ମଦ ଜବତକୁ ବିରୋଧ କରି ରାସ୍ତାରୋକ୍‌: ପୁଲିସକୁ ପିଟିଲେ, ସମିତି ସଭ୍ୟଙ୍କ ସମେତ ୬ ଗିରଫ

Advertisment
ମଦ ଜବତକୁ ବିରୋଧ କରି ରାସ୍ତାରୋକ୍‌: ପୁଲିସକୁ ପିଟିଲେ, ସମିତି ସଭ୍ୟଙ୍କ ସମେତ ୬ ଗିରଫ

ବାଲିପାଟଣା : ଗତକାଲି ଚୋରା ମଦ ଜବତ କରିବାକୁ ଯାଇ ବାଲିପାଟଣା ଥାନା ପୁଲିସ ନରଦା ବଜାରରେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲା। ଚଢ଼ଉ ବେଳେ ସ୍ଥାନୀୟ ଲୋକେ ଜଣେ ପୁଲିସ କର୍ମଚାରୀଙ୍କୁ ମାଡ଼ ମାରିବା ସହ ଚୋରା ମଦ କାରବାର କରୁଥିବା ଅଭିଯୁକ୍ତକୁ ପୁଲିସ ହାତରୁ ଛଡ଼ାଇନେଇଥିଲେ। ଆଜି ପୁଣି ସେମାନେ ପୁଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଅଭିଯୋଗ କରି ରାସ୍ତା‌ରୋକ୍‌ କରିଥିଲେ। ଫଳରେ ପୁରୀ-କୋଣାର୍କ ରାସ୍ତାରେ ଯାତାୟାତ ଠପ୍‌ ହୋଇଯାଇଥିଲା। ତେଣୁ ପୁଲିସ ଆନ୍ଦୋଳନର ନେତୃତ୍ବ ନେଉଥିବା ସମିତି ସଭ୍ୟଙ୍କ ସମେତ ୬ଜଣଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ତୁରିନ୍ତିରା ପଞ୍ଚାୟତ ସମିତି ସଭ୍ୟ ସନାତନ ସେଠୀ, ତାଙ୍କ ବାପା ସତ୍ୟପୀର ସେଠୀ, ବିଜୟ କୁମାର ମହାରଣା, ପୁଷ୍ପଲତା ମହାରଣା, ଯୋଗେଶ୍ୱର ସାହୁ ଓ ସୁରେଶ କୁମାର ସାହୁ। ତେବେ ଅଭିଯୁକ୍ତ ମଦ ବେପାରୀ ବଳରାମ ଫେରାର୍ ହୋଇଯାଇଛି।

ପୁଲିସ ସୂଚନାନୁସାରେ, ନରଦା ବଜାରସ୍ଥିତ ବଳରାମ ମହାରଣାଙ୍କ ଭେରାଇଟ୍‌ ଷ୍ଟୋର୍‌ରେ ଚୋରା ମଦ ବିକ୍ରି ହେଉଥିବା ଅଭିଯୋଗ ପାଇ ଗତକାଲି ରାତିରେ ପୁଲିସ ଚଢ଼ଉ କରିଥିଲା। ଦୋକାନରୁ ପ୍ରାୟ ୨୨ ଲିଟର ବିଦେଶୀ ମଦ ଜବତ ହୋଇଥିଲା। କିନ୍ତୁ ପୁଲିସ ଚଢ଼ଉକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ମଦ ବ୍ୟବସାୟୀଙ୍କୁ ସମର୍ଥନ କରି ସ୍ଥାନୀୟ ଲୋକେ ପୁଲିସକୁ ମାଡ଼ ମାରିଥିଲେ। ଫଳରେ ବାଧ୍ୟ ହୋଇ ପୁଲିସ ସେଠାରୁ ଖାଲି ହାତରେ ଫେରିଥିଲା। ଆଜି ସକାଳେ ସମିତି ସଭ୍ୟ ସନାତନଙ୍କ ସହ କିଛି ସ୍ଥାନୀୟ ଲୋକ ନରଦା ବଜାରରେ ଟାୟାର ଜାଳି ରାସ୍ତାରୋକ୍‌ କରିଥିଲେ। ପୁଲିସ ଚଢ଼ଉକୁ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବୋଲି ଅଭିଯୋଗ କରିଥିଲେ। ଫଳରେ ପୁରୀ, କୋଣାର୍କ ଓ ନିମାପଡ଼ା ଯାଉଥିବା ଲୋକେ ଅଟକି ରହିବାକୁ ବାଧ୍ୟ ହୋଇଥିଲେ। ଖବର ପାଇ ବାଲିପାଟଣା ଥାନା ଅଧିକାରୀ କୃପାସିନ୍ଧୁ ବରାଡ଼, ବାଲିଅନ୍ତା ଆଇଆଇସି ଯୁବରାଜ ସ୍ୱାଇଁ, ପାହାଳ ଆଇଆଇସି ଷ୍ଟାଲିନ୍‌ ବିଶ୍ୱାଳ, ବନମାଳିପୁର ଫାଣ୍ଡି ଅଧିକାରୀ ହରିକୃଷ୍ଣ ପ୍ରଧାନ ପହଞ୍ଚି ରାସ୍ତାରୋକ୍‌ ହଟାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe