The New Indian Express
ଭୁବନେଶ୍ବର : ଭୁବନେଶ୍ବର ଏମ୍ସରେ ଓପିଡି ଖୋଲିଛି। ମାତ୍ର ପୂର୍ବରୁ ୧୫ଟି କାଉଣ୍ଟର୍ରେ ପଞ୍ଜୀକରଣ ହୋଇ ଟିକେଟ୍ ଦିଆଯାଉଥିବା ବେଳେ ବର୍ତ୍ତମାନ କେବଳ ୬ଟି କାଉଣ୍ଟର୍ ଖୋଲା ଅଛି। ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ୧୦ ପ୍ରତିଶତ ରୋଗୀ ଅନଲାଇନ୍ରେ ପଞ୍ଜୀକୃତ ହୋଇପାରୁଛନ୍ତି। ଏହାର ଲାଭ ଉଠାଇବା ପାଇଁ ଏମ୍ସ କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି। ପଞ୍ଜୀକରଣ ପୂର୍ବରୁ ସରକାରୀ ପରୀକ୍ଷାଗାରରୁ ଅନ୍ୟୁନ ୭୨ଘଣ୍ଟା ପୂର୍ବରୁ କରାଯାଇଥିବା ଆର୍ଟିପିସିଆର୍ ଟେଷ୍ଟର କୋଭିଡ୍ ନେଗେଟିଭ ରିପୋର୍ଟ ସାଙ୍ଗରେ ଆଣି ଆସିବାକୁ କୁହାଯାଉଛି। ୨୮ ତାରିଖରେ ଏମ୍ସ ଓପିଡି ଖୋଲିବା ପରେ ପ୍ରତିଦିନ ପ୍ରାୟ ଏକ ହଜାରରୁ ଊର୍ଧ୍ବ ନୂଆ ରୋଗୀ ଚିକିତ୍ସା ସଂକ୍ରାନ୍ତରେ ପଞ୍ଜୀକରଣ ପାଇଁ ଧାଡ଼ି ଲଗାଉଛନ୍ତି। ଏଥିପାଇଁ ବିଳମ୍ବିତ ରାତିରୁ ରୋଗୀ ଏବଂ ସମ୍ପର୍କୀୟ ପହଞ୍ଚୁଛନ୍ତି। ଭୋର୍ରୁ ପଞ୍ଜୀକରଣ ପାଇଁ ଧାଡ଼ି ଆରମ୍ଭ ହେଉଛି। ସକାଳ ସାଢ଼େ ୭ଟାରୁ ସାଢ଼େ ୧୧ ଏବଂ ଶନିବାର ସକାଳ ସାଢ଼େ ୭ଟାରୁ ସାଢ଼େ ୧୦ଟା ମଧ୍ୟରେ ପଞ୍ଜୀକରଣ ହେଉଛି। କରୋନା ଦୃଷ୍ଟିକୋଣରୁ ବର୍ତ୍ତମାନ ରୋଗୀଙ୍କ ସଂଖ୍ୟା ଉପରେ କଟକଣା ଲାଗିଛି। ଅଧିକ ସଂଖ୍ୟକ ଡାକ୍ତର ଥିବା ବିଭାଗରେ ୨୫୦ରୁ କମ୍ ସଂଖ୍ୟକ ଡାକ୍ତର ଥିବା ବିଭାଗରେ ୩୦ରୁ ୪୦ ରୋଗୀ ପଞ୍ଜୀକୃତ ହେଉଛନ୍ତି। ଏହାସହ ପୁରୁଣା ଏବଂ ଜରୁରୀକାଳୀନ ରୋଗୀଙ୍କ ସଂଖ୍ୟା ମଧ୍ୟ ଲାଗି ରହୁଛି। ଆଗାମୀ ଦିନରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେବ। ତେଣୁ ଅଧିକ କାଉଣ୍ଟର୍ ଖୋଲିବାରେ ଏମ୍ସ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।
Follow Us