ଅଳିଆଗଦା ହଟାଅ, ଟିଟିଏସ୍‌ ବିରୋଧରେ ମେଳି ବାନ୍ଧିଲେ ଅଞ୍ଚଳବାସୀ

Advertisment

ନଗର ଉନ୍ନୟନ ମନ୍ତ୍ରୀଙ୍କ ବାସଭବନ ଘେରାଉ ଚେତାବନୀ

ନଗର ଉନ୍ନୟନ ମନ୍ତ୍ରୀଙ୍କ ବାସଭବନ ଘେରାଉ ଚେତାବନୀ

ଅଳିଆଗଦା ହଟାଅ, ଟିଟିଏସ୍‌ ବିରୋଧରେ ମେଳି ବାନ୍ଧିଲେ ଅଞ୍ଚଳବାସୀ

ଚନ୍ଦ୍ରଶେଖରପୁର: ଭୁଆସୁଣୀ ଡମ୍ପିଂୟାର୍ଡକୁ ଆବର୍ଜନା ଯିବା ବନ୍ଦ ପରେ ଗାଡ଼କଣରେ ଥିବା ଟେମ୍ପରାରି ଟ୍ରାଞ୍ଜିଟ୍‌ ଷ୍ଟେସନ(ଟିଟିଏସ୍‌)ରୁ ଆବର୍ଜନା ଆଉ କେଉଁଠିକୁ ଯାଉନାହିଁ। ତେଣୁ ଗାଡ଼କଣ, ରଙ୍ଗମାଟିଆ, ଭୋଟପଡ଼ା, ରେଲୱେ କଲୋନି, ଆଦିମାତା କଲୋନି, ଭିଏସ୍‌ଏସ୍‌ ନଗର, ଗଜପତି ନଗର, ସୁବାସ ଏନ୍‌କ୍ଲେଭ, ଶକ୍ତି ବିହାର, ଗଜପତି ନଗର, ଲକ୍ଷ୍ମୀ ବିହାର, ପ୍ରଗତି ବିହାର ଲୋକେ ଅଳିଆ ଦୁର୍ଗନ୍ଧରେ ଘାଣ୍ଟି ହେଉଛନ୍ତି। ଏନେଇ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ପ୍ରଶାସନ ଶୁଣୁ ନ ଥିବାରୁ ଆଗାମୀ ଦିନରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ବାସଭବନ ଘେରାଉ ସହ ଟିଟିଏସ୍‌ରେ ସବୁଦିନ ପାଇଁ ତାଲା ପକାଯିବ ବୋଲି ଆଞ୍ଚଳିକ ସୁରକ୍ଷା ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି।

ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି ଆମେ ଉତ୍ତର ଭୁବନେଶ୍ବର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଏମ୍‌ସିର ୯, ୧୦, ୧୧ ଓ ୧୨ ନମ୍ବର ୱାର୍ଡର ଅଧିବାସୀ ଏବେ ଅଳିଆରେ ଘାଣ୍ଟି ହେଉଛୁ। ବିଏମସି ପକ୍ଷରୁ ଏହି ଅଞ୍ଚଳରେ ୨୦୦୬ରେ ଜୋର ଜବରଦସ୍ତି ଅସ୍ଥାୟୀ ଅଳିଆ ଗଦା କରାଯାଇଥିଲା। ତୀବ୍ର ବିରୋଧ ସତ୍ତ୍ୱେ ଅଞ୍ଚଳବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ସୈନିକ ସ୍କୁଲ ପାଚେରିକୁ ଲଗାଇ ସର୍ବେଶ୍ୱର ଶିବ ମନ୍ଦିର ଚାରିପଟେ ନିର୍ମାଣ ଆରମ୍ଭ କରାଗଲା। ବିରୋଧ କରାଯାଇଥିଲେ ମଧ୍ୟ ପୁଲିସ ଲଗାଇ ଦମନ କରାଯାଇଥିଲା। ୨୦୧୨ରେ ଭୁବନେଶ୍ବରର ସମସ୍ତ ଆସ୍ଥାୟୀ ଅଳିଆଗଦାକୁ ବନ୍ଦ କରିବା ପାଇଁ ହାଇକୋର୍ଟରେ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହାକୁ ପାଳନ କରାଗଲା ନାହିଁ। ଫଳରେ ଅସ୍ଥାୟୀ ଅଳିଆ ଗଦା ଏବେ ସ୍ଥାୟୀ ଭାବେ ପରିଚାଳିତ ହେଉଛି।

ବିଏମସି ଅଧିକାରୀମାନେ ସେତେବେଳେ କହିଥିଲେ ଭୁଆସୁଣୀ ଡମ୍ପିଂୟାର୍ଡ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ଉକ୍ତ ଅସ୍ଥାୟୀ ଅଳିଆଗଦାଟିକୁ ବନ୍ଦ କରାଯିବ। ହେଲେ ଏବେ ଭୁଆସୁଣୀ ଡମ୍ପିଂୟାର୍ଡକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରାଯିବା ପରେ ସୈନିକ ସ୍କୁଲ ନିକଟବର୍ତୀ ପଡ଼ିଆରେ ଅଳିଆ ଜମା ହୋଇ ପାହାଡ଼ ଭ୍ରମ ସୃଷ୍ଟି କଲାଣି। ଅଳିଆ ସହ ମଲା ଗାଈଗୋରୁ, କୁକୁର ଓ ପଶୁପକ୍ଷୀ ପକାଯାଉ ଥିବାରୁ ଦୁର୍ଗନ୍ଧ ବ୍ୟାପୁଛି ଯେ ସମଗ୍ର ଅଞ୍ଚଳରେ ଚଳପ୍ରଚଳ କରିବା କଷ୍ଟକର ହୋଇପଡ଼ୁଛି। ଏହି ଅଞ୍ଚଳରେ ସୈନିକ ସ୍କୁଲ, ରେଳ ବିହାର ପ୍ରାଥମିକ ସ୍କୁଲ, ଶିଶୁ ନିକେତନ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ଶାନ୍ତି ଶିଶୁମନ୍ଦିର, ସରସ୍ବତୀ ବିଦ୍ୟାମନ୍ଦିର, ରେଳବାଇ ହସ୍ପିଟଲ, ଜଗନ୍ନାଥ ମନ୍ଦିର, ଦଶରଜା ମନ୍ଦିର, ହନୁମାନ ମନ୍ଦିର, ଗଡ଼େଶ୍ୱର ମନ୍ଦିର ପରି ଅନେକ ସ୍କୁଲ ଓ ମନ୍ଦିର ରହିଛି। ଏହି ଅଳିଆ ପାହାଡ଼ ଦ୍ବାରା ଲୋକଙ୍କ ଜୀବନଶୈଳୀ ପ୍ରଭାବିତ ହେବା ସହ ଅଞ୍ଚଳରେ ଥିବା ଶିକ୍ଷାନୁଷ୍ଠାନ ଓ ଡାକ୍ତରଖାନାଗୁଡ଼ିକ ବହୁ ମାତ୍ରାରେ ପ୍ରଭାବିତ ହେଉଛି। ବିଭିନ୍ନ ପ୍ରକାର ଚର୍ମରୋଗ ଓ ଅଜଣା ରୋଗରେ ଲୋକେ ଆକ୍ରାନ୍ତ ହେଉଛନ୍ତି। ତେଣୁ ଏହାକୁ ତୁରନ୍ତ ବନ୍ଦ କରିବାକୁ ଗାଡ଼କଣ ଆଞ୍ଚଳିକ ସୁରକ୍ଷା ମଞ୍ଚ ଆହ୍ବାନରେ ଆଜି ସନ୍ଧ୍ୟାରେ ଆଦିମାତା ମନ୍ଦିରରେ ବସିଥିବା ବୈଠକରେ ଦାବି ଉଠାଯାଇଛି। ମଞ୍ଚ ଆବାହକ ତଥା କଂଗ୍ରେସ ନେତା କୃଷ୍ଣଚନ୍ଦ୍ର ପତି, ଗାଡ଼କଣ ଗ୍ରାମ ଉନ୍ନୟନ କମିଟି ସଭାପତି ସୁର ପାତ୍ର, ଯୁବନେତା କୃଷ୍ଣ ପାତ୍ର, ମୁରଲୀ ପରିଡ଼ା‌, କିଶୋର ସାହୁ, ଅମୂଲ୍ୟ ପାତ୍ର, ରାସନ୍ତ ସାହୁ, ନିବାସ ପରିଡା, ଗୟା ସେଠ, ମନୋରଞ୍ଜନ ପରିଡ଼ା, ବୁଲୁ ପାତ୍ର, ଲୋଚନ ସାହୁ, ରେଳବାଇ ଦୁର୍ଗା ପୂଜା କମିଟି ସଭାପତି କୃଷ୍ଣ ଭଞ୍ଜ, ଗ୍ରିଡ୍‌ କଲୋନିର ଅନନ୍ତ ଓଝା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe