ଖଣ୍ଡଗିରି: ବିଳମ୍ବିତ ରାତିରେ ଏକ ଭରତପୁର ଅଞ୍ଚଳରେ ଥିବା ଏକ ଟେଣ୍ଟହାଉସ୍ରେ ଡକାୟତି ଉଦ୍ୟମ ପଣ୍ଡ ହୋଇଛି। ଗତକାଲି ରାତି ପ୍ରାୟ ସାଢ଼େ ଗୋଟାଏରେ ଦୁର୍ବୃତ୍ତମାନେ ବିଭିନ୍ନ ମାରଣାସ୍ତ୍ର ଧରି ଟେଣ୍ଟହାଉସ୍ ଗୋଦାମରେ ପଶିବାକୁ ଉଦ୍ୟମ କରିଥିଲେ। ଏହା ନେଖି ସ୍ଥାନୀୟ ଲୋକେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ଏହି ସମୟରେ ସେହି ପାଖ ଦେଇ ଏକ ପିସିଆର୍ ଗାଡ଼ି ଯିବାରୁ ଦୁର୍ବୃତ୍ତମାନେ ଛତ୍ରଭଙ୍ଗ ଦେଇଥିଲେ। ତେବେ ଦୁର୍ବୃତ୍ତମାନଙ୍କ ମୁହଁ ସିସି କ୍ୟାମେରାରେ କଏଦ୍ ହୋଇଛି। ଏନେଇ ଆଜି ସକାଳେ ଟେଣ୍ଟହାଉସ୍ ମାଲିକ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ପୁଲିସ ମାମଲା ରୁଜୁ କରିଛି। ସିସି କ୍ୟାମେରାରେ ଥିବା ଫୁଟେଜ୍ ଆଧାରରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଦୃର୍ବୃତ୍ତମାନେ ସ୍ଥାନୀୟ ଏକ ବସ୍ତି ଅଞ୍ଚଳର ହୋଇଥିବା ପୁଲିସ ସନ୍ଦେହ କରୁଛି। ଇତିମଧ୍ୟରେ ଦୁଇଜଣ ଦୁର୍ବୃତ୍ତଙ୍କ ପତ୍ତା ମିଳିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଆଗକୁ ପାର୍ବଣ ଆସୁଥିବାରୁ ରାଜଧାନୀରେ ଡକାୟତମାନେ ମାତିଛନ୍ତି। ମଉକା ପାଇଲେ ଘର, ଦୋକାନ କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନରେ ଏମାନେ କଳାକନା ବୁଲାଇଦେଉଛନ୍ତି। କୌଣସି ପ୍ରତିବନ୍ଧକ ଆସିବାର ଆଶଙ୍କା କରି ଖଣ୍ଡା, ଭୁଜାଲି ଆଦି ମାରଣାସ୍ତ୍ର ସେମାନେ ପାଖରେ ରଖୁଛନ୍ତି। ଗତକାଲି ରାତିରେ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଧରି ଭରତପୁର ଥାନା ଅଞ୍ଚଳରେ ଏଭଳି ବୁଲିବା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିବା ସହ ନାଗରିକମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି।
Follow Us