ଦୃଷ୍ଟିବାଧିତ ବାପାମା’ଙ୍କ ଝିଅ ଆଖି କ୍ୟାନ୍‌ସରରେ ପୀଡ଼ିତ, ଅସ୍ତ୍ରୋପଚାର ସହାୟତା ପାଇଁ ନିବେଦନ

Advertisment
ଦୃଷ୍ଟିବାଧିତ ବାପାମା’ଙ୍କ ଝିଅ ଆଖି କ୍ୟାନ୍‌ସରରେ ପୀଡ଼ିତ, ଅସ୍ତ୍ରୋପଚାର ସହାୟତା ପାଇଁ ନିବେଦନ

ଭୁବନେଶ୍ବର : ବାପା ମା’ ଉଭୟ ଦୃଷ୍ଟିବାଧିତ। କିନ୍ତୁ ଝିଅଟିର ଦୁଇ ଆଖି ଭଲ ଥିବାରୁ ତା’ ଆଖିରେ ସେମାନେ ଦୁନିଆ ଦେଖିବେ ବୋଲି କେତେ ବଡ଼ ଆଶା କରିଥିଲେ। ମାତ୍ର ନିୟତିର ନିଷ୍ପତ୍ତି ଏବେ ସେମାନଙ୍କ ଆଶାକୁ ନିରାଶାରେ ପରିଣତ କରିଛି। ବର୍ଷକର ଶିଶୁ କନ୍ୟାଟି ଏବେ ଆଖି କ୍ୟାନ୍‌ସରରେ ପୀଡ଼ିତ। ବାମ ଆଖିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଡାହାଣ ଆଖି ୪୦ପ୍ରତିଶତ ପ୍ରଭାବିତ ହୋଇଛି। ଚିକିତ୍ସା ଚାଲିଥିଲେ ବି ଅର୍ଥାଭାବ ବାଧକ ସାଜିଛି। କେମୋ ଚିକିତ୍ସା ପାଇଁ ବାପାମା’ ପଇସା ଯୋଗାଇ ପାରୁନଥିବାରୁ ଉକ୍ତ ଆଖିର ଭବିଷ୍ୟତକୁ ନେଇ ସେମାନେ ଚିନ୍ତିତ ହୋଇପଡ଼ିଛନ୍ତି। ଏହା ହେଉଛି ଭୁବନେଶ୍ବର ଭରତପୁର ଦୁର୍ଗାମାଧବ ନଗର ଶିବମନ୍ଦିର ଲେନ୍‌-୫ରେ ରହୁଥିବା ଅଶୋକ ଓ ସୁମିତ୍ରାଙ୍କ ଝିଅ ପୂଜାର୍ଚ୍ଚନାର ଅବସ୍ଥା।

ରୋଜଗାର ପାଇଁ ବାଲେଶ୍ବରରୁ ଭୁବନେଶ୍ବର ଚାଲି ଆସିଥିବା ଅଶୋକ ଓ ସୁମିତ୍ରା ଦୁଇ ଜଣଯାକ ଦୃଷ୍ଟିବାଧିତ। ଅଶୋକ ଏକ ଠିକାଦାରଙ୍କ ନିକଟରେ ଡାଟା ଏଣ୍ଟ୍ରି ଅପରେଟର୍‌ ଭାବେ କାମ କରୁଥିଲେ। ବର୍ଷକର ଝିଅ ପୂଜାର୍ଚ୍ଚନାକୁ ନେଇ ସେମାନଙ୍କ ଖୁସିର ସଂସାର ଚାଲିଥିଲା। ଜନ୍ମ ନେବା ସମୟରେ ପୂଜାର୍ଚ୍ଚନା ଠିକ୍ ଭାବରେ ଦେଖି ପାରୁଥିଲା। ତେଣୁ ଅଶୋକ ଓ ସୁମିତ୍ରାଙ୍କ ମନରେ ଥିଲା ଅସୁମାରୀ ସ୍ବପ୍ନ। ଝିଅ ଆଖିରେ ସେମାନେ ଦୁନିଆ ଦେଖିବେ। କିନ୍ତୁ ଗତବର୍ଷ ହଠାତ୍ ସବୁ କିଛି ଓଲଟପାଲଟ ହୋଇଗଲା। ମାମୁ ଘରକୁ ବୁଲିବାକୁ ଯାଇଥିବା ବେଳେ ପୂଜା ପଡ଼ି ଯାଇଥିଲା। ମୁଣ୍ଡ ପଛରେ ଆଘାତ ଲାଗିଥିଲା। ତୁରନ୍ତ ସେମାନେ ହସ୍ପିଟାଲରେ ତା’ର ଚିକିତ୍ସା କରାଇଥିଲେ। କିନ୍ତୁ ପରେ ଜଣାପଡ଼ିଲା ଆଖିରେ କ୍ୟାନ୍‌ସର ହୋଇଯାଇଛି। ଉପଯୁକ୍ତ ଚିକିତ୍ସା ଅଭାବରୁ ବାମ ଆଖିଟି ପୂରା ନଷ୍ଟ ହୋଇଗଲା ଓ ଡାହାଣ ଆଖି ପ୍ରଭାବିତ ହୋଇଛି। ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ତାକୁ ୬ଥର କେମୋ ଦିଆଗଲାଣି। ଡାକ୍ତରଙ୍କ ପରାମର୍ଶ ଅନୁସାରେ ଏବେ ଅସ୍ତ୍ରୋପଚାର କଲେ, ଉକ୍ତ ଆଖି ଠିକ୍‌ ହୋଇପାରିବ। ମାତ୍ର ଏଥିପାଇଁ ପ୍ରଚୁର ଅର୍ଥ ଆବଶ୍ୟକ। କିନ୍ତୁ ଏତେ ଅର୍ଥ ଯୋଗାଡ଼ କରିବା ଅଶୋକଙ୍କ ପାଇଁ ଅସମ୍ଭବ। ତେଣୁ କୌଣସି ସହୃଦୟ ବ୍ୟକ୍ତି ବା ଦାତବ୍ୟ ଅନୁଷ୍ଠାନ ହିଁ ଭରସା। କେହି ସହଯୋଗ କରିବାକୁ ଇଚ୍ଛା କଲେ, ଅଶୋକଙ୍କୁ ତାଙ୍କ ମୋବାଇଲ୍‌ ନମ୍ବର ୮୪୫୬୦୭୯୬୦୬ରେ ଯୋଗାଯୋଗ କରିବାକୁ ସେ ଆକୁଳ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe