ଚିକିତ୍ସା ଭତ୍ତା ଦାବିରେ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର ସମାବେଶ

ଚିକିତ୍ସା ଭତ୍ତା ଦାବିରେ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର ସମାବେଶ

ଭୁବନେଶ୍ୱର : ରାଜ୍ୟର ଅବସରପ୍ରାପ୍ତ କର୍ମଚାରୀଙ୍କୁ କେନ୍ଦ୍ର ଅନୁରୂପ ଚିକିତ୍ସାଭତ୍ତା ଓ ଚିକିତ୍ସା ସୁବିଧା ପ୍ରଦାନ କରିବା ଦାବି ନେଇ ଆଜି ରାଜରାସ୍ତାକୁ ଓହ୍ଲାଇଛି ଓଡ଼ିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ।

ମହାସଂଘର ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ଦାସ ଓ ମହାସଚିବ ଗୋକୁଳାନନ୍ଦ ବେହେରାଙ୍କ ନେତୃତ୍ଵରେ ଆଜି ଶତାଧିକ ପେନସନ୍‌ଧାରୀ ବରିଷ୍ଠ ନାଗରିକମାନେ ମାଷ୍ଟରକ୍ୟାଣ୍ଟିନ୍‌ରୁ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜିରେ ପହଞ୍ଚିଥିଲେ। ମହାସଂଘର ଦାବି ଅନୁଯାୟୀ, ରାଜ୍ୟର ପେନସନ୍‌ଭୋଗୀଙ୍କୁ ଚିକିତ୍ସାଭତ୍ତା ଓ ସୁବିଧା ପାଇଁ ୨୦୦୭ ମସିହାରୁ ଦାବି ହୋଇ ଆସୁଥିଲେ ହେଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଦେଶର ୨୪ଟି ରାଜ୍ୟରେ ପେନସନ୍‌ଭୋଗୀଙ୍କୁ ଚିକିତ୍ସାଭତ୍ତା ପ୍ରଦାନ କରାଯାଉଥିବା ସମ୍ବନ୍ଧୀୟ ନଥିପତ୍ର ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରାଯାଇଥିଲା। ମାତ୍ର ସରକାର କୌଣସି ପଦକ୍ଷେପ ନ ନେବାରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ହୋଇଥିଲା। ବାଧ୍ୟହୋଇ ୨୦୧୩ରେ ପିଜିପିଏ ବିଭାଗର ତତ୍କାଳୀନ ପ୍ରମୁଖ ସଚିବ ପ୍ରାଥମିକ ଅବସ୍ଥାରେ ୩ଶହ ଟଙ୍କାର ମାସିକ ଚିକିତ୍ସାଭତ୍ତା ଦେବାକୁ ଅର୍ଥ ବିଭାଗକୁ ମଞ୍ଜୁର ପାଇଁ ପଠାଇଥିଲେ। ମାତ୍ର ୫ବର୍ଷ ହେବ ଏହା ପଡ଼ି ରହିଛି। ତେଣୁ ପେନସନ୍‌ଭୋଗୀଙ୍କୁ ଚିକିତ୍ସାଭତ୍ତା ପ୍ରଦାନ ପାଇଁ ତୁରନ୍ତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ଆନ୍ଦୋଳନରେ ପ୍ରତାପ ଚନ୍ଦ୍ର ମିଶ୍ର, ସୁରେଶ ଚନ୍ଦ୍ର ମୁନୀ, ବିବେକାନନ୍ଦ ନାୟକ, ସୁରେନ୍ଦ୍ର ରାୟ, ପରମଜିତ ମହାନ୍ତି, ରାଜେନ୍ଦ୍ର ଜେନା, ଅନାଥବ୍ଧୁ ଦାସ, କୈଳାସ ଚନ୍ଦ୍ର ସାମଲ, ବୈକୁଣ୍ଠନାଥ ପାଣି ଓ ପୀତାମ୍ବର ବାବୁ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe