ଦୂର୍ଗନ୍ଧମୟ ପରିବେଶରେ ଭିଏସ୍‌ଏସ୍‌ ନଗର ହାଉସିଂ ବୋର୍ଡ କଲୋନି ବାସିନ୍ଦା: ପ୍ରଧାନମନ୍ତ୍ରୀଙ୍କ ଅଫିସରୁ ଚିଠି ପରେ ମଧ୍ୟ କାର୍ଯ୍ୟନୁଷ୍ଠାନ ଶୂନ

Advertisment
ଦୂର୍ଗନ୍ଧମୟ ପରିବେଶରେ ଭିଏସ୍‌ଏସ୍‌ ନଗର ହାଉସିଂ ବୋର୍ଡ କଲୋନି ବାସିନ୍ଦା: ପ୍ରଧାନମନ୍ତ୍ରୀଙ୍କ ଅଫିସରୁ ଚିଠି ପରେ ମଧ୍ୟ କାର୍ଯ୍ୟନୁଷ୍ଠାନ ଶୂନ

ଭୁବନେଶ୍ବର: ସରକାରୀ ସଂସ୍ଥାରୁ ଘର କିଣିଲେ। ଭାବିଲେ ମୌଳିକ ସୁବିଧାରେ ଅଭାବ ରହିବନି। ସୁଖସ୍ବାଚ୍ଛନ୍ଦ୍ୟରେ ଜୀବନଯାପନ କରିବେ। ହେଲେ ୧୦ ବର୍ଷ ଧରି ଦୁର୍ଗନ୍ଧମୟ ପରିବେଶରେ ବାସ କରୁଛନ୍ତି। ସ୍ବରେଜ ଉଚ୍ଛୁଳି ମଳ ଘର କଡ଼ରେ ଭାସୁଛି। ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଅଭିଯୋଗ କରି କଲୋନି ବାସୀ ଥକିଗଲେଣି ହେଲେ କାର୍ଯ୍ୟାନୁଷ୍ଠାନ ହେଉନି। ଏହା କୌଣସି ଉପକଣ୍ଠବାସୀଙ୍କ କାହାଣୀ ନୁ‌ହେଁ ବରଂ ଉତ୍କଳ ବିଶ୍ବବିଦ୍ୟାଳୟ ନିକଟରେ ରହୁଥିବା ଭିଏସ୍‌ଏସ୍‌ ନଗର ହାଉସିଂବୋ‌ର୍ଡ଼ କଲୋନିଙ୍କ ଦୁର୍ଦ୍ଦଶାର କାହାଣୀ। ଦୀର୍ଘ ୧୦ ବର୍ଷ ଧରି ଦୁର୍ଗନ୍ଧ ଓ ଅସ୍ବାସ୍ଥ୍ୟକର ପରିବେଶରେ ରହୁଛନ୍ତି ଭିଏସଏସ ନଗର ହାଉସିଂ ବୋର୍ଡ କଲୋନି ବାସିନ୍ଦା। ପ୍ରଥମେ ମୁଖ୍ୟମନ୍ତ୍ରୀ ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ପାଇବା ପରେ ମଧ୍ୟ ସମସ୍ୟାର ସମାଧାନ ହୋଇପାରି ନାହିଁ। ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ ହାଉସିଂ ବୋର୍ଡ କଲୋନି ଉତ୍କଳ ବିଶ୍ୱବିଦ୍ୟାଳୟ ପଛପଟେ ରହିଛି। ବିଶ୍ବବିଦ୍ୟାଳୟର କ୍ବାର୍ଟର୍ସଗୁଡ଼ିକ କଲୋନିକୁ ଲାଗି ରହିଛି। କ୍ବାଟର୍ସଗୁଡ଼ିକର ଦୀର୍ଘ ଦିନ ହେଲା ମରାମତି ହୋଇନାହିଁ। ତେଣୁ ସ୍ବରେଜ ବ୍ୟବସ୍ଥ‌ା ସଂପୂର୍ଣ୍ଣ ହୁଗୁଳି ଯାଇଛି।

କ୍ବାଟର୍ସରୁ ବାହାରୁ ଥିବା ମଇଳା ପାଣି କଲୋନି କଡ଼ରେ ଭାସୁଛି। ବର୍ଷାଦିନେ ମଇଳା ପାଣି ଜମି ଦୁର୍ଗନ୍ଧରେ ସାରା ଅଞ୍ଚଳ ଫାଟି ପଡ଼ୁଛି। ପାଣି ଜମି ରହିବା ଫଳରେ କଲୋନିବାସୀ ମ୍ୟାଲେରିଆ, ଡେଙ୍ଗୁ ସହ ଚର୍ମ ରୋଗ ଭଳି ବିଭିନ୍ନ ପରିବେଶ ଜନିତ ରୋଗରେ ପୀଡ଼ିତ ହେଉଛନ୍ତି। ଏଥିପାଇଁ ସେମାନେ ଘରେ ମଧ୍ୟ ଶାନ୍ତିରେ ରହିପାରୁ ନ ଥିବା ଅଭିଯୋଗ କରିଛନ୍ତି। ତେବେ ଜନସାଧାରଣ ଏହି ସମସ୍ୟା‌ ଦୀର୍ଘ ବର୍ଷ ଧରି ରହିଥିଲେ ମଧ୍ୟ ସମାଧାନ ହୋଇପାରୁନି। ଏହି ସମସ୍ୟାର ସମାଧାନ ପାଇଁ ପ୍ରଥମେ ୨୦୧୪ ଓ ୨୦୧୮ରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ବିଭାଗୀୟ କର୍ତ୍ତୃପକ୍ଷ, ରାଜ୍ୟ ସରକାର, ବିଏମସି କର୍ତ୍ତୃପକ୍ଷ ଏବଂ ୱାଟ୍‌ଥକୋକୁ ଜଣାଇଥିଲେ। ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶରେ ବିଏମସି, ୱାଟକୋ କର୍ମଚାରୀ ଆସି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ସମାଧାନ ନେଇ ଆଲୋଚନା କରିଥିଲେ। ତେବେ କୌଣସି ଲାଭ ହୋଇନଥିଲା।

ଏହି ସମସ୍ୟାର ସମାଧାନ ନ ହେବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଚିଠି ପଠାଇଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ହେବାପରେ କେନ୍ଦ୍ରୀୟ ସ୍ୱରେଜ ବୋର୍ଡ କର୍ତ୍ତୃପକ୍ଷ ଘଟଣାସ୍ଥଳକୁ ଆସିଥିଲେ। ୭ ଦିନ ମଧ୍ୟରେ ସମାଧାନ ନେଇ ପ୍ରତିଶ୍ରୁତି ଦେଇଥିଲେ। ଏହା ଭିତରେ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଲୋକଙ୍କ ସମସ୍ୟା ଦୂର ହୋଇ ନ ଥିବା ଜଣାପଡିଛି। ଏ ନେଇ ବୁଧବାର ଦିନ ବିଏମସି କମିସନର ରାଜେଶ ପ୍ରଭାକର ପାଟିଲଙ୍କୁ ଜଣାଇବାରୁ ଏହି ସମସ୍ୟାର ସମାଧାନ ନେଇ ଦୃଷ୍ଟିଦେବେ ବୋଲି ସେ ଜଣାଇଛନ୍ତି। ସମସ୍ୟା ଲୋକଙ୍କ ଅଧିକାର କ୍ଷୁର୍ଣ୍ଣ କରୁଥିବା ସ୍ଥଳେ ଏହାର ସମାଧାନ ଦାୟିତ୍ୱ ପ୍ରକୃତରେ କାହା ଅଧୀନରେ ବୋଲି ପ୍ରଶ୍ନ ଉଠିବା ସହ ଅସନ୍ତୋଷ ବଢୁଛି। ସମସ୍ୟାର ଗୁରୁତ୍ୱକୁ ବୁଝି ଶୀଘ୍ର ସମାଧାନର ବାଟ ବାହାର କରିବାକୁ କଲୋନୀ ବାସିନ୍ଦା ଆଶାଲତା ଦାଶ, ଅମରେଶ ପାଣି, ଅରୁଣ କୁମାର ଦାଶ, ଅନିଶ ପାଣି ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe