ବିରାଜିବେ ବିଘ୍ନରାଜ: ମେଲୋଡି ପାଇଁ ଜୋର୍‌ଦାର ଚାଲିଛି ରିହର୍ସାଲ୍‌

ଅଗ୍ରପୂଜ୍ୟଙ୍କ ଆଗମନର ସୂଚନା ସହ ପାର୍ବଣର ବିଗୁଲ ବାଜିସାରିଛି। ଲମ୍ବୋଦରଙ୍କ ସ୍ବାଗତ ପାଇଁ ଆଲୋକମାଳାରେ ସହର ଝଟକୁଛି। ତାଙ୍କ ଧରାବତରଣ ପାଇଁ ଶିକ୍ଷାନୁଷ୍ଠାନରୁ ଆରମ୍ଭ କରି କ୍ଲବ୍‌, ଦୋକାନ ବଜାର, ମନ୍ଦିର ଓ ଆବାସିକ କଲୋନି ସବୁ ଚଳଚଞ୍ଚଳ ହୋଇଉଠିଛି।

fhhsfhsfhf

ଭୁବନେଶ୍ବର: ଅଗ୍ରପୂଜ୍ୟଙ୍କ ଆଗମନର ସୂଚନା ସହ ପାର୍ବଣର ବିଗୁଲ ବାଜିସାରିଛି। ଲମ୍ବୋଦରଙ୍କ ସ୍ବାଗତ ପାଇଁ ଆଲୋକମାଳାରେ ସହର ଝଟକୁଛି। ତାଙ୍କ ଧରାବତରଣ ପାଇଁ ଶିକ୍ଷାନୁଷ୍ଠାନରୁ ଆରମ୍ଭ କରି କ୍ଲବ୍‌, ଦୋକାନ ବଜାର, ମନ୍ଦିର ଓ ଆବାସିକ କଲୋନି ସବୁ ଚଳଚଞ୍ଚଳ ହୋଇଉଠିଛି। ରଙ୍ଗିନ ଆଲୋକସଜ୍ଜା ସହ  ସୁନ୍ଦର ତୋରଣ ସହରର ଶୋଭାବର୍ଦ୍ଧନ କରୁଛନ୍ତି। ବେଶ୍‌ କିଛି ବର୍ଷ ହେଲା ଏହା ରାଜଧାନୀର ଏକ ଗଣପର୍ବରେ ପରିଣତ ହୋଇଛି। ତେଣୁ ସକାଳୁ ଆଉ ପୂଜାଦୋକାନୀଙ୍କୁ ଫୁରସତ୍‌ ନାହିଁ। ନିଜ ନିଜ ପୂଜାମଣ୍ଡପକୁ ଆକର୍ଷଣୀୟ ଭାବେ ସଜାଇବା ପାଇଁ ଯୁବପିଢ଼ି ପୂଜା ଓ ନିଆରା ସାଜସଜ୍ଜା ସାମଗ୍ରୀ କିଣି ନେଉଥିଲେ । ସେପଟେ ପୂଜା ପାଇଁ ମାର୍କେଟ ବିଲ୍ଡିଂ, ମଲ୍‌, ପୋଷାକ ଦୋକାନରେ ଥିଲା ଖଚାଖଚ୍‌ ଭିଡ଼।

ପାର୍ଲର, ମେହେନ୍ଦି ଆର୍ଟିଷ୍ଟ୍‌ଙ୍କୁ ବି ବେଳ ନଥିଲା। ଲଡୁ, ବୁନ୍ଦି ଓ ସେଉ ପାଇଁ ମିଠାଦୋକାନୀଙ୍କୁ ଆଗୁଆ ବରାଦ ସରିଥିଲା। ଅଗ୍ରପୂଜ୍ୟଙ୍କ ଆଗମନ ପାଇଁ ସହର ଚଳଚଞ୍ଚଳଥିବା ବେଳେ ଆଜି ଟ୍ରାଫିକ୍‌ ଜାମ୍‌ ସ୍ଥିତି ବି ନାକେଦମ୍‌ କରିଛି। ରାଜମହଲରୁ ଏଜି ଛକ ରାସ୍ତା ଅପରାହ୍ନରୁ ରାତି ପର୍ଯ୍ୟନ୍ତ ଭୀଷଣ ଭିଡ଼ ଥିଲା। ଏହି ଅଧକିଲୋମିଟର ରାସ୍ତା ଅତିକ୍ରମ କରିବାକୁ ଘଣ୍ଟାଏ ସମୟ ଲାଗିଯାଉଥିଲା। ଅନ୍ୟପଟେ ବୁଧବାରଠାରୁ ତିନିଦିନିଆ ସରକାରୀ ଛୁଟି ଥିବାରୁ ସହରିଆଙ୍କ ଘରେ ବନ୍ଧୁବାନ୍ଧବଙ୍କ ଭିଡ଼ ଜମିଲାଣି। ପାର୍ବତୀନନ୍ଦନଙ୍କ ଆଗମନର ପ୍ରସ୍ତୁତି ଆଜି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା କେବଳ ଏବେ ରାତି ପାହିବାକୁ ଅପେକ୍ଷା...।

ଭୁବନେଶ୍ବର, ୨୬/୮(ଇମିସ): ଗଣେଶ ପୂଜା ଆସିଲେ ଆରମ୍ଭ ହୋଇଯାଏ ମେଲୋଡି ଋତୁ। ସାଧାରଣତଃ ଗଣେଶ ପୂଜାରୁ କାର୍ତ୍ତିକ ପୂର୍ଣ୍ଣିମା ଯାଏ ମେଲୋଡି ବେଶ୍‌ ଚାହିଦାରେ ରହେ। ଏଥିପାଇଁ ସହରର ମେଲୋଡି ସଂସ୍ଥାଗୁଡ଼ିକ ଜୋର୍‌ସୋର୍‌ ପ୍ରସ୍ତୁତି କରନ୍ତି। ଯଦିଓ ବର୍ଷସାରା ମେଲୋଡିର ଚାହିଦା ଥାଏ, କିନ୍ତୁ ପାର୍ବଣ ଋତୁରେ ମେଲୋଡି କଳାକାର ଭଲ ରୋଜଗାର କରନ୍ତି। ଏବେଠାରୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆରମ୍ଭ ହୋଇଗଲାଣି ‌ବୁକିଂ। ମେଲୋଡି କଳାକାରମାନେ ମଧ୍ୟ ରିହର୍ସାଲ ଆରମ୍ଭ କରିଦେଲେଣି। କିଏ ସେଲିବ୍ରିଟି ସିଙ୍ଗରକୁ ଫୋକସ୍‌ କରୁଛନ୍ତି ତ କିଏ କମ୍‌ ଦାମ୍‌ରେ ଭଲ ସ୍ଥାନୀୟ ମେଲୋଡି ସଂସ୍ଥାକୁ ଆଗୁଆ ବୁକ୍‌ କରିସାରିଲେଣି। ଦିଲ୍‌ ବିଲେଇ ମ୍ୟାଉଁ ମ୍ୟାଉଁ..., ଗୋଟେ ବିଲି ଚମ୍ପା କଲ୍ଲି..., ଲାଲ୍‌ ଟହଟହ ଦେଇ ଗୋଲାପ.., ରସିଆ ମାଗୁଛି ଗେଲ..., ଏଥର ଫଗୁଣେ ବଜେଇବି ବାଜା..., ଲାଗେ ପ୍ରେମ ନଜର..., ଲାଜ୍‌କୁରି ଲତା ମୋ..., ହାଏରେ ମୋ ରାନୀ ଗୁରି... ଭଳି ଗୀତର ରିହର୍ସାଲରେ କମ୍ପିଲାଣି ମେଲୋଡି ଆଖଡ଼ାଘର। ଏଥିସହ ସେଲିବ୍ରିଟି କଣ୍ଠଶିଳ୍ପୀଙ୍କଠାରୁ ଆରମ୍ଭ କରି ଧାରାବାହିକ କଳାକାର ବି ନିଜକୁ ସଜ କରିଦେଲେଣି। କାରଣ ବର୍ଷକ ପରେ ପୁଣି ନୂଆ ଟ୍ରେଣ୍ଡ୍‌ର ମେଲୋଡିରେ ଦୁଲୁକିବ ପୂଜାମଣ୍ଡପ।

ଅଲ୍‌ ଓଡ଼ିଶା ମେଲୋଡି ଆସୋସିଏସନ୍‌ର ପୂର୍ବତନ ସମ୍ପାଦକ ବିକ୍ରମ କିଶୋର ମହାନ୍ତି କହିଛନ୍ତି, ରାଜ୍ୟରେ ସର୍ବମୋଟ୍‌ ୭୦ଟି ମେଲୋଡି ସଂସ୍ଥା ରହିଛି। ସେଥିମଧ୍ୟରୁ କେବଳ ରାଜଧାନୀରେ ୧୦ରୁ ୧୨ଟି ସଂସ୍ଥା ରହିଥିବା ବେଳେ କଟକରେ ପ୍ରାୟ ୪୦ଟି ମେଲୋଡି ସଂସ୍ଥା ରହିଛି। ଏହି ସଂସ୍ଥାମାନେ ସ୍ଥାନୀୟ ଅଞ୍ଚଳରେ ସୋ’ କଲେ, ୩ ଘଣ୍ଟାକୁ ଏବେ ୫୨ରୁ ୬୦ ହଜାର ପାରିଶ୍ରମିକ ନେଇଥା’ନ୍ତି। ପାର୍ବଣ ଋତୁରେ ଗୋଟିଏ ସଂସ୍ଥା ପ୍ରାୟ ୩୫ରୁ ୪୦ ସୋ’ କରି ପ୍ରାୟ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରିଥା’ନ୍ତି। କିନ୍ତୁ ଏଥର ଗଣେଶ ପୂଜାକୁ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ କହିଲାଣି। ଏହି ଲଘୁଚାପ ବର୍ଷା ଫଳରେ ଭୁବନେଶ୍ବର ଓ କଟକରେ ବର୍ଷା ଯୋଗୁ ମେଲୋଡି ମାନ୍ଦା ରହିବ ବୋଲି ଆଶଙ୍କା କରାଯାଉଛି। ପୁଣି ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବନ୍ୟା ସ୍ଥିତି ଯୋଗୁ ବି ମେଲୋଡି ମାନ୍ଦା ପଡ଼ିବ। ଏଣୁ ଏଥର ଯାହା ଆମର ଦୁର୍ଗା ପୂଜାକୁ ଭରସା ବୋଲି ସେ କହିଛନ୍ତି।

ଅନ୍ତରା, ସ୍ବୟଂ, ଦୀପ୍ତି ଓ ଇରାଙ୍କ ଡିମାଣ୍ଡ୍‌ ଅଧିକ
ମେଲୋଡି ଆସୋସିଏସନ୍‌ର ସମ୍ପାଦକ ଲୁଲୁ ମହାପାତ୍ର କହିଛନ୍ତି, ଅଗଷ୍ଟରୁ ନଭେମ୍ବର ଯାଏ ୩ ମାସ ଧରି ଆମର ଆୟ ଭଲ ହୋଇଥାଏ। ଗଣେଶ ପୂଜା ଆସିବାର ୧୫ଦିନ ପୂର୍ବରୁ ମେଲୋଡି ରିହର୍ସାଲ ଓ ପ୍ରସ୍ତୁତି ଆରମ୍ଭ ହୋଇଯାଏ। ପୂଜା ବଜାରରେ ସେଲିବ୍ରିଟି ସିଙ୍ଗର୍‌ଙ୍କ ଦବଦବା ଅଧିକ ଥାଏ। ଏଣୁ ସେମାନଙ୍କ ଅର୍କେଷ୍ଟ୍ରା ଗ୍ରୁପ୍‌ ଅଧିକ ଟଙ୍କା ନେଇଥା’ନ୍ତି। ସବୁଠାରୁ ଅଧିକ ଚାହିଦାରେ ରହିଛନ୍ତି, କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ଅସୀମା ପଣ୍ଡା, ସ୍ବୟମ୍‌ ପାଢ଼ୀ, ଦୀପ୍ତିରେଖା, ଇରା ମହାନ୍ତି ଓ ମଣ୍ଟୁ ଛୁରିଆ ଆଦି ସେଲିବ୍ରିଟି ସିଙ୍ଗର୍‌। ‌ତାଙ୍କ ଅର୍କେଷ୍ଟ୍ରା ଗ୍ରୁପ୍‌ ଗୋଟିଏ ସୋ’କୁ ୨ରୁ ଅଢ଼େଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଉଛନ୍ତି। ପଛକୁ ପଛ ରହିଛନ୍ତି ଗୀତ୍‌ ସାଗର୍‌, ଗୀତ୍‌ ମିଲନ୍‌, ସୁର୍‌ ତରଙ୍ଗ ଓ ସଙ୍ଗୀତ ସଂଧ୍ୟା ଭଳି ମେଲୋଡି ଗ୍ରୁପ୍‌। ସେହିଭଳି ସମ୍ବଲପୁରୀ କଣ୍ଠଶିଳ୍ପୀଙ୍କର ବି ସ୍ବତନ୍ତ୍ର ଡିମାଣ୍ଡ୍‌ ରହିଛି। ରୁକୁ ସୁନାଙ୍କ ଭଳି ସମ୍ବଲପୁରୀ କଣ୍ଠଶିଳ୍ପୀ ପୂଜା ବଜାରରେ ଛାଇଯାଆନ୍ତି। ଏଥିସହ ଭଜନ ଦଳଗୁଡ଼ିକର ବି ସ୍ବତନ୍ତ୍ର ଡିମାଣ୍ଡ୍‌ ରହିଥାଏ। ଖାଲି ସେତିକି ନୁହେଁ, ପୂଜା ବଜାରରେ ହାସ୍ୟାଭିନେତା ପପୁ ପମ୍‌ପମ୍‌ ଓ ଧାରାବାହିକ ହିରୋ, ହିରୋଇନ୍‌ଙ୍କ ଡିମାଣ୍ଡ୍‌ ବି କିଛି କମ୍‌ ନୁହେଁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe