ଖାଓ ଗଳିରେ କଟକଣା : ବିନା ଲାଇସେନ୍ସରେ ବ୍ୟବସାୟ ମନା

Advertisment
ଖାଓ ଗଳିରେ କଟକଣା : ବିନା ଲାଇସେନ୍ସରେ ବ୍ୟବସାୟ ମନା

ଭୁବନେଶ୍ବର : ରାମମନ୍ଦିର ନିକଟ ଖାଓ ଗଳିରେ ଶନିବାର ଦିନ ବିଏମ୍‌ସି ପୁଣି କଟକଣା ଜାରି କରିଛି। ଏଠାରେ ଲାଇସେନ୍ସପ୍ରାପ୍ତ ଦୋକାନୀଙ୍କ ବ୍ୟତୀତ ଏକାଧିକ ବ୍ୟବସାୟୀ ବିନା ଲାଇସେନ୍ସରେ ବସି ବ୍ୟବସାୟ କରୁଥିବାରୁ ବିଏମ୍‌ସି ଏଠାରେ ‘ନୋ ଭେଣ୍ଡିଂ ଜୋନ୍‌’ ସାଇନ୍‌ ବୋର୍ଡ ଲଗାଇ ସେମାନଙ୍କୁ ବ୍ୟବସାୟ କରିବାକୁ ବାରଣ କରିଛି। ରାସ୍ତା ଜବରଦଖଲ କରି ଏଠାରେ ବେଆଇନ ଭାବରେ ବସି ସେମାନେ ବ୍ୟବସାୟ କରୁଥିବାରୁ ଏଭଳି କଟକଣା କରାଯାଇଥିବା ବିଏମ୍‌ସି କହିଛି। କଟକଣା ନ ମାନି ବ୍ୟବସାୟ କଲେ ଫୌଜଦାରୀ ମାମଲା ରୁଜୁ ହେବ ବୋଲି ଜଣାପଡ଼ିଛି।

ଖାଓଗଳିର ଲାଇସେନ୍ସପ୍ରାପ୍ତ ବ୍ୟବସାୟୀଙ୍କ ବ୍ୟତୀତ ୨୦ରୁ ଊର୍ଦ୍ଧ୍ବ ବ୍ୟବସାୟୀ ବସୁଥିବାରୁ ଏକାମ୍ର ହାଟ ରୋଡ୍‌ରେ ଟ୍ରାଫିକ୍‌ ସମସ୍ୟା ଉପୁଜୁଥିଲା। ଦୁଇ ଦିନ ତଳେ ବିଏମ୍‌ସିର ଏନ୍‌ଫୋର୍ସମେଣ୍ଟ ଟିମ୍‌ ଚଢ଼ଉ କରି ସେମାନଙ୍କୁ ଚେତାବନୀ ଦେଇଥିଲା। ହେଲେ ସେମାନେ ନ ଶୁଣି ବ୍ୟବସାୟ ଚଳାଇଥିଲେ। ସେଥିପାଇଁ ଆଜି ସାଇନ୍‌ ବୋର୍ଡ ଲଗାଯାଇଛି। କିଛି ଦିନ ତଳେ ଏଠାରେ ପ୍ରବଳ ଭିଡ଼ ହେବା ସହ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଠାରେ ଥିବା ଏକ ଘରୋଇ ସ୍କୁଲର ଅଭିଭାବକମାନେ ମେୟରଙ୍କୁ ଅଭିଯୋଗ କରିଥିଲେ। ମେୟର ସୁଲୋଚନା ଦାସ ନିଜେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ପରିସ୍ଥିତି ହୋଇଥିଲା। ସେଠାରେ ଜଣେ ହେଲେ ଲାଇସେନ୍ସଧାରୀ ନଥିଲେ। ଏଣୁ ସମସ୍ତ ଦୋକାନକୁ ବନ୍ଦ କରିବାକୁ ମେୟର ନିର୍ଦ୍ଦେଶ ଦେଇଥିଲେ। ପରେ ଲାଇସେନ୍ସଧାରୀ ଏକାଠି ହୋଇ ମେୟରଙ୍କୁ ଆବେଦନ କରିବା ପରେ ଏହି ବଜାର ଖୋଲିଥିଲା। ସେବେଠାରୁ ଏହା ଉପରେ ବିଏମ୍‌ସି ନଜର ରଖିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe