ପରିବେଶ ସଜାଡ଼ୁଛି ‘ଉସି’

Advertisment

୧୧ ସଂକଳ୍ପ ନେଇ କାମ କରୁଛନ୍ତି

୧୧ ସଂକଳ୍ପ ନେଇ କାମ କରୁଛନ୍ତି

ପରିବେଶ ସଜାଡ଼ୁଛି ‘ଉସି’

ବଦଳୁଥିବା ପାଣିପାଗ, ପରିବେଶକୁ ନେଇ ସମସ୍ତେ ଚିନ୍ତା ପ୍ରକଟ କରୁଥିବାବେଳେ ଏବେ ଏହାର ସ୍ଥାୟୀ ସମାଧାନ ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜଧାନୀର କିଛି ଯୁବବର୍ଗ। ପାଠପଢ଼ା, କର୍ମମୟ ଜୀବନ ସହ ଯେପରି ପରିବେଶର ସନ୍ତୁଳନ ଠିକ୍ ରହିବ, ଅଧିକରୁ ଅଧିକ ସବୁଜିମା ସୃଷ୍ଟି ହେବ, ପ୍ରଦୂଷଣ କମିବ ସେଥିପାଇଁ କାମ କରିଚାଲିଛନ୍ତି। ଏବେ ଯଦିଓ ପରିଶ୍ରମର ଫଳ ମିଳିନି। କିନ୍ତୁ ଆଶା ଅଛି ଦିନେ ନା ଦିନେ ତାଙ୍କ ପରିଶ୍ରମର ଫଳ ରାଜ୍ୟବାସୀ ପାଇବେ। ଆଜି ଯେଉଁ କିଛି ଲୋକଙ୍କୁ ସେମାନେ ସଚେତନ କରାଉଛନ୍ତି ଆସନ୍ତାକାଲି ସେମାନେ ଶହଶହ ଲୋକଙ୍କୁ ସଚେତନ କରାଇବେ। ସମସ୍ତେ ଯେପରି କର୍ମମୟ ଜୀବନ ଭିତରେ ପରିବେଶ ପାଇଁ କିଛି ସମୟ ଚିନ୍ତା କରିବେ ସେଥିପାଇଁ ରାଜଧାନୀର କିଛି ଯୁବବର୍ଗ ଏକାଠି ହୋଇ ଗଠନ କରିଛନ୍ତି ‘ୟୁନାଇଟେଡ୍ ଫର୍ ସୋସିଆଲ୍‌ ଇଣ୍ଟରେଷ୍ଟ (ଉସି) ଫାଉଣ୍ଡେସନ୍’।

୨୦୧୧ ମସିହାରେ ଉତ୍କଳ ବିଶ୍ବବିଦ୍ୟାଳୟ ଓ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟର କିଛି ଛାତ୍ରଛାତ୍ରୀ ମିଶି ଉସି ଫାଉଣ୍ଡେସନ୍‌ ଗଠନ କରିଥିଲେ। ପ୍ରଥମେ ସଂଗଠନର ଲକ୍ଷ୍ୟ ଥିଲା ଅସହାୟ ଓ ଅନାଥ ପିଲାଙ୍କୁ ସାହାଯ୍ୟ କରିବା। ଏନେଇ ବି କିଛି କାମ କଲେ। କିନ୍ତୁ ୨୦୧୨ରୁ ମୁଣ୍ଡରେ ପଶିଲା ପରିବେଶ ପାଇଁ କିଛି କାମ କରିବାର ଜୋସ୍‌। ଏହାପରେ ତାରିଣୀ ପ୍ରସାଦ ସାହୁ, ଉପେନ୍ଦ୍ର ବେହେରା, ପ୍ରତୀକ୍ଷା ମିଶ୍ର, ରଶ୍ମିରେଖା ସାହୁ ପ୍ରମୁଖ ଏକାଠି ହୋଇ ପାଠପଢ଼ା ସହ କିଛି କିଛି କାମ କଲେ। ବିଭିନ୍ନ ସ୍ଥାନରେ ଗଛ ଲଗାଇବା ସହ, ଶବ୍ଦ ପ୍ରଦୂଷଣ କିପରି କମିବ, ବାୟୁ ପ୍ରଦୂଷଣ କିପରି କମିବ ସେ ନେଇ ବୁଲିବୁଲି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କଲେ।

ଏଥିପାଇଁ ଅନୁଷ୍ଠାନରେ ଥିବା ପ୍ରାୟ ୫୦ରୁ ଅଧିକ ସଦସ୍ୟ ୧୧ଟି ସଂକଳ୍ପ ନେଲେ। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବେ। ଯେମିତି ମୁଁ ଗଛ ଲଗାଇବି, ବିଦ୍ୟୁତ ନଷ୍ଟ କରିବିନି, ନଦୀ ପ୍ରଦୂଷଣ କରିବିନି, ଅଳ୍ପ ବାଟ ଯିବାକୁ ଥିବାବେଳେ ଗାଡ଼ି ବ୍ୟବହାର କରିବିନି, ପଶୁମାନଙ୍କ ପ୍ରତି ଦୟାଳୁ ହେବି, ଅଳ୍ପ ପାଣି ବ୍ୟବହାର କରି ଜଳ ସଂରକ୍ଷଣ କରିବି, ପଲିଥିନ୍ ବ୍ୟାଗ୍ ବ୍ୟବହାରକୁ ପ୍ରୋତ୍ସାହନ ଦେବିନି, ଡଷ୍ଟବିନ୍ ବ୍ୟବହାରକୁ ଉତ୍ସାହିତ କରିବି, ପାଣି ବୋତଲ କିଣିକି ପିଇବିନି, ବୁଲା ପଶୁପକ୍ଷୀଙ୍କ ପାଇଁ ପାଣି ରଖିବି, କମ୍‌ ଆବର୍ଜନା ସୃଷ୍ଟି କରିବି। ଗତ ୭ ବର୍ଷ ମଧ୍ୟରେ ସଂଗଠନ ବହୁତ କିଛି କାମ କଲାଣି। ଲେଖକ ବନୋଜ ତ୍ରିପାଠୀ ସଂଗଠନର ଅଧ୍ୟକ୍ଷ ଥିବାବେଳେ ୫୦ରୁ ଅଧିକ ସଦସ୍ୟ ଏକାଠି ହୋଇ କାମ କରୁଛନ୍ତି। ଏବେ ଲକ୍ଷ୍ୟ ବାତ୍ୟାରେ ଉଜୁଡ଼ି ପଡ଼ିଥିବା ସବୁଜିମାକୁ ଉଦ୍ଧାର କରିବେ। ଆଗାମୀ ବର୍ଷା ଋତୁରେ ପୁରୀ, ଭୁବନେଶ୍ବରରେ ହଜାର ହଜାର ଗଛ ଲଗାଇବେ। କେବଳ ଏତିକି ନୁହେଁ ପ୍ରଦୂଷଣରେ ରୁନ୍ଧି ହୋଇଯାଇଥିବା ଢେଙ୍କାନାଳ, ଅନୁଗୁଳ ଓ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାପକ ବୃକ୍ଷରୋପଣ କରିବାକୁ ବି ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe