ସ୍ମୃତି ତାଜା କରୁଛି ସ୍ମୃତିବନ: ଲକ୍ଷ୍ୟ ଥିଲା ୧୧୫୦, ଲାଗିଲାଣି ୧୨୬୫ ଗଛ

ସହର ଉପକଣ୍ଠରେ ପ୍ରତିଷ୍ଠା ହେବ ଆଉ ଏକ ସ୍ମୃତିବନ, ଶିଳାଲେଖରେ ଶୋଭାପାଉଛି ପରିଜନଙ୍କ ନାଁ

ସ୍ମୃତି ତାଜା କରୁଛି ସ୍ମୃତିବନ: ଲକ୍ଷ୍ୟ ଥିଲା ୧୧୫୦, ଲାଗିଲାଣି ୧୨୬୫ ଗଛ

ଭୁ‌ବନେଶ୍ବର: ରାଜଧାନୀର ପରିବେଶ ସୁରକ୍ଷା ସହ ନିଜ ପୂର୍ବପୁରୁଷଙ୍କ ସ୍ମୃତିକୁ ବଜାୟ ରଖିବାକୁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସହର ଉପକଣ୍ଠରେ ସ୍ମୃତିବନ ପ୍ରତିଷ୍ଠା ହୋଇଛି। ନଗର ବନଖଣ୍ଡର ଭୁବନେଶ୍ବର ବନାଞ୍ଚଳ ଅଧୀନ ଭଗବାନପୁର ମୌଜାର ୧୭.୫ ଏକର ପରିମିତ ସ୍ଥାନରେ ୧୧୫୦ଟି ଗଛ ସହ ପ୍ରତି ଗଛ ପାଖରେ ପୂର୍ବପୁରୁଷଙ୍କ ନାମକରଣ ଥିବା ଏକ ପଥର ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। ୧୦ ବର୍ଷ ପୂରଣ କରିବାକୁ ଯାଉଥିବା ଏହି ସ୍ମୃତିବନରେ ଏବେ ସୁଦ୍ଧା ୧୨୬୫ଜଣ ନିଜ ପିତା‌ମାତାଙ୍କ ସ୍ମୃତି‌ରେ ଗଛଟିଏ ଲଗାଇସାରିଲେଣି। ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଗଛ ଲଗାଯାଇଥିବାରୁ ସ୍ମୃତିବନ ପରିସରରେ ସ୍ଥାନାଭାବ ଦେଖାଯାଉଛି। ଫଳରେ ସ୍ମୃତି ରକ୍ଷାରେ ଗଛ ଲଗାଇବାକୁ ଆଗକୁ ଆସୁଥିବା ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି ହେବାକୁ ଯାଉଛି। ତେଣୁ ନିଜ ପ୍ରିୟଜନଙ୍କ ସ୍ମୃତିରେ ଗଛ ଲଗାଇବାକୁ ଲୋକଙ୍କ ମଧ୍ୟରେ ବଢ଼ୁଥିବା ଆଗ୍ରହକୁ ଦୃଷ୍ଟିରେ ରଖି ଆଉ ଏକ ସ୍ମୃତିବନ ତିଆରି କରିବାକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଆଜି ନଗର ବନଖଣ୍ଡ ଅଧିକାରୀ ଅଜିତ୍‌ କୁମାର ଶତପଥୀଙ୍କୁ ଦ୍ବିତୀୟ ସ୍ମୃତିବନ ପ୍ରତିଷ୍ଠା ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବାପା, ମା’ଙ୍କ ସ୍ମୃତିରେ ଗଛ ପୋତିଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ
ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଆଜି ତାଙ୍କ ବାପା ଓ ମା’ଙ୍କ ଉଦ୍ଦେଶ୍ୟରେ ସ୍ମୃତିବନ ପରିସରରେ ଦୁଇଟି ଗଛ ଲଗାଇଛନ୍ତି। ପରିବେଶକୁ ସୁରକ୍ଷା ଦେବା ପାଇଁ ସାରା ଦେଶରେ ଚାଲିଥିବା ‘ମା’ ପାଇଁ ଗଛଟିଏ’ ଅଭିଯାନରେ ଶ୍ରୀ ସାହୁ ଏଭଳି ପ୍ରୟାସ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପିସିସିଏଫ୍‌(ବନ୍ୟପ୍ରାଣୀ) ସୁଶାନ୍ତ କୁମାର ନନ୍ଦ, ସ୍ବତନ୍ତ୍ର ସଚିବ ଲିଙ୍ଗରାଜ ଓତା ପ୍ରମୁଖ ଉପସ୍ଥିତ ଥିଲେ।

ସ୍ମୃତିବନ ଏବେ ଦୁଇଟି ଭାଗରେ ବିଭକ୍ତ ହୋଇଛି। ଗୋଟିଏ ସ୍ମୃତି ବାଟିକା ହୋଇଥିବା ବେଳେ ଅନ୍ୟଟି ଶ୍ରଦ୍ଧା ବାଟିକା। ଜଣେ ବ୍ୟକ୍ତି ନିଜର ପରଲୋକଗତ ପ୍ରିୟଜନଙ୍କ ସ୍ମୃତିରେ ସ୍ମୃତି ବାଟିକାରେ ଗଛ ଲଗାଇପାରିବେ। ସେହିପରି ନିଜର କୌଣସି ସ୍ମରଣୀୟ ଦିନକୁ (ଯଥା ନିଜର କିମ୍ବା ପ୍ରିୟଜନଙ୍କ ଜନ୍ମଦିନ, ବିବାହ ବାର୍ଷିକୀ, କାର୍ଯ୍ୟାଳୟ ପ୍ରତିଷ୍ଠା ଦିବସ କିମ୍ବା ସେଭଳି କୌଣସି ସ୍ମରଣୀୟ ଦିନ) ଅଧିକ ସ୍ମରଣୀୟ କରିବାକୁ ଶ୍ରଦ୍ଧା ବାଟିକାରେ ଗଛ ଲଗାଇବେ। ଏଥିପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସ୍ମୃତିବନ କାର୍ଯ୍ୟାଳୟରେ ଉପଲବ୍ଧ ଫର୍ମ ପୂରଣ କରି ୮ ହଜାର ଟଙ୍କାର ଡ୍ରାଫ୍ଟ୍ ଦାଖଲ କରିବାକୁ ପଡ଼ିବ। ସ୍ମୃତିବନର ସୌନ୍ଦର୍ଯ୍ୟ ରକ୍ଷା ତଥା ସନ୍ତୁଳନ ରକ୍ଷା କରିବାକୁ ୪ ପ୍ରକାର ଯଥା ଅଶୋକ, ନିମ୍ବ, ରକ୍ତଚନ୍ଦନ ଓ ବଉଳ ଗଛ ଲଗାଇବାକୁ ଅନୁମତି ଦିଆଯିବ। ଏହି ୪ ପ୍ରକାର ଗଛ ମଧ୍ୟରୁ କେଉଁ ଗଛଟି ଲଗାଇବାକୁ ଚାହୁଛନ୍ତି ଏବଂ ସ୍ମୃତି ଫଳକରେ କ’ଣ ଲେଖିବାକୁ ଚାହୁଁଛନ୍ତି ସେ ସମସ୍ତ ତଥ୍ୟ ଫର୍ମରେ ପୂରଣ କରିବେ। ସ୍ମୃତିବନ କର୍ତ୍ତୃପକ୍ଷ ଗଛ ଓ ଲିଖିତ ସ୍ମୃତି ଫଳକ ଯୋଗାଇଦେବେ। ଯେଉଁଦିନ ଏହି ଫଳକ ଲଗାଇବାକୁ ଚାହୁଛନ୍ତି, ତାହାର ୮/୧୦ ଦିନ ପୂର୍ବରୁ ଫର୍ମ ପୂରଣ କରି ଡିମାଣ୍ଡ ଡ୍ରାଫ୍ଟ୍ ସହିତ ଦାଖଲ କଲେ, ନିର୍ଦ୍ଦିଷ୍ଟ ଦିନରେ ପହଞ୍ଚି ଚାରା ଓ ଫଳକ ଲଗେଇବେ।

ନଗର ଡିଏଫ୍‌ଓ ଶ୍ରୀ ଶଥପଥୀ କହିଛନ୍ତି ଯେ ସ୍ମୃତିବନ ପ୍ରତି ଲୋକଙ୍କ ଆଗ୍ରହ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯେଉଁମାନେ ଏଠାରେ ଗଛ ଲଗାଉଛନ୍ତି ସେମାନଙ୍କୁ ସ୍ମୃତିବନରେ ଆସି ସମୟ ବିତାଇବାକୁ ଅନୁମତି ରହିଛି। ଏହାବ୍ୟତୀତ ସ୍କୁଲଗୁଡ଼ିକ ମଧ୍ୟ ବନ ବିଭାଗରୁ ଅନୁମତି ଆଣି ପିଲାଙ୍କୁ ଏହା ଭିତରେ ବୁଲାଉଛନ୍ତି। ଆଉ ଏକ ସ୍ମୃତିବନ ନିର୍ମାଣ କରିବାକୁ ନିର୍ଦ୍ଦେଶ ଆସିଛି। ମାତ୍ର ଏବେ ସୁଦ୍ଧା ସ୍ଥାନ ଚିହ୍ନଟ କରାଯାଇ ନାହିଁ। ଖୁବ୍‌ଶୀଘ୍ର ସହର ଉପକଣ୍ଠରେ ଏକ ସ୍ଥାନ ଚିହ୍ନଟ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe