍ରିବ୍ୟୁନାଲ କାର୍ଯ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ହେଲେ ଏଠାରେ ଅଫିସ ପାଇଁ ଆବଶ୍ୟକ ଭିତ୍ତିଭୂମି ନ ଥିବାରୁ ଏବେ ଫର୍ଚୁନ୍ ଟାୱାରର ୪ର୍ଥ ମହଲାରେ ଟ୍ରିବ୍ୟୁନାଲ କାର୍ଯ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ହୋଇଛି।
ନିଷ୍ପତ୍ତି ଅନୁଯାୟୀ, ଓଡ଼ିଶା ରିଅଲ-ଇଷ୍ଟେଟ୍ ଆପିଲିଏଟ୍ ଟ୍ରିବ୍ୟୁନାଲ ଏବେ ଫର୍ଚୁନ୍ ଟାୱାରରେ କାର୍ଯ୍ୟକ୍ଷମ ହେବ। ଏଠାରେ ଅଫିସ ଚାଲିବା ପାଇଁ ଆବଶ୍ୟକ କର୍ମଚାରୀ ଖୁବ୍ ଶୀଘ୍ର ନିଯୁକ୍ତି ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ୧୭ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ। ଏହାବାଦ୍ ୧୦ଜଣ ଗ୍ରୁପ୍-ଡି କର୍ମଚାରୀ ନିଯୁକ୍ତି ପାଇବେ। ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ବାକି ୮ଟି ପଦ ପାଇଁ ନିଯୁକ୍ତି ଦିଆଯିବ। ଏହି ସବୁ ପଦରେ ଆବଶ୍ୟକସ୍ଥଳେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦିଆଯିବ। ସେହିପରି ଟ୍ରିବ୍ୟୁନାଲ୍ ଏହି ୩୫ଟି ପଦ ବାଦ୍ ଆଉ ୩୧ଟି ପଦ ସୃଷ୍ଟି କରିବାକୁ କହିଛନ୍ତି। ରାଜ୍ୟ ସରକାର ତୁରନ୍ତ ଏହି ପଦରେ ନିଯୁକ୍ତି ଦେଇ ଟ୍ରିବ୍ୟୁନାଲକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ନେଇଛନ୍ତି।
Follow Us