ଗଙ୍ଗୁଆ ନାଳର ପୁନରୁଦ୍ଧାର ଆରମ୍ଭ

ଗଙ୍ଗୁଆ ନାଳର ପୁନରୁଦ୍ଧାର ଆରମ୍ଭ

OdishaTV

ଭୁବନେଶ୍ବର: ଅସରାଏ ବର୍ଷା ହେଲେ ଉବୁଟୁବୁ ହେଉଛି ଭୁବନେଶ୍ବର। ପ୍ରାକୃତିକ ନାଳର ଅବରୋଧ ସହ ବେଆଇନ ନିର୍ମାଣ ଏହାର ପ୍ରମୁଖ କାରଣ। ଏହାସହ ସହରର ବର୍ଜ୍ୟଜଳ ଓ ବର୍ଷାଜଳ ନିଷ୍କାସନ ପାଇଁ ପ୍ରମୁଖ ମାଧ୍ୟମ ହୋଇଥିବା ଗଙ୍ଗୁଆ ନାଳ ମଧ୍ୟ ବର୍ଷ ବର୍ଷ ଧରି ଖୋଳା ଯାଇ ନଥିବାରୁ ଭୁବନେଶ୍ବର ଜଳବନ୍ଦୀ ହେବାର ଏହା ମଧ୍ୟ ଅନ୍ୟତମ କାରଣ ହେଉଛି। ଏହାକୁ ଆଖି ଆଗରେ ରଖି ଗତ ଏପ୍ରିଲ ୨୬ ତାରିଖରେ ହୋଇଥିବା ବିଭାଗୀୟ ସମନ୍ବୟ ବୈଠକରେ ଗଙ୍ଗୁଆ ନାଳ ସଫା କରିବାକୁ ନିଷ୍ପତ୍ତି ନିଆଯିବା ପରେ ଆଜିଠାରୁ ବିଧିବଦ୍ଧ ଭାବରେ କଟକ ଡ୍ରେନେଜ୍‌ ଡିଭିଜନ୍‌ କାମ ଆରମ୍ଭ କରିଛି। ତା’ ସହ ପ୍ରାଚୀଧାରା ଓ ନୟନଜୋରି ମଧ୍ୟ ପୁନରୁଦ୍ଧାର ହେବ। ଜୁନ୍‌ ୧୫ ସୁଦ୍ଧା ଏହି କାମ ସରିବ ବୋଲି ନିଷ୍ପତ୍ତି ହୋଇଛି।

ସହରରେ ୧୦ଟି ପ୍ରକୃତିକ ନାଳ ରହିଛି। ଏ ସବୁ ଜରିଆରେ ସହରରୁ ବର୍ଜ୍ୟଜଳ ନିଷ୍କାସିତ ହୁଏ। କିନ୍ତୁ ବର୍ଷ ବର୍ଷ ଧରି ଏହି ଗଙ୍ଗୁଆ ନାଳ ଠିକ୍ ଭାବେ ସଫା ହେଉନଥିଲା। ଅଳ୍ପ କିଛି ଅଂଶ ବିଏମସି ଅଧୀନରେ ରହୁଥିବା ବେଳେ ବାକି ଅଂଶ ଡ୍ରେନେଜ୍‌ ଡିଭିଜନ୍‌ ଅଧୀନରେ ରହୁଥିଲା। ଫଳରେ ସମନ୍ବୟ ଅଭାବରୁ କାମ ହୋଇପାରୁନଥିଲା।

ସେହିଭଳି ୱାର୍ଡ ନମ୍ବର ୪ ଅଞ୍ଚଳରେ ରହିଥିବା ପ୍ରାଚୀଧାରା ଓ ନୟନଜୋରି ଏକାଠି ହୋଇଥିବା ସ୍ଥାନରେ ମଧ୍ୟ ଜଳ ନିଷ୍କାସନ ହୋଇପାରୁନାହିଁ। ଫଳରେ ଗଙ୍ଗୁଆ ନାଳର ଅନ୍ୟ ସବୁ ଅଞ୍ଚଳ ସଫା ହୋଇଥିଲେ ମଧ୍ୟ ଏହି ପ୍ରାଚୀଧାରା ଓ ନୟନଜୋରି ଜାମ୍‌ ରହୁଥିବାରୁ କିଛି ଲାଭ ହେଉନାହିଁ। ପୂର୍ବବତ୍‌ ଜଳ ନିଷ୍କାସନ ସମସ୍ୟା ସମାଧାନ ହୋଇ ପାରୁନାହିଁ।

ଦୀର୍ଘ ଦିନ ଧରି ଏଭଳି ସମସ୍ୟା ରହିବା ପରେ ଗତବର୍ଷ ଏହାର ତର୍ଜମା ହୋଇଥିଲା। ବିଏମ୍‌ସି କମିସନର ସଞ୍ଜୟ ସିଂହ ଡ୍ରେନେଜ୍‌ ଡିଭିଜନ୍‌କୁ ଜଳ ନିଷ୍କାସନ ନ ହେବା କାରଣ ଖୋଜିବାକୁ ନିର୍ଦ୍ଦେଶ ଦେଇଥିଲେ। ଡିଭିଜନ୍‌ ଏହି ସବୁ କାରଣ ଖୋଜିବା ପରେ ଗତ ଏପ୍ରିଲ ୨୬ ତାରିଖରେ ବିଭାଗୀୟ ସମନ୍ବୟ ବୈଠକ ବସିଥିଲା। କେଉଁଠାରୁ କେଉଁ ପର୍ଯ୍ୟନ୍ତ ଭୁବନେଶ୍ବର ଡ୍ରେନେଜ୍‌ ଡିଭିଜନ୍‌ କରିବ ଓ କେଉଁ ପର୍ଯ୍ୟନ୍ତ କଟକ ଡ୍ରେନେଜ୍‌ ଡିଭିଜନ୍‌ କରିବ ସେ ନେଇ ନିଷ୍ପତ୍ତି ହୋଇଥିଲା। ହେଲେ ଡ୍ରେନେଜ୍‌ ଡିଭିଜନ୍‌ କାମ ଆରମ୍ଭ କରିନଥିଲା। ଏନେଇ କମିସନର ଶ୍ରୀ ସିଂହ ଜଳସମ୍ପଦ ବିଭାଗ ଅତିରିକ୍ତ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ। ଚିଠିକୁ ଆଧାର କରି ଅତିରିକ୍ତ ସଚିବ କଟକ ଡ୍ରେନେଜ୍‌ ଡିଭିଜନ୍‌ ମୁଖ୍ୟଯନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଚିଠିକୁ ଆଧାର କରି ଆଜିଠାରୁ ଡ୍ରେନେଜ୍‌ ଡିଭିଜନ୍‌ କାମ ଆରମ୍ଭ କରିଛି। ଭୁବନେଶ୍ବର ସହର ଭିତରେ ରହିଥିବା ଗଙ୍ଗୁଆ ନାଳ, ପ୍ରାଚୀଧାରା ଓ ନୟନଜୋରିକୁ ଭୁବନେଶ୍ବର ଡ୍ରେନେଜ୍‌ ଡିଭିଜନ୍‌ ପୁନରୁଦ୍ଧାର କରିବ। ସମାନ୍ତରାଳ ଭାବରେ କାମ ହୋଇ ଜୁନ୍‌ ଅଧା ବେଳକୁ ଶେଷ ହେବ।

ତେବେ ଏହା ପୂର୍ବରୁ ସହର ଭିତରେ ଥିବା ସମସ୍ତ ଡ୍ରେନ୍‌ର ପୁନରୁଦ୍ଧାର କାମ ଆରମ୍ଭ ହୋଇଛି। ମେୟର ସୁଲୋଚନା ଦାସଙ୍କ ନିର୍ଦ୍ଦେଶକ୍ରମେ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଏହି କାମ ମଧ୍ୟ ଜୁନ୍‌ ୧୫ସୁଦ୍ଧା ସାରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏଣୁ ଚଳିତ ବର୍ଷ ଭୁବନେଶ୍ବର ଜଳବନ୍ଦୀ ସମସ୍ୟାରୁ କିଛି ପରିମାଣରେ ମୁକ୍ତି ପାଇପାରେ ବୋଲି ଆଶା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe