ଭୁବନେଶ୍ବର: ବିଲଡରମାନେ ଗୋଟିଏ ପ୍ରକଳ୍ପ ପଞ୍ଜୀକରଣ ପରେ ରେରା ୱେବସାଇଟରେ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସବିଶେଷ ତଥ୍ୟ ପ୍ରତି ତିନିମାସରେ ପ୍ରଦାନ କରିବା ବାଧ୍ୟତାମୂଳକ। ସେହିପରି ରିୟଲ ଇଷ୍ଟେଟ ଏଜେଣ୍ଟମାନେ ମଧ୍ୟ ସେମାନଙ୍କ ବ୍ୟବସାୟର ବିବରଣୀ ପ୍ରତି ତିନିମାସରେ ପ୍ରଦାନ କରିବାର ନିୟମ ରହିଛି। ଏହାଦ୍ବାରା ଘର କ୍ରେତାମାନେ ଉପକୃତ ହେବା ସହ ଏ କ୍ଷେତ୍ରରେ ସ୍ବଚ୍ଛତା ଆସି ପାରିବ। କିନ୍ତୁ ଅଧିକାଂଶ ସମୟରେ ଏହାର ଅନୁପାଳନ ହେଉନାହିଁ। ଏହାକୁ ଦୃଷ୍ଟିରେ ରଖି ରେରା ପକ୍ଷରୁ ଏକ ସ୍ବତନ୍ତ୍ର ମନିଟରିଂ ସେଲ ପ୍ରତିଷ୍ଠା କରାଯାଇଛି। ଏଣିକି ଯେଉଁମାନେ ରେରାର ବିଭିନ୍ନ ନିୟମ ଅନୁପାଳନ କରୁନାହାନ୍ତି ସେମାନଙ୍କୁ ଚିହ୍ନଟ କରି ତାଗିଦ୍ କରାଯିବା ସହ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ରେରାର ଅଧ୍ୟକ୍ଷ ସିଦ୍ଧାନ୍ତ ଦାସ ଏକ ସ୍ବତନ୍ତ୍ର ଉତ୍ସବରେ ଏହି ପ୍ରକୋଷ୍ଠର ଆନୁଷ୍ଠାନିକ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ରେରାର ସଦସ୍ୟ ପ୍ରଦୀପ ବିଶ୍ବାଳ, ଗୋପାଳ ଚନ୍ଦ୍ର ପଟ୍ଟନାୟକ ଏବଂ ସଚିବ ବିଜୟ ପୃଷ୍ଟିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
Follow Us