ସଡ଼କ ସୁରକ୍ଷା ସଚେତନତା ଆରମ୍ଭ: ସ୍ଥିତି ବିଗିଡ଼ିବା ପୂର୍ବରୁ ସୁଧୁରିଯାଅ: କମିସନର

Advertisment

୨୦୧୯ରେ ରାଜଧାନୀରେ ଦୁର୍ଘଟଣା ନେଇଛି ୧୬୨ ଜୀବନ

୨୦୧୯ରେ ରାଜଧାନୀରେ ଦୁର୍ଘଟଣା ନେଇଛି ୧୬୨ ଜୀବନ

ସଡ଼କ ସୁରକ୍ଷା ସଚେତନତା ଆରମ୍ଭ: ସ୍ଥିତି ବିଗିଡ଼ିବା ପୂର୍ବରୁ ସୁଧୁରିଯାଅ: କମିସନର

ଭୁବନେଶ୍ବର: ୨୦୧୯ରେ ରାଜ୍ୟରେ ୫୩୩୩ଟି ସଡ଼କ ଦୁର୍ଘଟଣା ଘଟିଥିବା‌ବେଳେ କେବଳ ଭୁବନେଶ୍ବରରେ ୫୧୭ଟି ଦୁର୍ଘଟଣା ଘଟିଛି। ଏହି ୫୧୭ଟି ଦୁର୍ଘଟଣାରେ ୧୬୨ ଜଣଙ୍କର ମୃତ୍ୟୁ ଘଟିଛି ଓ ୪୧୧ ଜଣ ଆହତ ହୋଇଛନ୍ତି। ପରିତାପର ବିଷୟ ହେଲା ୪୧୧ ଆହତଙ୍କ ମଧ୍ୟରୁ ୨୯୪ଜଣ ଦୁର୍ଘଟଣା ପରେ ବିକଳାଙ୍ଗ ହୋଇ ଯାଇଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ୫୧୭ ଦୁର୍ଘଟଣାରେ ୩୦୯ଜଣ କେବଳ ବାଇକ୍‌ ଚାଳକ ଅଛନ୍ତି। ତେଣୁ ଏତେ ସଚେତନତା କାର୍ଯ୍ୟକ୍ରମ ସତ୍ତ୍ବେ ଲୋକଙ୍କ ମାନସିକତାରେ କୌଣସି ପରିବର୍ତ୍ତନ ହେଉଥିବା ଜଣାପଡ଼ୁନାହିଁ। ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି। ତେଣୁ ଏହି ପରିସ୍ଥିତି ଆହୁରି ବିଗିଡ଼ିଯିବା ପୂର୍ବରୁ ଅଧିକ ସଚେତନ ହେବାକୁ ପଡ଼ିବ ବୋଲି କହିଛନ୍ତି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ।

ସପ୍ତାହେ ନୁହେଁ, ଏଥର ମାସେ ଧରି ଚାଲିବ ସୁରକ୍ଷା କାର୍ଯ୍ୟକ୍ରମ

ଆଜି କମିସନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍‌ ଥାନା ପରିସରରେ ଆୟୋଜିତ ସଡ଼କ ସୁରକ୍ଷା ସଚେତନତା ସଂପର୍କିତ ପ୍ରଥମ କାର୍ଯ୍ୟକ୍ରମକୁ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଉଦ୍‌ଘାଟନ କରିଥିଲେ। ଚଳିତ ବର୍ଷ ରାଜଧାନୀରେ ଏହି କାର୍ଯ୍ୟକ୍ରମକୁ ଗୋଟିଏ ସପ୍ତାହ ଭିତରେ ସୀମିତ ନ ରଖି ମାସେ ପର୍ଯ୍ୟନ୍ତ ଚାଲୁ ରଖିବା‌କୁ ନିଷ୍ପତ୍ତି ହୋଇଥିବା‌ ଏହି ଅବସରରେ ସୂଚନା ଦିଆଯାଇଥିଲା। ଦିନକୁ ଦିନ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାରୁ ଲୋକଙ୍କୁ ଅଧିକ ସଚେତନ କରିବା ଲକ୍ଷ୍ୟରେ କମିସନରେଟ୍‌ ପୁଲିସ ଏଭଳି ନିଷ୍ପତ୍ତି ନେଇଛି। ସ୍ବାଗତ ଭାଷଣ ଦେଇ ଟ୍ରାଫିକ୍‌ ଡିସିପି ସୌମ୍ୟା ମିଶ୍ର ମାସିକିଆ କାର୍ଯ୍ୟକ୍ରମ ବାବଦରେ ସୂଚନା ଦେଇଥିଲେ ଏବଂ ଏହି ଅବଧି ମଧ୍ୟରେ ସ୍କୁଲ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଯୁବ ବର୍ଗଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଟ୍ରାଫିକ୍‌ ନିୟମ ବାବଦରେ ସଚେତନ କରାଯିବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ, ଅତିରିକ୍ତ ଟ୍ରାଫିକ୍‌ ଡିସିପି କିଶୋର ପାଣିଗ୍ରାହୀ, ଏସିପି ସ୍ବସ୍ତିକ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ହେଲ୍ପମେଟ୍‌, ରୋଟାରି, ଜୀବନ ସେବା, ଲାୟନ୍ସ କ୍ଲବ୍‌, ଜୟ ଓଡ଼ିଶା ପ୍ରଭୃତି ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ୩୨ତମ ସଡ଼କ ସୁରକ୍ଷା ସଚେତନତା ମାସ ପାଳନର ହେଲ୍‌ଥ ପାର୍ଟନର୍‌ ଥିବା ଆମ୍ରି ହସ୍ପିଟାଲର ଭୁବନେଶ୍ବର ମୁଖ୍ୟ ନିଲାଞ୍ଜନା ମୁଖାର୍ଜୀ ୨୫ଟି ଫାଷ୍ଟଏଡ୍‌ କିଟ୍‌ ପ୍ରଦାନ କରିଥିଲେ। ଏହି ଅବସରରେ ଆମ୍ରି ପକ୍ଷରୁ ସ୍ବାସ୍ଥ୍ୟ ସଂପର୍କିତ ଏକ ପୁଲିସ୍‌ ମାନୁଆଲ୍‌ ଲୋକାର୍ପିତ ହୋଇଥିଲା।

publive-image

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ୧ ଲକ୍ଷ ୩୭ ହଜାର ୭୪୫ଜଣ ଟ୍ରାଫିକ୍‌ ଉଲ୍ଲଂଘନକାରୀଙ୍କୁ ଜରିମାନା କରାଯାଇଥିଲା। ମୋଟରଯାନ ଆଇନ ବଳରେ ସେମାନଙ୍କ ଠାରୁ ୧୩ କୋଟି ୩ ଲକ୍ଷ ୭୩ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିଲା। ସେହିଭଳି ସହରାଞ୍ଚଳ ପୁଲିସ ଆଇନ ଉଲ୍ଲଂଘନ କରି ୨୧ ହଜାର ୫୯୯ ଜଣ ଧରା ପଡ଼ିଥିଲେ ଏବଂ ୩୮୯୧ ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ବାତିଲ ହୋଇଥିଲା। ତେବେ ଚଳିତ ବର୍ଷ ଏହି ପଦ‌କ୍ଷେପକୁ ଅଧିକ କଡ଼ାକଡ଼ି କରାଯିବ ବୋଲି ଅଧିକାରୀମାନଙ୍କୁ କମିସନର ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe