ଚନ୍ଦ୍ରଶେଖରପୁର: ରାଜଧାନୀ ରାଜରାସ୍ତାର ସୌନ୍ଦର୍ଯ୍ୟୀକରଣ ପାଇଁ ଡିଭାଇଡର୍ରେ ଲଗା ଯାଇଥିବା ଗଛସବୁ ଉଭାନ୍ ହୋଇଯାଇଛି। କାଁ ଭାଁ କିଛି ସ୍ଥାନକୁ ବାଦ୍ ଦେଲେ, ବାକି ବହୁ ଅଂଶରେ ଗଛ ନାହିଁ। କିଛି ଗଛ ପାଣି ବିନା ଶୁଖି ଶୁଖି ମରି ଯାଉଥିବାବେଳେ ଆଉ କିଛି ରକ୍ଷଣାବେକ୍ଷଣ ଅଭାବରୁ ବୁଲା ଗୋରୁଙ୍କ ଆହର ପାଲଟି ଯାଇଛି। ତେଣୁ ସହରର ସବୁଜିମା ପାଇଁ ବ୍ୟୟ କରାଯାଇଥିବା ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡ଼ିଲା ବୋଲି ଅଭିଯୋଗ ହେଉଛି। ବିଭାଗୀୟ ଅଧିକାରୀମାନଙ୍କ ଉଦାସୀନତା ଓ କର୍ମଚାରୀମାନଙ୍କ ଦାୟିତ୍ବହୀନତା ପାଇଁ ଏଭଳି ପରିସ୍ଥିତି ହୋଇଥିବା କୁହାଯାଉଛି।
ଜୟଦେବବିହାର-ନନ୍ଦନକାନନ ରାସ୍ତାର ଦୃଶ୍ୟରୁ ଏହି ଚିତ୍ର ସ୍ପଷ୍ଟ ହୋଇଯାଏ। ନାଲ୍କୋ ଛକ, ଡମଣା, ପଟିଆ, କିଟ୍ ଛକ ଅଞ୍ଚଳରେ ରାଜରାସ୍ତାର ଦୃଶ୍ୟ ଏମିତି। ଏହି ଅଞ୍ଚଳର ରାସ୍ତା ଡିଭାଇଡର୍ରେ ଟଗର, କାଠଚମ୍ପା, ମନ୍ଦାର, କନିଅର, ରେବତୀ, ପଳାଶ, ଦୁଦୁରା, ରଙ୍ଗଣି ଓ ମାଳତି ଆଦି ବହୁ କିସମର ଫୁଲଗଛ ଲଗାଯାଇଥିଲା। ଏହିସବୁ ଫୁଲଗଛ ଛଡ଼ା କିଛି ଔଷଧୀୟ ବୃକ୍ଷ ଓ ବଡ଼ ଗଛର ଚାରା ମଧ୍ୟ ଲଗାଯାଇଥିଲା। ମାତ୍ର ଏବେ ପ୍ରାୟ ଶତକଡ଼ା ୭୦ ଭାଗ ଗଛ ଉଭାନ୍ ହୋଇଯାଇଛି। ନିୟମିତ ପାଣି ଦିଆ ଯାଉନଥିବାରୁ ବହୁ ଗଛ ମରିଗଲାଣି। କିଛି ଗଛ ମରିବାକୁ ବସିଛି। ତେବେ ରକ୍ଷଣାବେକ୍ଷଣ ଅଭାବରୁ ବହୁ ଗଛ ବୁଲା ଗୋରୁ ଗାଈଙ୍କ ମୁହଁରେ ଯାଇଛି। ଗୋବାରଣ ନଥିବାରୁ ବୁଲା ଗାଈଗୋରୁ ବହୁ ଗଛ ଖାଇ ନଷ୍ଟ କରି ଦେଇଛନ୍ତି। ରକ୍ଷଣାବ୍ୟକ୍ଷଣା କାର୍ଯ୍ୟ କରୁଥିବା ଠିକାଦାର ଅଳିକେଶ ଦାସଙ୍କ କହିବା କଥା ବୁଲା ଷଣ୍ଢ ଓ ଗାଈମାନେ ଗୋବାରଣକୁ ଉପାଡ଼ି ଗଛ ଖାଇ ଯାଉଛନ୍ତି। ସେମାନେ ଡିଭାଇଡର୍ରେ ଶୋଇବା ପାଇଁ ଗୋବାରଣକୁ ଭାଙ୍ଗି ପକାଇବା ସହ ଗଛସବୁ ଖାଇ ଦେଉଛନ୍ତି। କିନ୍ତୁ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଗଛରେ ନିୟମିତ ଉପଯୁକ୍ତ ପରିମାଣର ପାଣି ଦିଆଯାଉନଥିବାରୁ ଗଛଗୁଡ଼ିକ ମରିଯାଇଛି। ଏବେ ଖରା ଦିନ ଆସିଲାଣି। ଯେତିକି ବି ଗଛ ବଞ୍ଚିଛି, ଯଦି ନିୟମିତ ପାଣି ଦିଆନଯାଏ, ସେସବୁ ମରିଯିବା ନିଶ୍ଚିତ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
Follow Us