ବାଳକାଟି ଦୈନିକ ହାଟ ଆରମ୍ଭ: ଅଧିକାରୀ ଯିବା ପରେ ଚଢ଼ା ଦରରେ ଆଳୁ, ପିଆଜ ବିକ୍ରି

ବାଳକାଟି ଦୈନିକ ହାଟ ଆରମ୍ଭ: ଅଧିକାରୀ ଯିବା ପରେ ଚଢ଼ା ଦରରେ ଆଳୁ, ପିଆଜ ବିକ୍ରି

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ବାଳକାଟିରେ ଆଜି ଠାରୁ ଦୈନିକ ହାଟର ଶୁଭାରମ୍ଭ ହୋଇଛି। ଏହି ଅବସରରେ ଭୁବନେଶ୍ବର ଉପଜିଲ୍ଲାପାଳ ଦେବବ୍ରତ ସାହୁ, ବାଲିଅନ୍ତା ବିଡିଓ ଆଦିକନ୍ଦ ବେହେରା ଓ ସ୍ଥାନୀୟ ପ୍ରତାପଶାସନ ପଞ୍ଚାୟତର ସରପଞ୍ଚ ଭାଗ୍ୟଧର ନନ୍ଦୀ ପ୍ରମୁଖ ହାଟରେ ପହଞ୍ଚି ବ୍ୟବସାୟ କାର୍ଯ୍ୟ ତଦାରଖ କରିବା ସହ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ବ ଦେଇଥିଲେ। ତେବେ ସବୁଠାରୁ ବଡ଼ କଥା ହେଉଛି, ଉପଜିଲ୍ଲାପାଳ ଓ ବିଡିଓ ଚାଲିଯିବା ପରେ ହାଟରେ କିଛି ବ୍ୟବସାୟୀ ‌ସଂପୃକ୍ତ ଅଧିକାରୀଙ୍କ ନିର୍ଦ୍ଦେଶକୁ ବେଖାତିର କରି ଚଢ଼ା ଦରରେ ଆଳୁ ଓ ପିଆଜ ଦର ବଢ଼ାଇ ଦେଇଥିଲେ। ଦୋକାନ ସମ୍ମୁଖରେ ରେଟଚାର୍ଟ ବି ଲଗାଇନଥିବା ଦେଖାଯାଇଥିଲା। ଖୋର୍ଧା ଜିଲ୍ଲା ଦପ୍ତରରୁ ଗତକାଲି ୬/୪/୨୦୨୦ରେ ପରିପତ୍ର ସଂଖ୍ୟା ୨୩୪୨ରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଆଳୁର ପାଇକାରୀ ବଜାର ମୂଲ୍ୟ ୧୫ ଟଙ୍କା ଓ ଖୁଚୁରା ମୂଲ୍ୟ ସର୍ବାଧିକ ୧୯ ଟଙ୍କା ରହିଛି। ସେହିପରି ପିଆଜର ପାଇକାରୀ ମୂଲ୍ୟ ୨୪ ଟଙ୍କା ଓ ଖୁଚୁରା ବିକ୍ରି ମୂଲ୍ୟ ୨୯ ଟଙ୍କା ନିର୍ଦ୍ଧାରିତ ହୋଇଛି। ଚିଠିରେ ନୂଆ ରେଟ ଚାର୍ଟ ବିଜ୍ଞପ୍ତି ପ୍ରକାଶ ନ ପାଇବା ପର୍ଯ୍ୟନ୍ତ ଦରଦାମ ସ୍ଥିର ରହିବ ବୋଲି ମଧ୍ୟ ସ୍ପଷ୍ଟ ଉଲ୍ଲେଖ ହୋଇଛି। ସେହିପରି ଅନ୍ୟାନ୍ୟ ରାସନ ସାମଗ୍ରୀର ମୂଲ୍ୟ ମଧ୍ୟ ସ୍ଥିରୀକୃତ ହୋଇଛି। ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଦରଦାମ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ପ୍ରକାଶ ପାଇବା ସତ୍ବେ ବାଲିଅନ୍ତା ବ୍ଲକ ଅଞ୍ଚଳରେ ଅସାଧୁ ବ୍ୟବସାୟୀଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥିବା ପରିଲକ୍ଷିତ ହୋଇଛି। ବାଳକାଟି ହାଟରେ ଆଜି ଆଳୁ କିଲୋ ପିଛା ୨୫ ଟଙ୍କା ଓ ପିଆଜ ୩୫ ଟଙ୍କାରେ ବିକ୍ରି ହୋଇଥିବା ଜଣାଯାଇଛି। ମନୋଜ ମଣ୍ଡଳ ନାମକ ଜଣେ ଖାଉଟିଙ୍କ ସୂଚନାନୁସାରେ ଆଳୁ କିଲୋ ପିଛା ୨୫ ଟଙ୍କା ଓ ପିଆଜ କିଲୋ ପିଛା ୩୫ ଟଙ୍କା ଦେଇ କିଣିଥିବା କହିଛନ୍ତି। ସେହିପରି ହରଡ଼ଡାଲି କିଲୋ ପିଛା ପାଇକାରୀ ମୂଲ୍ୟ ୮୮ ଟଙ୍କା ଥିବା ବେଳେ ସଂପୃକ୍ତ ବ୍ୟବସାୟୀ ୧୧୦ ଟଙ୍କାରେ ବିକିଥିବା ସଂପର୍କରେ ସେ ବ୍ଲକ ଯୋଗାଣ ନିରୀକ୍ଷକଙ୍କୁ ଫୋନ କରି ଜଣାଇଥିବା ସୂଚନା ଦେଇଛନ୍ତି। ମାତ୍ର ବ୍ଲକ ପ୍ରଶାସନ ପକ୍ଷରୁ ସଂପୃକ୍ତ ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଆଉ କିଛି ଖାଉଟି ମଧ୍ୟ ସ୍ବର ଉଠାଇଥିଲେ। ସେହିପରି ସରକଣା ପଞ୍ଚାୟତର ଜଣେ ଖାଉଟିଙ୍କ କହିବାନୁଯାୟୀ ସେ ସରକଣା ଗ୍ରାମରୁ ଚଢ଼ାଦରରେ ସାମଗ୍ରୀ କିଣିଥିବା ଜଣାଇଛନ୍ତି।

ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ନିତିଦିନିଆ ହାଟ ଖୋଲିବା ସତ୍ବେ ସ୍ଥାନାଭାବ ଯୋଗୁଁ ବ୍ୟବସାୟୀଙ୍କ ମଧ୍ୟରେ ସାମାଜିକ ଦୂରତା ନଥିଲା। ‌ହାଟରେ ଗହଳି ଲାଗି ରହିଥିଲା। ଖାଉଟିମାନେ ବାଇକ୍‌ ନେଇ ହାଟକୁ ଯାଇଥିଲେ। ହାଟ ଭିତର ଏଭଳି ଗହଳି ହୋଇଥିଲା ଯେ ପୁଲିସ ହସ୍ତକ୍ଷେପ କରିବାକୁ ବାଧ୍ୟ ହୋଇଥିଲା। ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ହାଟ ଚାଲିବା ପାଇଁ ନିର୍ଦ୍ଦେଶ ଥିଲେ ହେଁ ସାଢ଼େ ୧୧ଟାରୁ ବନ୍ଦ କରି ଦିଆଯାଇଥିଲା। ଏହି ସମସ୍ୟା ଦୃଷ୍ଟିରୁ ଆସନ୍ତାକାଲି ଠାରୁ ହାଟ କଲେଜ ପଡ଼ିଆରେ ହେବ ବୋଲି ବିଡିଓ ଶ୍ରୀ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe