ରେଫ୍ରିଜରେଟର୍‌ ବିସ୍ଫୋରଣରେ ଜଳିଗଲା ଘର, ବର୍ତ୍ତିଗଲା ପରିବାର

Advertisment
ରେଫ୍ରିଜରେଟର୍‌ ବିସ୍ଫୋରଣରେ ଜଳିଗଲା ଘର, ବର୍ତ୍ତିଗଲା ପରିବାର

KWKT - FOX 44

ବାଲିପାଟଣା: ଆଜି ପୁଣି ଏକ ଭୟଙ୍କର ବିସ୍ଫୋରଣରେ ଥରିଉଠିଥିଲା ବନମାଳୀପୁର। ପୁଣି କୌଣସି ବାଣ କାରଖାନାରେ ବିସ୍ଫୋରଣ ହେଲା ବୋଲି ସ୍ଥାନୀୟ ଲୋକେ ଭାବିଥିଲେ। କିନ୍ତୁ ଏଥର ବା‌ଣ କାରଖାନାରେ ନୁହେଁ, ବି‌ସ୍ଫୋରଣ ହୋଇଥିଲା ଏକ ରେ‌ଫ୍ରିଜରେଟର। ସର୍ଟସର୍କିଟ୍‌ ଯୋଗୁ ଏକ ରେଫ୍ରିଜରେଟର ଜଳିଯାଇ ଏଭଳି ଅଘଟଣ ଘଟିଥିଲା। ବନମାଳୀପୁର ଦିୱାନ୍‌ପାଟଣା ମଠସାହିର ବୃନ୍ଦାବନ ସାହୁଙ୍କ ଘରେ ଏହି ଅଘଟଣ ଘଟିଥିଲା। ଏହି ବିସ୍ଫୋରଣ ଫଳରେ ଘରର ଆଜ୍‌ବେଷ୍ଟସ୍‌ ଭାଙ୍ଗି ଛିନ୍ନଛତ୍ର ହୋଇଯିବା ସହ ଭିତରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ି ନଷ୍ଟ ହୋଇଯାଇଛି। ତେବେ ସୌଭାଗ୍ୟବଶତଃ ପରିବାରର ୨୦ରୁ ଅଧିକ ସଦସ୍ୟଙ୍କର କୌଣସି କ୍ଷତି ହୋଇନାହିଁ। ପରିବାର ଲୋକଙ୍କ ସୂଚନାନୁସାରେ ଆଜି ମଧ୍ୟାହ୍ନରେ ଲାଇନ୍‌ କଟିଥିଲା ଏବଂ ଅପରାହ୍ଣ ପ୍ରାୟ ୨ ଟା ବେଳେ ଲାଇନ୍‌ ଆସିଥିଲା।

ଲାଇନ୍‌ ଆସିବା ପରେପରେ ହଠାତ୍‌ ଘର ଭିତରେ ତାର ଜଳି ପ୍ରବଳ ଧୂଆଁ ବାହାରିଥିଲା। ଚାହୁଁ ଚାହୁଁ ଘର ସାରା ଧୂଆଁ ଖେଳି ଯାଇଥିଲା। ପରିବାର ଲୋକେ ଭୟରେ ପିଲାଛୁଆଙ୍କୁ ଧରି ବାହାରକୁ ଚାଲି ଯାଇଥିଲେ। କିଛି କ୍ଷଣ ମଧ୍ୟରେ ଘର ଭିତରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ୩/୪ ଥର ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଆଖି ଖୋଲିବା ବେଳକୁ ଘରର ଆଜ୍‌ବେଷ୍ଟସ୍‌ ଛାତ ଭାଙ୍ଗି ଏଣେତେଣେ ଛିଟିକି ପଡ଼ିଥିଲା। ଘର ଭିତରୁ ଆହୁରି ବେଶି ଧୂଆଁ ବାହାରୁଥିଲା ଏବଂ ଭିତରେ ହୁତୁହୁତୁ ହୋଇ ନିଆଁ ଜଳୁଥିଲା। ପ୍ରଚଣ୍ଡ ଶବ୍ଦ ଶୁଣି ଆଖପାଖର ଲୋକମାନେ ସେଠାକୁ ଧାଇଁ ଆସିଥିଲେ। ଏମିତିକି ପାଖ ଗାଁରୁ ଲୋକମାନେ ସେଠାକୁ ଛୁଟିଥିଲେ। ପୁଣି ଏକ ବାଣ ବିସ୍ଫୋରଣ ହେଲା ବୋଲି ଭାବି ପାଖ ଗାଁର ଲୋକେ ସେଠାରେ ପହଞ୍ଚିଥିଲେ। ପରେ ଜଣାଗଲା ଯେ ରେଫ୍ରିଜରେଟର୍‌ର କମ୍ପ୍ରେସର ବିସ୍ଫୋରଣ ହୋଇଛି। ଅଗ୍ନିଶମ ବାହିନୀ ନିଆଁକୁ ନିୟନ୍ତ୍ରଣ କଲା ବେଳକୁ ଘରର କବାଟ, ଆସବାବପତ୍ର, ବିଭିନ୍ନ ବୈଦ୍ୟୁତିକ ଉପକରଣ, ଲୁଗାପଟା ଇତ୍ୟାଦି ସବୁ ଜଳିଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe