OdishaTV
ଭୁବନେଶ୍ୱର: ଓଲିଉଡ୍ର ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ାଙ୍କ ମୃତ୍ୟୁ ଶ୍ବାସରୁଦ୍ଧ କାରଣରୁ ହୋଇଛି। ଗଳାରେ ରଶି ଚାପି ହୋଇଯିବାରୁ ଶ୍ବାସରୁଦ୍ଧ ହୋଇଥିଲା ଓ ତାଙ୍କ ମୃତ୍ୟୁ ଘଟିଥିଲା ବୋଲି ବ୍ୟବଚ୍ଛେଦ ରିପୋର୍ଟରୁ ସୂଚନା ମିଳିଛି। କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଆଜି ରିପୋର୍ଟ କମିସନରେଟ ପୁଲିସକୁ ହସ୍ତାନ୍ତର କରାଯାଇଛି। ଘଟଣା ସମୟରେ ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ଆତ୍ମହତ୍ୟା ବୋଲି ପୁଲିସ ଅନୁମାନ କରୁଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ସେହି ଦିଗକୁ ଇଙ୍ଗିତ କରିଛି। ହେଲେ କାହିଁକି ସେ ଏପରି ଚରମ ନିଷ୍ପତ୍ତି ନେଲେ, ତାହା ରହସ୍ୟଘେରରେ ରହିଛି।
ଏହି ରହସ୍ୟକୁ ଭେଦ କରିବା ଲାଗି କମିସନରେଟ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ମୃତଦେହ ଜବତ ବେଳେ ଶରୀରରେ କୌଣସି ବାହ୍ୟ କ୍ଷତ ଚିହ୍ନ ନ ଥିଲା। କେବଳ ବେକରେ ସାମାନ୍ୟ କ୍ଷତ ଚିହ୍ନ ଥିଲା। ରଶି ଚାପି ହେବା ଯୋଗୁଁ ଏହି କ୍ଷତ ସୃଷ୍ଟି ହୋଇଥିବା ସ୍ପଷ୍ଟ କରାଯାଇଛି। ଭିସେରା ରିପୋର୍ଟ ଆସିବା ପରେ ଆହୁରି କିଛି ତଥ୍ୟ ମିଳିବ ଓ ରହସ୍ୟ ଉନ୍ମୋଚନ ହେବ ବୋଲି କୁହାଯାଇଛି। ଭିସେରା ପରୀକ୍ଷା ପାଇଁ ମଞ୍ଚେଶ୍ବର ଥାନା ପୁଲିସ ରସୁଲଗଡ଼ ଫୋରେନ୍ସିକ୍ ଲାବ୍କୁ ନମୁନା ପଠାଇଛି। ପ୍ରକାଶ ଥାଉକି, ଗତ ୨୪ ତାରିଖ ଦିନ ମଞ୍ଚେଶ୍ବର ଥାନା ରସୁଲଗଡ଼ ଜିଜିପି କଲୋନି ନିକଟ ପ୍ରାଚୀବିହାରସ୍ଥିତ ବାସଭବନରୁ ରାଇମୋହନଙ୍କ ଝୁଲନ୍ତା ମୃତଦେହକୁ ପୁଲିସ ଜବତ କରିଥିଲା। ଏବେ ବି ସେ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଥିଲେ ବି ତାଙ୍କ ଦ୍ବାରା ଏଭଳି ଏକ ଅବିଶ୍ବସନୀୟ ପଦକ୍ଷେପ ପଛର କାହାଣୀକୁ ନେଇ ସମସ୍ତେ ସନ୍ଦିହାନ ଅଛନ୍ତି।
Follow Us