ଭୁବନେଶ୍ୱର: ୫ ଦିନ ପରେ ମହାଶିବରାତ୍ରୀ। ଉତ୍ସବମୁଖର ହେବ ପ୍ରଭୁ ଲିଙ୍ଗରାଜଙ୍କ ପୀଠ। ମହାଶିବରାତ୍ରୀରେ ଲିଙ୍ଗରାଜ ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତିକାନ୍ତି ସହ ଜାଗର ଯାତ୍ରାକୁ ସଫଳ କରିବା ନେଇ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ, ନୀତିକାନ୍ତିସମ୍ପୃକ୍ତ ନିଯୋଗ ଓ ସେବାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ପ୍ରଭୁ ଲିଙ୍ଗରାଜଙ୍କ ଜାଗରଯାତ୍ରା ପ୍ରସ୍ତୁତିର ବିସ୍ତୃତ ସମୀକ୍ଷା କରାଯାଇଥିଲା।

Advertisment

ନକଲି ପାସ୍‌ଧାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ
ହେବ ପର୍ଯ୍ୟାପ୍ତ ପାର୍କିଂ, ଜଳଯୋଗାଣ, ପରିମଳ ବ୍ୟବସ୍ଥା
ଭିଡ଼ ନିୟନ୍ତ୍ରଣ ଉପରେ ରହିବ ସ୍ୱତନ୍ତ୍ର ନଜର

ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ, ଜାଗର ଯାତ୍ରାକୁ  ସଫଳ କରିବାପାଇଁ ବିଭିନ୍ନ ନିଯୋଗର ସେବାୟତ, ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ, ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ, ମହାନଗର ନିଗମ, ଅଗ୍ନିଶମ ସେବା, ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଲିଙ୍ଗରାଜ ମହାପ୍ରଭୁଙ୍କ ଜାଗର ଯାତ୍ରା ଓ ମହାଦୀପ ଉଠିବା ସମୟକୁ ସାରା ବିଶ୍ୱର ଶିବଭକ୍ତମାନେ ଅପେକ୍ଷା କରିଥା’ନ୍ତି। ଏଣୁ ନିର୍ଦ୍ଧାରିତ ସମୟ ଅନୁସାରେ ନୀତିକାନ୍ତି ସମ୍ପନ୍ନ, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନଠାରୁ ଆରମ୍ଭ କରି ମହାଦୀପ ଉଠିବା ପର୍ଯ୍ୟନ୍ତ ସବୁକୁ ସୂଚାରୁ ରୂପେ ସମ୍ପନ୍ନ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଜାଗରରେ ନକଲି ପାସ୍‌ଧାରୀ ସେବାୟତ ଓ ଅନ୍ୟ ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Powerlifting Championship: ଖୋର୍ଦ୍ଧା ଦଳଗତ ବିଜେତା; ପ୍ରତିଷ୍ଠା, ସୋମେନ ଶ୍ରେଷ୍ଠ

ଏହି ଅବସରରେ ମନ୍ଦିର ପରିସର ସଫେଇ ବ୍ୟବସ୍ଥା, ଆଲୋକୀକରଣ, ବ୍ୟାରିକେଡିଂ, ପାର୍କିଂ, ପରିମଳ, ପାନୀୟ ଜଳ ବ୍ୟବସ୍ଥା, ଭକ୍ତଙ୍କ ସୁରକ୍ଷା ପାଇଁ ଛାୟାପ୍ରଦ ସେଡ୍‌ ଓ ପବନ ଚଳାଚଳ ବ୍ୟବସ୍ଥା, ଅଗ୍ନି ନିରାପତ୍ତା, ଭିଡ଼ ଓ ଟ୍ରାଫିକ୍‌ ପରିଚାଳନା, ମନ୍ଦିର ତଥା ଆଖପାଖ ଅଞ୍ଚଳର ସାଜସଜ୍ଜା, କଣ୍ଟ୍ରୋଲ ରୁମ୍‌, ସିସିଟିଭି ବ୍ୟବସ୍ଥା, ଗଣମାଧ୍ୟମ ଜରିଆରେ ସୁଚାରୁ ରୂପେ ପ୍ରସାରଣ ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ବିଏମ୍‌ସି ମେୟର ସୁଲୋଚନା ଦାସ, ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲ, ଦେବୋତ୍ତର କମିସନର ଲଲାଟେନ୍ଦୁ ଜେନା, ଭୁବନେଶ୍ବର-କଟକ ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ, ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଭୁବନେଶ୍ୱରର ଅତିରିକ୍ତ ଜିଲ୍ଲାପାଳ ରମେଶ କୁମାର ଜେନା, ଆଇନ ବିଭାଗ ଅତିରିକ୍ତ ଶାସନ ସଚିବ ଶିବପ୍ରସାଦ ମହାପାତ୍ର, ଅବକାରୀ ବିଭାଗ ଅତିରିକ୍ତ ଶାସନ ସଚିବ ରୁଦ୍ର ନାରାୟଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Hockey: ଏଫ୍‌ଆଇଏଚ୍‌ ପ୍ରୋଲିଗ୍‌ର ଭାରତ ପର୍ଯ୍ୟାୟ ଆଜିଠୁ; ଯାଦୁ ଦେଖାଇବେ ୫ ଓଡ଼ିଆ