ସୁର ରାଉତରାୟଙ୍କ ସହ କଥା ହେଲା ରୋବୋ

ସୁର ରାଉତରାୟଙ୍କ ସହ କଥା ହେଲା ରୋବୋ

ଭୁବନେଶ୍ବର: ମାଡାମ୍‌ଙ୍କ ହାତରନ୍ଧା କେଉଁ ଖାଦ୍ୟ ଆପଣଙ୍କୁ ଭଲ ଲାଗେ? ମୋତେ ସନ୍ତୁଳା, ଚୁନା ମାଛ, ଦେଶୀ ଚିକେନ୍‌, ମଟନ ଓ ଉଷୁନା ଭାତ ଭଲ ଲାଗେ। ଆପଣ ଲକ୍‌ଡାଉନ୍‌ରେ ମାଡାମଙ୍କୁ ରୋଷେଇରେ ସାହାଯ୍ୟ କରିଥିଲେ କି? ନା’। ଆପଣ ନବୀନ ବାବୁଙ୍କୁ ଟିକେ ଆମ ରେସ୍ତୋରାଁକୁ ଆଣି ଖୁଆଇବେ କି? ହଁ। ବିଧାୟକ ସୁର ରାଉତରାୟଙ୍କ ସହ ଏଭଳି ଦୁଃଖସୁଖ ହେବା ସହ ତାଙ୍କ ମନ ପସନ୍ଦର ଖାଦ୍ୟ ପରଷି ଦେଇଥିଲେ ଚମ୍ପା ଓ ଚାମେଲି। ମଣିଷ ନୁହେଁ, ବରଂ ରୋବୋଙ୍କ ସହ ଶ୍ରୀ ରାଉତରାୟଙ୍କ ସହ ହୋଇଥିଲା ଏହି ବାର୍ତାଳାପ। ପଟିଆସ୍ଥିତ ଡିଏଲ୍‌ଏଫ୍‌ ଟାୱାର୍‌ରେ ଥିବା ରୋବୋ ସେଫ୍‌ରେ ଆଜି ଦେଖିବାକୁ ମିଳିଥିଲା ଏପରି ଏକ ନିଆରା ପରିବେଶ।

ହାଇଦ୍ରାବାଦ, ଚେନ୍ନାଇ ଓ ବେଙ୍ଗାଲୁରୁ ପରେ ପୂର୍ବ ଭାରତରେ ଭୁବନେଶ୍ବରରେ ଏଭଳି ଏକ ରୋବୋ ରେସ୍ତୋରାଁ ଆକର୍ଷଣ ସାଜିଛି। ରୋବୋରେ ରାଡାର ଟେକ୍ନୋଲୋଜିର ବ୍ୟବହାର କରାଯାଇଛି। ରୋବୋ ଟେବୁଲ୍‌ ନିକଟକୁ ଆସି ମେନ୍ୟୁ ପଚାରୁଥିବା ବେଳେ ଗ୍ରାହକମାନେ ବରାଦ ଦେଉଥିବା ଖାଦ୍ୟର ନାଁ କହିବା ମାତ୍ରେ ତା‌ହା ରେକର୍ଡ ହୋଇଯାଉଛି। ଫଳରେ ରୋବୋ ବରାଦ ମୁତାବକ ଖାଦ୍ୟ ଆଣି ପାଖରେ ପହଞ୍ଚି ଯାଉଛି। ଏଭଳି ଏକ କୌତୂହଳପୂର୍ଣ୍ଣ ପରିବେଶ ଭେଟି ଦେଉଛି। ଆଜି ରୋବୋ ସହ କଥାବାର୍ତା ଛଳରେ ରୋବୋ ପଚାରିଥିଲା, ଆମକୁ ଟିକେ ମାଡ଼ି ଚାଲ ଓ ବିଉଟିଫୁଲ୍‌ ବୋଲି କୁହନ୍ତୁ। ଶ୍ରୀ ରାଉତରାୟ ଏହା ଶୁଣି ତାଙ୍କ ଚିରାଚରିତ ଢଙ୍ଗରେ କହିଥିଲେ ମାଡ଼ି ଚାଲ, ବିଉଟିଫୁଲ୍‌...। ଏହା ସେଠାରେ ଥିବା ଲୋକଙ୍କ ମଧ୍ୟରେ ହାସ୍ୟରୋଳ ସୃଷ୍ଟି କରିଥିଲା। ଏଥିସହ ବିନ୍ଦାସ କଥାବାର୍ତା ପାଇଁ ଚର୍ଚ୍ଚାରେ ରହି ଆସିଥିବା ଶ୍ରୀ ରାଉତରାୟଙ୍କ ସହ ଅନେକେ ସେଲ୍‌ଫି ନେଉଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe