ଆଦିବାସୀ ମେଳାକୁ ଝୁରିବେ ରାଜଧାନୀବାସୀ: ଶୂନଶାନ୍‌ ପଡ଼ିଆ ଖାଁ ଖାଁ ପରିବେଶ

Advertisment
ଆଦିବାସୀ ମେଳାକୁ ଝୁରିବେ ରାଜଧାନୀବାସୀ: ଶୂନଶାନ୍‌ ପଡ଼ିଆ ଖାଁ ଖାଁ ପରିବେଶ

ଭୁବନେଶ୍ବର: ଶୂନଶାନ ଆଦିବାସୀ ପଡ଼ିଆ। ଖାଁ ଖାଁ ସମ୍ପୂର୍ଣ୍ଣ ପରିବେଶ। କୋଭିଡ୍‌ କଟକଣା ଯୋଗୁଁ ଚଳିତବର୍ଷ ଆଦିବାସୀ ମେଳାକୁ ବନ୍ଦ କରାଯାଇଛି। ତେଣୁ ଏବର୍ଷ ଆଉ ବଣଜଙ୍ଗଲ ଘେରା ପାହାଡ଼ ତଳି ଆଦିବାସୀ ଗାଁ ରାଜଧାନୀର ଶୋଭାବର୍ଦ୍ଧନ କରିବନାହିଁ। ଖପର କାତି ଓ ଛଣ ଛପର ନୁଆଁଣିଆ ଚାଳିଘର ଶୋଭା ପାଇବନି। ନାଲି ଦୋରସା ମାଟିର ଗୋବର ଲିପା କାନ୍ଥ ସାଙ୍ଗକୁ କଣିବାଡ଼ ଓ ଝାଟିମାଟି ଘେରା ଅଗଣାର ଝଲକ ଟିକେ ପାଇବାକୁ ପୁଣି ଆଉ ଏକ ବର୍ଷ ଅପେକ୍ଷା କରିବାକୁ ପଡ଼ିବ। ମାଟି ଚୁଲିଠୁ ନେଇ ଠାକୁରାଣୀ ଘର... ଢିଙ୍କିଶାଳରୁ ନେଇ ଧାନ ଅମାର ସହରିଆ ଛୁଆଙ୍କୁ ଆମୋଦିତ କରିବ ନାହିଁ। ସରଳ ଓ ନିଷ୍କପଟ ଆଦିବାସୀ ଗାଁ’ର ଏହି ଅବିକଳ ଚିତ୍ର ଏଥର ରାଜଧାନୀରେ ଶୋଭା ପାଇବ ନାହିଁ।

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍‌ ଦେଖିବାକୁ ରାଜଧାନୀବାସୀ ଯେମିତି ଉତ୍ସାହର ସହ ଅନେଇ ବସନ୍ତି, ସେହି ସଂଧ୍ୟାରେ ଅର୍ଥାତ ପ୍ରତିବର୍ଷ ଜାନୁଆରି ୨୬ ତାରିଖରେ ଉଦ୍‌ଘାଟିତ ହେଉଥିବା ‘ଆଦିବାସୀ ମେଳା’ ବି ସହରିଆଙ୍କ ଏକ ପ୍ରମୁଖ ଆକର୍ଷଣ ସାଜିଥାଏ। ଆଉ ଏହାର ୫ ଦିନ ପୂର୍ବରୁ ଆଦିବାସୀ ପଡ଼ିଆରେ ତିଆରି ଚାଲିଥିବା ଝାଟିମାଟି ଘର ଓ ଆଦିବାସୀ ଗାଁ ବି ସହରକୁ ଅଧିକ ଉତ୍ସବମୁଖର କରେ। ପ୍ରତିବର୍ଷ ଏହି ସମୟରେ ଚଳଚଞ୍ଚଳ ହୋଇପଡ଼ୁଥିବା ଆଦିବାସୀ ପଡ଼ିଆ କିନ୍ତୁ ଏବେ ଶୂନଶାନ ହୋଇ ପଡ଼ିଛି। ଅନ୍ୟପଟେ ଏହି ମେଳା ମାଧ୍ୟମରେ ଆଦିବାସୀ ଜନଜାତିର ଅଧିବାସୀମାନେ ବେଶ୍ କିଛି ରୋଜଗାରର ସୁଯୋଗ ପାଉଥିଲେ। ପ୍ରତିବର୍ଷ ଏହି ମେଳାରୁ ୮ କୋଟିରୁ ଅଧିକ ଟଙ୍କାର ବେପାର ହେଉଥିବା ବେଳେ ଧୀରେଧୀରେ ବେପାର ମଧ୍ୟ ବଢ଼ୁଥିଲା। କିନ୍ତୁ ଚଳିତ ବର୍ଷ ମେଳା ବନ୍ଦ ଯୋଗୁଁ ଆଦିବାସୀ ଅଧିବାସୀମାନେ କ୍ଷତି ସହିଥିବା ବେଳେ ରାଜଧାନୀବାସୀ ବି ନିରାଶ ହୋଇଛନ୍ତି। ଏଣୁ ଉଭୟ ‌ଆଦିବାସୀ ଓ ସହରିଆ ମେଳାକୁ ଏକ ପ୍ରକାର ଝୁରୁଛନ୍ତି।

ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଆଦିବାସୀ ପଡ଼ିଆରେ ଆୟୋଜିତ ହେଉଥିବା ‘ଆଦିବାସୀ ମେଳା’ ଆଦିବାସୀ ଗାଁ’କୁ ନଯାଇ ବି ଆଦିବାସୀ ଗାଁ’ର ଝଲକ ଦେବାରେ ସକ୍ଷମ ହେଉଥିଲା। ଏହି ଅବସରରେ ଆଦିବାସୀ ଗ୍ରାମପୁଞ୍ଜରେ ଜୁଆଙ୍ଗ, ଓରାଓଁ, ମୁଣ୍ଡା, ସାନ୍ତାଳ, କିଷାନ, ମୁଣ୍ଡାରି, ସଉରା, ବଣ୍ଡା ଭଳି ୨୪ଟି ଜନଜାତିଙ୍କ ଘର ଦେଖିବାକୁ ମିଳୁଥିଲା ବୋଲି ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ପ୍ରତିଷ୍ଠାନର ନିର୍ଦେଶକ ଅଖିଳ ବିହାରୀ ଓତା କହିଛନ୍ତି। ଖାଲି ସେତିକି ନୁହେଁ, ଏହି ମେଳା ମାଧ୍ୟମରେ ଆଦିବାସୀ ଗାଁ’ର ଅନୁଭବ ସାଙ୍ଗକୁ ଖାଣ୍ଟି ଜଙ୍ଗଲଜାତ ସାମଗ୍ରୀ କିଣାକିଣିର ସୁଯୋଗ ପାଉଥିଲେ ସହରିଆ। ହଳଦୀ, ମାଣ୍ଡିଆ, ମୁଗ, ବିରି, ବାସ୍ନା ଚାଉଳ, ମହୁ, ଝୁଣା, ଝାଡ଼ୁ, ପାଳୁଅ ପରି ଜଙ୍ଗଲଜାତ ଖାଦ୍ୟ ଓ ଅନ୍ୟ ସବୁ ସାମଗ୍ରୀ ସୁଲଭ ଦରରେ ଏହି ମେଳାରେ ମିଳେ। ବର୍ଷକୁ ଥରେ ଏହିଭଳି ଖାଣ୍ଟି ଜିନିଷ ଉପଲବ୍ଧ ହେଉଥିବାରୁ ଏହାକୁ ସହରବାସୀ ଅପେକ୍ଷା କରିଥାଆନ୍ତି। ୨୦୧୦ ମସିହାରୁ ଆରମ୍ଭ ହୋଇଥିବା ‌ଏହି ମେଳାରେ ସର୍ବାଧିକ ଲୋକଙ୍କ ସମାଗମ ହେବାର ରେକର୍ଡ ମଧ୍ୟ ରହିଛି।
ଆଦିବାସୀ ଖାଦ୍ୟ ପ୍ରାଙ୍ଗଣରେ ପାରମ୍ପରିକ ଚଟ୍‌ପଟି ଖାଦ୍ୟ ସାଙ୍ଗକୁ ମୁଢ଼ି ମାଂସ, ପାଳୁଅ/କାଙ୍ଗୁ ଖିରି, ମାଣ୍ଡିଆ ଜାଉ, ମାଣ୍ଡିଆ ପିଠା, ହର୍ବାଲ୍‌ ଜୁସ୍‌ ଭଳି ଖାଣ୍ଟି ଓ ସ୍ବାସ୍ଥ୍ୟ ଉପଯୋଗୀ ଖାଦ୍ୟ ମେଳାରେ ମିଳେ। ଏହି ମେଳାର ଅନ୍ୟତମ ଆକର୍ଷଣ ଥିଲା ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ।

ଏଥିରେ ଆଦିବାସୀ ପାରମ୍ପରିକ ନୃତ୍ୟ ଗୀତ, ସଂଗୀତ ଓ ନାଟକ‌ ଦେଖିବାକୁ ମିଳୁଥିଲା। କିଛି ଷ୍ଟଲ୍‌ରେ ଆଦିବାସୀ ଚିତ୍ରକଳା ମଧ୍ୟ ପ୍ରଦର୍ଶିତ ହୁଏ। ତେବେ କରୋନା କଟକଣା ଓ କରୋନାର ତୃତୀୟ ଲହର ଯୋଗୁଁ ଚଳିତ ବର୍ଷ ମେଳା ବନ୍ଦ ରହିଥିବା ଶ୍ରୀ ଓତା କହିଛନ୍ତି। ଗତବର୍ଷ କଟକଣା ଭିତରେ ମେଳା ଆୟୋଜିତ ହୋଇଥିଲା। କରୋନାର ପ୍ରକୋପ ଗତବର୍ଷ ଜାନୁଆରିରେ ସାମାନ୍ୟ କମ୍‌ ଥିଲା। ଏଣୁ ଗତବର୍ଷ ମେଳା ଆୟୋଜିତ ହେବା ସହ ଭିଡ଼ ନିୟନ୍ତ୍ରଣ ପାଇଁ ଭର୍ଚୁଆଲ ଭ୍ରମଣ ବ୍ୟବସ୍ଥା ସହ ଇ-ମାର୍କେଟିଂ ଦ୍ବାରା ଜିନିଷ କିଣାକିଣିର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଚଳିତ ଥର ଏହା କରିବା ସମ୍ଭବ ହୋଇନାହିଁ। ପୁଣି ଆସନ୍ତା ବର୍ଷ ଏହା ଅନୁଷ୍ଠିତ ହେବ ବୋଲି ଶ୍ରୀ ଓତା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe