ଅନିଲଙ୍କ ଗୋଡ଼ରୁ ବାହାରିଲା ରଡ୍‌, ‘ସମ୍ବାଦ’ ଓ ବଦାନ୍ୟ ବ୍ୟକ୍ତିଙ୍କୁ କୃତଜ୍ଞତା ଜଣାଇଲେ

Advertisment
ଅନିଲଙ୍କ ଗୋଡ଼ରୁ ବାହାରିଲା ରଡ୍‌, ‘ସମ୍ବାଦ’ ଓ ବଦାନ୍ୟ ବ୍ୟକ୍ତିଙ୍କୁ କୃତଜ୍ଞତା ଜଣାଇଲେ

ବାଲିପାଟଣା: ଅର୍ଥାଭାବରୁ ବାଲିପାଟଣା ସରିପୁର ଭୋଳସାହି ଗ୍ରାମର ଅନିଲ କୁମାର ଭୋଳଙ୍କ ଗୋଡ଼ରେ ଅସ୍ତ୍ରୋପଚାର ହୋଇପାରୁ ନଥିଲା। ୨୦୧୭ ମସିହାରେ ଏକ ସଡ଼କ ଦୁର୍ଘଟଣାର ଶିକାର ହେବା ପରେ ତାଙ୍କ ଡାହାଣ ଗୋଡ଼ ଭାଙ୍ଗି ଚୁନା ହୋଇଯାଇଥିଲା ଓ ବହୁ କଷ୍ଟରେ ଅର୍ଥ ଯୋଗାଡ଼ କରି ବାପା, ମା’ ତାଙ୍କ ଗୋଡ଼ ଅପରେସନ୍ କରାଇଥିଲେ। ମାତ୍ର ସମୟ ହୋଇ ଯାଇଥିଲେ ମଧ୍ୟ ରଡ୍‌ ବାହାର କରିବା ପାଇଁ ଦରକାର ଅପରେସନ୍ ବାବଦ ଅର୍ଥ ସେମାନେ ଆଉ ଯୋଗାଡ଼ କରିପାରିନଥିଲେ। ଫଳରେ ତିନି ବର୍ଷ ହେଲା ଅନିଲ ଏକପ୍ରକାର ଅଚଳ ହୋଇ ପଡ଼ିଥିଲେ। ପାଠପଢ଼ାରେ ଡୋରି ବନ୍ଧା ହୋଇଯାଇଥିଲା। ଗୋଡ଼ରେ ରଡ୍‌ ଥିବାରୁ ସେ ଯନ୍ତ୍ରଣା ଭୋଗ କରୁଥିଲେ।

ଏ ନେଇ ‘ସମ୍ବାଦ’ରେ ଏକ ଖବର ପ୍ରକାଶ ପାଇଥିଲା। ଏହି ଖବର ପାଇ ଅବସରପ୍ରାପ୍ତ ପ୍ରଶାସକ(ଆଇଏଏସ୍‌) ପ୍ରମୋଦ ଚନ୍ଦ୍ର ପଟ୍ଟନାୟକ ଅନିଲଙ୍କ ମା’ ମିନତିଙ୍କ ସହ ଫୋନ୍‌ରେ କଥା ହୋଇଥିଲେ ଓ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁଙ୍କ ସହ ଯୋଗାଯୋଗ କରିଥିଲେ। ଡା. ସାହୁ ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଆଜି କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ଜେ.କେ ମିଶ୍ର ଏବଂ ଏସ୍‌କେ ନାୟକଙ୍କ ତତ୍ତ୍ବାବଧାନରେ ଅନିଲଙ୍କ ଗୋଡ଼ରେ ଅପରେସନ୍‌ କରାଯାଇ ରଡ୍‌ ବାହାର କରାଯାଇଛି। ଅପରେସନ୍‌ ପରେ ଅନିଲ ସୁସ୍ଥ ଅଛନ୍ତି। ଏଥିପାଇଁ ଅନିଲଙ୍କ ପରିବାର ‘ସମ୍ବାଦ’, ଅବସରପ୍ରାପ୍ତ ଆଇଏଏସ ଶ୍ରୀ ପଟ୍ଟନାୟକ, ଡାକ୍ତର ଶ୍ରୀ ସାହୁ ଓ ଅପରେସନ୍‌ କରିଥିବା ଡାକ୍ତର ତଥା ଅନ୍ୟାନ୍ୟ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe