ଯୁବକଙ୍କ ଜୀବନ ନେଇଗଲା ବେପରୁଆ ଗାଡ଼ିଚାଳନା: ସିଆର୍‌ପି ଫ୍ଲାଇଓଭର ଉପରେ ସ୍କୁଟିକୁ ଧକ୍କା ଦେଲା କାର୍

କାର୍ ଭିତରେ ମଦ ପିଇ ରୋମାନ୍ସ କରୁଥିଲେ ୪ ଯୁବକଯୁବତୀ, ଭଉଣୀ ପାଇଁ ବର ଦେଖିବାକୁ ସୁନ୍ଦରଗଡ଼ରୁ ଆସି‌ଥିଲେ ରାଜେଶ

ଯୁବକଙ୍କ ଜୀବନ ନେଇଗଲା ବେପରୁଆ ଗାଡ଼ିଚାଳନା: ସିଆର୍‌ପି ଫ୍ଲାଇଓଭର ଉପରେ ସ୍କୁଟିକୁ ଧକ୍କା ଦେଲା କାର୍

ଭୁବନେଶ୍ବର: ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧୨ଟା ୩୦। ରାଜଧାନୀର ସିଆର୍‌ପି ଫ୍ଲାଇଓଭର ଉପରେ ଦ୍ରୁତ ଗତିରେ ଯାଉଥାଏ ଏକ କାର୍। ଡିଜେ ମିଶା କାନଫଟା ଗୀତରେ କମ୍ପୁଥାଏ କାର୍‌। ଏପରିକି ବାହାରକୁ ବି ଶୁଭୁଥାଏ ଉଚ୍ଚ ସ୍ବର‌ର ମ୍ୟୁଜିକ୍। କାର୍‌ ଭିତରେ ମଦ ପିଇବା ସହ ରୋମାନ୍ସ କରୁଥାଆନ୍ତି ଦୁଇ ଯୋଡ଼ା ଯୁବକଯୁବତୀ।ବେପରୁଆ ଗାଡ଼ିଚାଳନା ସାଙ୍ଗକୁ ସେମାନଙ୍କ ହୋହଲ୍ଲାକୁ ଦେଖିଲେ କାର୍‌ଟି କେଉଁଠି ନା କେଉଁଠି ଦୁର୍ଘଟଣାଗ୍ରସ୍ତ ହେବ ବୋଲି ରାସ୍ତାରେ ଯାଉଥିବା ଲୋ‌କେ ଠଉରେଇ ସାରିଥାନ୍ତି। ହଠାତ୍ ଲୋକଙ୍କ ଆଶଙ୍କା ସତ ହୋଇଗଲା। କାର୍‌ଟି ଜଣେ ସ୍କୁଟିଚାଳକକୁ ପଛରୁ ଧକ୍କା ଦେବା ଯୋଗୁଁ ଘଟଣାସ୍ଥଳରେ ତାଙ୍କ ଜୀବନ ଚାଲିଗଲା। ମୃତ ସ୍କୁଟି ଚାଳକ ହେଲେ ସୁନ୍ଦରଗଡ଼ର ରାଜେଶ ସ୍ବାଇଁ(୩୫)। ନିଜ ଭଉଣୀର ବାହାଘର ପାଇଁ ବର ଦେଖିବାକୁ ସେ ଭିଏସ୍‌ଏସ୍‌ନଗର ଅଭିମୁଖେ ଯାଉଥିବା ବେଳେ ଏଭଳି ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହେଲେ।

ପଥଚାରୀ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ କାର୍‌ ଭିତରେ ଚାଳକକୁ ମିଶାଇ ମୋଟ ଚାରି ଜଣ ଯୁବକ, ଯୁବତୀ ଥିଲେ। ସେମାନେ ମଦ୍ୟପାନ କରିବା ସହିତ ଗାଡ଼ି ଚଳାଉଥିଲେ। ଫଳରେ ଗାଡ଼ି ମଝିରେ ମଝିରେ ନିୟନ୍ତ୍ରଣ ହରାଉଥିଲା। ଯେଉଁଥିପାଇଁ ଏହି ଦୁର୍ଘଟଣା ଘଟିଲା ଓ ସ୍କୁଟି ଚଳାଉଥିବା ଯୁବକଙ୍କ ମୃତ୍ୟୁ ଘଟିଲା। ନୂଆପଲ୍ଲୀ ପୁଲିସ ଦୁର୍ଘଟଣା ଘଟାଇଥିବା କାର୍‌କୁ ଜବତ କରିଥିବାବେଳେ କାର୍‌ରେ ଥିବା ସିକିମ୍ ଓ ଉତ୍ତରାଖଣ୍ଡର ଦୁଇ ଜଣ ଯୁବତୀ ଏବଂ ଦିଲ୍ଲୀ ଓ କେନ୍ଦ୍ରାପଡ଼ାର ଦୁଇଜଣ ଯୁବକଙ୍କୁ ଅଟକ ରଖିଛି। ମଦ୍ୟପାନ କରି କାର୍ ଚଳାଉଥିବା ଦିଲ୍ଲୀର ଅମିତ୍ ଗୋଏଲଙ୍କୁ ନୂଆପଲ୍ଲୀ ପୁଲିସ ଗିରଫ କରିଛି। ଏହା ସହିତ କାର୍‌ ଭିତରୁ ମଦ ବୋତଲ ମଧ୍ୟ ଜବତ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe