ରିମାଣ୍ଡ ସରିଲା, ଜେଲ ଗଲା ନାରୁ : ୨୨ ମାମଲା, ୨୩ ପ୍ରେମିକା

ରିମାଣ୍ଡ ସରିଲା, ଜେଲ ଗଲା ନାରୁ : ୨୨ ମାମଲା, ୨୩ ପ୍ରେମିକା

ଲୁଟ୍‌ ଗହଣା ଓ ‌ଚୋରି ଟଙ୍କାରେ କରୁଥିଲା ମଉଜ
ଯାଜପୁର ପ୍ରେମିକା ଘରୁ ମିଳିଲା ମୃତ ଶିକ୍ଷୟିତ୍ରୀଙ୍କ ଗହଣା

ଭୁବନେଶ୍ବର : ୨୨ ମାମଲା, ୨୩ ପ୍ରେମିକା। ପ୍ରତିଥର ଜେଲରୁ ଜାମିନ୍‌ରେ ଆସିବା ପରେ ଖୋଜୁଥିଲା ନୂଆ ପ୍ରେମିକା। ଆଉ ନୂଆ ପ୍ରେମିକାଙ୍କୁ ଭେଟି ଦେଉଥିଲା ଲୁଟ୍‌ ଗହଣା। ଆଉ ସେମାନଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରୁଥିଲା। ଚୋରି ଟଙ୍କାରେ କରୁଥିଲା ମଉଜ। ନୂଆପଲ୍ଲୀ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ତୁଳସୀ ଦେଇ ହତ୍ୟା ଓ ଲୁଟ୍ ମାମଲାର ମୁଖ୍ୟ ଅଭିଯୁକ୍ତ ନାରୁ ନିକଟରୁ ଏମିତି ଚାଞ୍ଚଲ୍ୟକର ତଥ୍ୟ ହାସଲ କରିଛି ନୂଆପଲ୍ଲୀ ଥାନା ପୁଲିସ। ଏପରିକି ସେ କୋର୍ଟରେ ବିବାହ କରିଥିବା ଯାଜପୁରର ନୂଆ ପ୍ରେମିକାଠାରୁ ମୃତ ଶିକ୍ଷୟିତ୍ରୀଙ୍କ ସୁନା ଚେନ୍‌ ମଧ୍ୟ ଜବତ କରାଯାଇଛି। ଦୁଇ ଦଫାର ରିମାଣ୍ଡ ୪ ଦିନିଆ ଅବଧି ଶେଷ ହେବା ପରେ ଆଜି ନାରୁକୁ କୋର୍ଟ ଚାଲାଣ କରାଯାଇଛି।

publive-image

ଗତବର୍ଷ ଜୁଲାଇ ୨୬ ତାରିଖରେ ଦୁଇ ଜଣ ଲୁଟେରା ନୂଆପଲ୍ଲୀର ଚକ୍ରପାଣି ମିଶ୍ରଙ୍କ ଘରେ ପଶି ତାଙ୍କ ପତ୍ନୀ ତୁଳସୀ ଦେଈଙ୍କୁ କଟୁରିରେ ହାଣି ସୁନା ଗହଣା ଲୁଟ୍ କରି ପଳାଇଥିଲେ। ‌ପରେ ଅଗଷ୍ଟ ୧ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ସେତେବେଳେ ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଘଟଣାକୁ ୬ ମାସ ବିତିଥିଲେ ମଧ୍ୟ ପୁଲିସ ଲୁଟେରାଙ୍କର ସୁରାକ ପାଇନଥିଲା। ସେପ୍ଟେମ୍ବର ମାସରେ ବରମୁଣ୍ଡାରୁ କରିଥିବା ଅନ୍ୟ ଏକ ଲୁଟ୍‌ ମାମଲାରେ ଗିରଫ ହୋଇ ନାରୁ ଜେଲ୍‌ ଯାଇଥିଲା। ଜେଲ୍‌ରେ ଥିବା ନାରୁ ଦିନେ ଅନ୍ତେବାସୀଙ୍କୁ ତୁଳସୀ ଦେଇ ହତ୍ୟାକାଣ୍ଡର କାହାଣୀ ଶୁଣାଉଥିବାବେଳେ ସେ ଓ ତା’ର ଭଣଜା ରାହୁଲ ମହାନ୍ତି ମିଶି ଏଭଳି କାଣ୍ଡ କରିଥିବା କହି ପକାଇଥିଲା। ଏହା ଜାଣିବା ପରେ ନିକଟରେ ପୁଲିସ ତାକୁ ରିମାଣ୍ଡରେ ଆଣି ପରଚାଉଚରା ଆରମ୍ଭ କରିଥିଲା। ଜେରା ବେଳେ ନାରୁ ଲୁଟ୍‌, ହତ୍ୟା ଓ ଲୁଟ ବ‌ାବଦରେ ବଖାଣିବା‌ ସହିତ ପ୍ରେମିକାକୁ ଗହଣା ଉପହାର ଦେବା ପରେ ବଳକା ଗହଣା ଓ ମୋବାଇଲ ବିକି କିପରି ମଉଜ କରୁଥିଲା, ତାହା ମଧ୍ୟ କହିଥିଲା। ତା’ର ବୟାନ ଆଧାରରେ ଯାଜପୁରରେ ଥିବା ସର୍ବଶେଷ ପ୍ରେମିକା ଘରେ ଚଢ଼ଉ କରାଯାଇ ତୁଳସୀ ଦେଇଙ୍କ ଲୁଟ୍‌ ସୁନା ଚେନ୍‌ ଜବତ କରାଯାଇଥିଲା।

ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି ଯେ ନାରୁ ନାମରେ ବିଭିନ୍ନ ଥାନାରେ ୨୨ ମାମଲା ରହିଛି। କ୍ୟାପିଟାଲ ଥାନାରେ ସର୍ବାଧିକ ୧୦ଟି ମାମଲା ରହିଛି। ଏଥିରେ ସୁନା ଗହଣା ଓ ମୋବାଇଲ ଛିନ୍‌ତାଇ ଅଭିଯୋଗ ଅଧିକ ରହିଛି। ସେହିଭଳି ଖାରବେଳ ନଗର ଓ ନୂଆପଲ୍ଲୀ ଥାନାରେ ୩ଟି ଲେଖାଏଁ, ଭୁବନେଶ୍ବର ଜିଆରପି ଓ ଖଣ୍ଡଗିରି ଥାନାରେ ଦୁଇଟି ଲେଖାଏଁ ମାମଲା ରହିଥିବା ରହିଥିବା ବେଳେ କଟକ ଜିଆରପି, ଜଟଣୀ ଓ ସହିଦନଗର ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଛି। ନାରୁର ମୋଟ ୨୩ ଜଣ ପ୍ରେମିକା ଥିଲେ ବୋଲି ଜାଣିବା ପରେ ଆଉ କେଉଁ କେଉଁ ପ୍ରେମିକାଙ୍କୁ ସେ ଲୁଟ୍ ସୁନା ଗହଣା ଉପହା‌ର ଦେଇଛି ସେ ନେଇ ପୁଲିସ ଖୋଳତାଡ଼ ଚଳାଇଛି।

ପୂର୍ବରୁ ତା’ର ଭଣଜା ତଥା ସହଯୋଗୀ ରାହୁଲ ମହାନ୍ତିକୁ ନୂଆପଲ୍ଲୀ ଥାନା ପୁଲିସ କୋର୍ଟ ଚାଲାଣ କରିଥିଲା। ତା’ ନାମରେ ମଧ୍ୟ ୩ଟି ମାମଲା ରହିଛି। ଉଭୟ ଏକାଠି ହୋଇ ସହରରେ ଲୁଟ୍‌ପାଟ୍‌ କରୁଥିଲେ। ଏମାନଙ୍କର ଅନ୍ୟତମ ମହିଳା ସହଯୋଗୀ ପ୍ରିୟଙ୍କା ମହାନ୍ତିଙ୍କ ସମେତ ନାରୁ ଓ ରାହୁଲକୁ ଖଣ୍ଡଗିରି ଥାନା ପୁଲିସ ପୂର୍ବରୁ କୋର୍ଟ ଚାଲାଣ କରିଥିଲା। ନାରୁ ଓ ରାହୁଲ ପ୍ରିୟଙ୍କା ଘରେ ଭଡ଼ାରେ ରହୁଥିଲେ। ସୁନା ଗହଣା ଓ ମୋବାଇଲ ଲୁଟିବା ପରେ ନାରୁ ତାହା ପ୍ରିୟଙ୍କାକୁ ଦେଉଥିଲା। ପ୍ରିୟଙ୍କା ସେ ସବୁକୁ ଗ୍ରାହକ ଖୋଜି ବିକ୍ରି କରୁଥିଲା ବୋଲି ତଦନ୍ତରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe