ଅବର୍ତ୍ତମାନରେ ବି ଅବହେଳିତ ବିପ୍ଳବୀ ଚକ୍ରଧର, ସଫା ହେଉନି ପ୍ରତିମୂର୍ତ୍ତି

Advertisment
ଅବର୍ତ୍ତମାନରେ ବି ଅବହେଳିତ ବିପ୍ଳବୀ ଚକ୍ରଧର, ସଫା ହେଉନି ପ୍ରତିମୂର୍ତ୍ତି

ଭୁବନେଶ୍ବର : କନିକା କ୍ରାନ୍ତିର ମହାନାୟକ ତଥା ବିପ୍ଳବୀ ଚକ୍ରଧର ବେହେରାଙ୍କ ୪୮ତମ ଶ୍ରାଦ୍ଧବାର୍ଷିକୀକୁ ଆଉ ଦିନେ ବାକି ରହିଲା। ମାତ୍ର ସେ ବଞ୍ଚି ରହିଥିବା ବେଳେ ଯେପରି ଅବହେଳା ଓ ଉପେକ୍ଷାର ଶିକାର ହୋଇଥିଲେ, ମୃତ୍ୟୁ ପରେ ମଧ୍ୟ ତାଙ୍କ ସ୍ମୃତିକୁ ନ୍ୟାୟ ଦିଆଯାଇ ପାରିଲାନାହିଁ। ଏହାର ଏକ ଜ୍ବଳନ୍ତ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ରାଜଭବନ ଛକ ନିକଟରେ ଥିବା ଚକ୍ରଧର ବେହେରାଙ୍କ ପ୍ରତିମୂର୍ତ୍ତିରୁ। ୨୦୧୯ ଫେବ୍ରୁଆରି ୨ରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଦ୍ବାରା ଚକ୍ରଧର ବେହେରାଙ୍କ ସମେତ ବାରିଷ୍ଟର ଉତ୍କଳ ରତ୍ନ ବିଶ୍ବନାଥ ମିଶ୍ର ଓ ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କ ପୂର୍ଣ୍ଣାବୟବ ମୂର୍ତ୍ତିକୁ ଉଦ୍‌ଘାଟନ କରିଥିଲେ। ହେଲେ କେବଳ ଉଦ୍‌ଘାଟନ କରି ରକ୍ଷଣାବେକ୍ଷଣ କଥା ଭୁଲିଯିବାରୁ ବର୍ତ୍ତମାନ ଧୀରେ ଧୀରେ ବିପ୍ଳବୀ ଚକ୍ରଧର ବେହେରାଙ୍କ ପ୍ରତିମୂର୍ତ୍ତି ଚମକଶୂନ୍ୟ ହୋଇଗଲାଣି। ମାସ ମାସ ଧରି ମୂର୍ତ୍ତି ଓ ଏହା ଚାରିପାଖ ସଫା ହେଉନାହିଁ। ଫଳରେ ମୂର୍ତ୍ତି ପଛ ପାଖରେ ଉଇ ହୁଙ୍କା ହୋଇଗଲାଣି। ରାଜଭବନ ଭଳି ଗୁରୁତ୍ବପୂର୍ଣ୍ଣ ଛକରେ ଏହି ମୂର୍ତ୍ତି ପ୍ରତିଷ୍ଠା କରାଯାଇଥିଲେ ସୁଦ୍ଧା ନା ଏଥିପ୍ରତି କାହା ନଜର ପଡ଼ୁଛି, ନା ସରକାରୀ ସ୍ତରରେ ଏହାକୁ ସଫା ରଖିବା ପାଇଁ ଉଦ୍ୟମ କରାଯାଉଛି।

ଗଛର ଆଢ଼ୁଆଳରେ ପ୍ରତିମୂର୍ତ୍ତି ଲୁଚିଗଲାଣି। ପ୍ରତିମୂର୍ତ୍ତିଗୁଡ଼ିକୁ ନିୟମିତ ବ୍ୟବଧାନରେ ସଫା କରାଯାଇ ରଙ୍ଗ ଲେପନ କରାଯାଉନଥିବାରୁ ଦୀର୍ଘବର୍ଷ ତଳର ପ୍ରତିମୂର୍ତି ପରି ପ୍ରତୀତ ହେଉଛି। ତେବେ ବିଏମ୍‌ସି ପକ୍ଷରୁ ମହାପୁରୁଷମାନଙ୍କ ମୂର୍ତ୍ତିକୁ ସଫା ସୁତୁରା ରଖିବା ସହିତ ରକ୍ଷଣାବେକ୍ଷଣ କରିବା ପାଇଁ ଲାୟନ୍ସ ଓ ଜାଗୃତି ନାମକ ଦୁଇଟି ଘରୋଇ ସଂସ୍ଥାକୁ ନିଯୁକ୍ତ କରାଯାଇଛି। ହେଲେ ଏହି ଦୁଇ ସଂସ୍ଥା କେବଳ ମହାପୁରୁଷଙ୍କ ଜନ୍ମ ଓ ତିରୋଧାନ ଦିବସ ଦେଖି ତତ୍ପରତା ଦେଖାଉଛନ୍ତି, ସେ ନେଇ ବିଏମ୍‌ସି ତଦାରଖ କରୁନାହିଁ। ଏନେଇ ବିଏମ୍‌ସିର ଡେପୁଟି କମିସନର୍ ଶୁଭେନ୍ଦୁ ସାହୁଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ଉତ୍ତର ମିଳିନିଥିଲା। ଯିଏ ଏଇ ମାଟି ତଥା ଲୋକଙ୍କ ପାଇଁ ସ୍ବର ଉଠାଇ ସାରା ଜୀବନ ଅବହେଳିତ ହୋଇ ରହିଗଲେ, ତାଙ୍କ ଅବର୍ତ୍ତମାନରେ କେହି ଜଣେ ହେଲେ ପଦେ କହିବାକୁ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe