ମନରେଗାରେ ମରାମତି ବାଧାପ୍ରାପ୍ତ, କେନାଲ ବନ୍ଧରେ ଜଳସେଚନ କର୍ମଚାରୀଙ୍କ ଗୁହାଳ

Advertisment
ମନରେଗାରେ ମରାମତି ବାଧାପ୍ରାପ୍ତ, କେନାଲ ବନ୍ଧରେ ଜଳସେଚନ କର୍ମଚାରୀଙ୍କ ଗୁହାଳ

ବାଲିପାଟଣା: ଖୋଦ୍ ଜଳସେଚନ ବିଭାଗର କର୍ମଚାରୀ କେନାଲ ବନ୍ଧ ରାସ୍ତାରେ ଗୁହାଳ କରି ଜବରଦଖଲ କରିଛନ୍ତି। ଫଳରେ ରାସ୍ତା ମରାମତି ହୋଇପାରୁନାହିଁ। ଦୀର୍ଘ ଦିନ ଧରି ମରାମତି ଅଭାବରୁ ଶୋଚନୀୟ ହୋଇପଡ଼ିଥିବା ଏହି ରାସ୍ତା ଏବେ ଆଉ ଯାତାୟାତ ଉପଯୋଗୀ ହୋଇନାହିଁ। ମନେରେଗା ଯୋଜନାରେ ଏହି ବନ୍ଧ ରାସ୍ତାକୁ ମରାମତି କରିବାକୁ ପଞ୍ଚାୟତ ପକ୍ଷରୁ ଉଦ୍ୟମ ହୋଇଛି, କିନ୍ତୁ ଉକ୍ତ ସରକାରୀ କର୍ମଚାରୀଙ୍କ ଜୋରଦାର୍‌ ବିରୋଧ ପୁଣି ମରାମତି କାମରେ ବାଧକ ସାଜିଛି। ଏଭଳି ଘଟଣାକୁ ନେଇ ବାଲିପାଟଣା ବ୍ଲକ ଅଠାନ୍ତର ପଞ୍ଚାୟତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଅଭିଯୋଗ ଅନୁସାରେ, ବାଲିପାଟଣା ଜଳସେଚନ ବିଭାଗ କର୍ମଚାରୀ ଗଗନ ବେହେରା ଗିରିଙ୍ଗ ମାଇନର୍‌ କେନାଲ ବନ୍ଧ ରାସ୍ତାରେ ଗୁହାଳ ନିର୍ମାଣ କରିଛନ୍ତି। କେବଳ ସେତିକି ନୁହେଁ, ବନ୍ଧ ଉପରେ ଗଛ ପକାଇ ଜବରଦଖଲ କରିଛନ୍ତି। ଏବେ ପଞ୍ଚାୟତ ପକ୍ଷରୁ ଏହି ବନ୍ଧ ରାସ୍ତାକୁ ମରାମତି କରିବା ପାଇଁ ମନରେଗା ଯୋଜନାରେ ଶ୍ରମିକମାନେ ନିୟୋଜିତ ହୋଇଛନ୍ତି। କିନ୍ତୁ ଶ୍ରୀ ବେହେରାଙ୍କ ପରିବାର ପକ୍ଷରୁ ଏହାକୁ ବିରୋଧ କରି କାମ ବନ୍ଦ କରାଯାଇଛି। ଏମିତିକି ନିୟୋଜିତ ଶ୍ରମିକମାନଙ୍କୁ ସେମାନେ ଗାଳି ମନ୍ଦ କରିଥିବା ଅଭିଯୋଗ ହୋଇଛି। ଏବେ ମାମଲାକୁ ପଞ୍ଚାୟତ ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରାଯାଉଛି। ନଚେତ ସ୍ଥାନୀୟ ଲୋକେ ବାଲିପାଟଣା ଥାନାର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି।

ଅଠାନ୍ତର ପଞ୍ଚାୟତର ସରଦେଇପୁର-ନିମାପଡ଼ା କେନାଲରୁ ବାହାରିଛି ଗିରିଙ୍ଗ ମାଇନର କେନାଲ। ଉକ୍ତ କେନାଲଟି ଉତ୍ତରା-ନିମାପଡ଼ା ରାସ୍ତା ଅତିକ୍ରମ କରି ବାଲିପାଟଣା ରାଜସ୍ବ ବିଭାଗ ଅଞ୍ଚଳ ଓ ପମ୍ପାଲୋ ପଞ୍ଚାୟତର ଅନେକ ଜମିକୁ ଜଳଯୋଗାଣ କରିଥାଏ। ତେବେ ଏହି କେନାଲ ବନ୍ଧ ରାସ୍ତାଟି ଗିରିଙ୍ଗ ହରିଜନ ସାହିଠାରୁ ବାଲିପାଟଣାକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତା। କିଛି ଦିନ ହେବ ଏହି ବନ୍ଧ ରାସ୍ତାକୁ କିଛି ଲୋକ ଜବରଦଖଲ କରିଛନ୍ତି। ଫଳରେ ଏହା ଆଉ ଯାତାୟାତ ଉପଯୋଗୀ ହୋଇନାହିଁ। ତେଣୁ ମ‌ନେରେଗା ଯୋଜନାରେ ମରାମତି କରାଇ ଏହାକୁ ପୁଣି ଯାତାୟାତଯୋଗ୍ୟ କରିବାକୁ ସ୍ଥିର କରାଯାଇଛି। କିନ୍ତୁ ଜବରଦଖଲ ପାଇଁ କାମ ବନ୍ଦ ରହିଛି। ଫଳରେ ମନେରେଗା କାମରେ ନିୟୋଜିତ ଗରିବ ଶ୍ରମିକମାନଙ୍କ ପେଟପାଟଣା ଉପରେ ପ୍ରଭାବ ପଡ଼ିଛି। ଏନେଇ ବାଲିପାଟଣା ଜଳ ସେଚନ ବିଭାଗର ସହକାରୀ ଯନ୍ତ୍ରୀ ସମ୍ବିତ କୁମାର ସାହୁଙ୍କୁ ଅବଗତ କରାଯିବା ପରେ ସେ ତଦନ୍ତ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe