ବାଲିଅନ୍ତା: ସମଗ୍ର ବାଲିଅନ୍ତା ବ୍ଲକ ଅଞ୍ଚଳ ଜଳାର୍ଣ୍ଣବ ହୋଇପଡ଼ିଛି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ମୌଜାରେ ଧାନ ଫସଲ ପ୍ରଭାବିତ ହେବା ସହ ବ୍ୟାପକ କ୍ଷୟକ୍ଷତି ଘଟିଛି। ଅନେକ ଝାଟିମାଟି ଘର ଭୁଶୁଡ଼ି ପଡ଼ିଥିବା ବେଳେ ଆଉ କିଛି ସ୍ଥାନରେ ବଡ଼ ବଡ଼ ଗଛ ଘର ଉପରେ ପଡ଼ି ଘର ଭାଙ୍ଗି ଯାଇଛି। ବର୍ଷାଜଳ ନିଷ୍କାସନ ସମସ୍ୟା ଯୋଗୁଁ ସ୍ଥାନୀୟ ଅଞ୍ଚଳ ଜଳଘେରରେ ରହିଛି। ଗଛ ପଡ଼ି ବାଲିଅନ୍ତା ବ୍ଲକ ଜୟଦେବ ଉପରସାହିର ମାନି ମହାପାତ୍ରଙ୍କ ମାଟିଘର ମାଟିରେ ମିଶି ଯାଇଥିବା ବେଳେ ବଖରାଏ ଛାତ ଘରର କାନ୍ଥ ଫାଟି ଯାଇଛି। ସେହିପରି ଏହି ପଞ୍ଚାୟତର ସାହେବନଗର ଗ୍ରାମର ସୁକାନ୍ତୀ ପଣ୍ଡା ଏବଂ ସରସ୍ୱତୀ ପଣ୍ଡାଙ୍କର ଦୁଇବଖରା ଲେଖାଏ କଚ୍ଚାଘର ଭାଙ୍ଗି ଯାଇଛି। ଡ୍ରେନେଜ୍ ସମସ୍ୟା ଯୋଗୁଁ ପ୍ରତାପଶାସନ ପଞ୍ଚାୟତର ପାଟରାବାଗ ଭୋଇ ସାହି, ବଡ଼ଭୋଇ ସାହି, ନାଏକ ସାହି, ମାଳଭୋଇ ସାହି ପାଣି ଘେରରେ ରହିଛି। ବାଳକାଟି ଫାଣ୍ଡି ଏବଂ ଜାଗେଶ୍ୱରୀ ମନ୍ଦିର ଭିତରେ ମଧ୍ୟ ପାଣି ପଶି ଯାଇଛି। ସ୍ଥାନୀୟ ସାପ୍ତାହିକ ହାଟରେ ପନିପରିବା ପାଣିରେ ଭାସୁଛି। ତେବେ ଘରେ ପାଣି ପଶିଯିବାରୁ ଏହି ପଞ୍ଚାୟତର ନାଏକ ସାହି ଓ ବଡ଼ ଭୋଇ ସାହିର ଲୋକେ ସ୍କୁଲ ଘରେ ଆଶ୍ରୟ ନେଇଛନ୍ତି। ସ୍ଥାନୀୟ ଅଞ୍ଚଳର ୬୦୦ ଲୋକଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ରିଲିଫ ବଣ୍ଟାଯାଇଛି। ସକାଳେ ସେମାନଙ୍କୁ ୪ କୁଇଣ୍ଟାଲ ଚୁଡ଼ା ଓ ଏକ କୁଇଣ୍ଟାଲ ଗୁଡ଼ ବଣ୍ଟନ ହୋଇଥିବା ବେଳେ ସଂଧ୍ୟାରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିବା ବ୍ଲକ ଅଧ୍ୟକ୍ଷା ସୁଚିତ୍ରା ଜେନାମଣି ଜଣାଇଛନ୍ତି।
ବର୍ଷାରେ ବ୍ୟାପକ କ୍ଷୟକ୍ଷତି: ୬୦୦ ଲୋକଙ୍କୁ ରିଲିଫ୍
Advertisment
Follow Us