ରାଉରକେଲା: ୨୦୧୪ ନଭେମ୍ବର ୪ ତାରିଖରେ ରାଉରକେଲା ପୌରପାଳିକା ମହାନଗର ନିଗମରେ ପରିଣତ ହୋଇଥିଲା। ଦୁଇବର୍ଷ ପରେ, ଅର୍ଥାତ୍ ୨୦୧୬ ସେପ୍ଟେମ୍ବର ୨୦ ତାରିଖରେ ଓଡ଼ିଶାର ଦ୍ବିତୀୟ ସହରଭାବେ ରାଉରକେଲା ସ୍ମାର୍ଟସିଟି ମାନ୍ୟତା ପାଇଥିଲା। ଇତିମଧ୍ୟରେ ୯ ବର୍ଷ ବିତିସାରିଛି। ଏମିତିକି ଭାରତ ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ସ୍ମାର୍ଟସିଟି ମିସନ୍ ଆନୁଷ୍ଠାନିକ ଭାବେ ଗତ ମାର୍ଚ୍ଚ ୩୧ରୁ ଶେଷ ହୋଇସାରିଲାଣି। କିନ୍ତୁ ରାଉରକେଲା ସ୍ମାର୍ଟସିଟି ଲିମିଟେଡ୍ର ସହର ନବକଳେବର ଯୋଜନା, ବାସ୍ତବତାଠାରୁ ଯୋଜନ ଦୂରେ। ପ୍ରକଳ୍ପ ବିଳମ୍ବ, ଅସମ୍ପୂର୍ଣ୍ଣ ଭିତ୍ତିଭୂମି ଓ ନାଗରିକ ସମସ୍ୟା ଶେଷ ହେବା ନାଁ ନେଉନି। ଅପରପକ୍ଷରେ ରାଉରକେଲା ସ୍ମାର୍ଟସିଟି ଲିମିଟେଡ୍ ପକ୍ଷରୁ ଯେଉଁ ସବୁ ପ୍ରକଳ୍ପ ନିର୍ମାଣ କରାଯାଇଥିଲା, ତାହା ଏବେ ଭାଙ୍ଗିରୁଜି ଗଲାଣି। ଏବେକାର ସ୍ଥିତିକୁ ତର୍ଜମାକଲେ ରାଉରକେଲା ସ୍ମାର୍ଟସିଟି ଯେ ତା’ର ଉଦ୍ଦେଶ୍ୟ ହାସଲ କରିପାରିନି, ତାହା ଜଳଜଳ ହୋଇ ଦିଶୁଛି।
ସ୍ମାର୍ଟସିଟି ମିସନ ଯୋଜନାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନରେ ରାଉରକେଲା ସ୍ମାର୍ଟସିଟି ଲିମିଟେଡ୍ ପକ୍ଷରୁ ମୋଟ୍ ୬୪ଟି ପ୍ରକଳ୍ପ ହାତକୁ ନିଆଯାଇଥିଲା। ଏଥିପାଇଁ ମୋଟ୍ ୧୫୧୨.୮୬ କୋଟି ଅର୍ଥ ଅନୁମୋଦିତ ହୋଇଥିଲା। ବର୍ତ୍ତମାନସୁଦ୍ଧା ୧୧୫୫.୨୪ କୋଟି ବିନିଯୋଗରେ ୫୯ଟି ପ୍ରକଳ୍ପର ନିର୍ମାଣ ସରିଛି। କିନ୍ତୁ ବିଡ଼ମ୍ବନା, ୩୫୭.୬୨ କୋଟି ବ୍ୟୟଅଟକଳରେ ନିର୍ମାଣ ଚାଲିଥିବା ୫ଟି ପ୍ରକଳ୍ପ ସରିବାର ନାଁ ନେଉନି। ଏହି ଅସଂପୂର୍ଣ୍ଣ ପ୍ରକଳ୍ପଗୁଡ଼ିକ ହେଉଛି, ରାଉରକେଲା-୧ ଅନ୍ତର୍ଗତ ଟ୍ରାଇବାଲ୍ ମ୍ୟୁଜିୟମ୍, ଟ୍ରାଫିକ୍ କଣ୍ଟ୍ରୋଲ ଆଣ୍ଡ୍ କମାଣ୍ଡ୍ ସେଣ୍ଟର୍, ଅଡିଟୋରିୟମ ଓ କନଭେନ୍ସନ ସେଣ୍ଟର୍, କୋଏଲନଗରସ୍ଥ ବିଶାଳ ରିକ୍ରିଏସନାଲ ପାର୍କ ଓ ଛେଣ୍ଡ୍ସ୍ଥ ସାଇନ୍ସ ପାର୍କ। ଏତଦ୍ବ୍ୟତୀତ ବେଦବ୍ୟାସ ଐତିହ୍ୟ ବିକାଶ ଯୋଜନା ମଧ୍ୟ ଅଧପନ୍ତରିଆ। ଏହି ପ୍ରକଳ୍ପ ମଧ୍ୟରୁ କେବଳ ସାଇନ୍ସ ପାର୍କ ନିକଟ ଭବିଷ୍ୟତରେ ଖୋଲିବା ନେଇ ଆଶା ସଞ୍ଚାର ହୋଇଥିବାବେଳେ ଅବଶିଷ୍ଟ ପ୍ରକଳ୍ପର ଭାଗ୍ୟ କେବେ ଫିଟିବି, ତାହା ଅସ୍ପଷ୍ଟ। ଏସବୁ ପ୍ରକଳ୍ପର ନିର୍ମାଣ ଅବଧି ଶେଷ ହେଲାଣି।
୧୨ କୋଟି ବିନିଯୋଗରେ ଚଳାପଥ
୨୦୨୨ ଜୁଲାଇ ସୁଦ୍ଧା ପ୍ରକଳ୍ପ ସଂପନ୍ନ ପାଇଁ କାର୍ଯ୍ୟାଦେଶ ବଣ୍ଟନବେଳେ ଉଲ୍ଲେଖ କରାଯାଇଥିଲା, କିନ୍ତୁ ଏହା ସମ୍ଭବ ହେଲାନି। ଗୋଟିଏପଟେ ସ୍ମାର୍ଟସିଟି ଲିମିଟେଡ୍ ଅନୁମୋଦିତ ପ୍ରକଳ୍ପର ନିର୍ମାଣକାର୍ଯ୍ୟ ସରିନଥିବାବେଳେ ଅନ୍ୟପଟେ ନିର୍ମିତ ପ୍ରକଳ୍ପ ଭାଙ୍ଗିଗଲାଣି। ସହରର ସୌନ୍ଦର୍ଯ୍ୟବୃଦ୍ଧି ପାଇଁ ପ୍ରାୟ ୧୨ କୋଟି ବିନିଯୋଗରେ ଚଳାପଥ ଓ ରାସ୍ତା ମଝିରେ ଚାରାରୋପଣ କରାଯାଇଥିବାବେଳେ ବର୍ଷକ ମଧ୍ୟରେ ଏସବୁ ଉଭାନ ହୋଇଯାଇଥିଲା। ବିଭିନ୍ନ ଅଞ୍ଚଳର ଚଳାପଥରେ ଖଞ୍ଜାଯାଇଥିବା ଟାଇଲ୍ କେଉଁଠି ଭାଙ୍ଗିଗଲାଣି ତ ପୁଣି କେଉଁଠି ଦବିଯାଇଛି। ଉଦ୍ଘାଟନର ମାତ୍ର ୬ ମାସ ଭିତରେ ପ୍ରାୟ ୩୦ ଲକ୍ଷ ବ୍ୟୟରେ ନିର୍ମିତ ୪୦ ଫୁଟ ଉଚ୍ଚତା ବିଶିଷ୍ଟ ହକିର ପ୍ରତୀକ ‘ହକି ଷ୍ଟାଚ୍ୟୁ’ ଭୁଶୁଡ଼ିପଡ଼ିଥିବାବେଳେ ଅସରାଏ ବର୍ଷାରେ ପାଚେରି ଧସିଯାଇଥିଲା। ଫଳରେ ସ୍ମାର୍ଟସିଟି ଅଧିନସ୍ଥ ପ୍ରକଳ୍ପର ମାନକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।
ଆହୁରି ପଢ଼ନ୍ତୁ: Kolkata Highcourt: ୮୦୦ ଟଙ୍କା ପାଇଁ ହତ୍ୟା କରିଥିବା ଅପରାଧୀଙ୍କୁ କ୍ଷମା ଦେଲେନି ହାଇକୋର୍ଟ
ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପୁରସ୍କୃତ
ସ୍ମାର୍ଟସିଟି ଲିମିଟେଡ୍ ଯେ ପୂର୍ବ ଚମକ ହରାଇସାରିଲାଣି, ଏଥିରେ ଦ୍ବିମତ ନାହିଁ। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପୂର୍ବରୁ ରାଉରକେଲାକୁ ବିଭିନ୍ନ ପୁରସ୍କାର, ଯଥା-‘ଇ-କୁଲ୍ ମଣ୍ଡି’ ପାଇଁ ‘ମିଲାନ୍ ପ୍ୟାକ୍ଟ୍’ ପୁରସ୍କାର (୨୦୨୨), ‘ଇଟ୍ ସ୍ମାର୍ଟସିଟି’ ପ୍ରତିଯୋଗିତାରେ ରାଉରକେଲା ଦେଶରେ ଶ୍ରେଷ୍ଠ ୧୧ ଭିତରେ ସ୍ଥାନିତ ହେବା (୨୦୨୨), ‘ବ୍ଲୁମବର୍ଗ୍ ଗ୍ଲୋବାଲ୍ ମେୟର୍ସ୍’ ପ୍ରତିଯୋଗିତାରେ ବିଶ୍ବର ଶ୍ରେଷ୍ଠ ୧୫ ସହର ଭିତରେ ରହିବା (୨୦୨୧), ‘ନର୍ଚରିଂ ନେବରହୁଡ୍’ ପ୍ରତିଯୋଗିତାରେ ଦେଶର ଶ୍ରେଷ୍ଠ ୧୦ଟି ସହର ମଧ୍ୟରେ ରହିବା(୨୦୨୧) ଆଦି ଉପଲବ୍ଧି ଅନତ୍ୟମ। ଏବେ କିନ୍ତୁ ସ୍ଥିତି ନିମ୍ନଗାମୀ ହେବାରେ ଲାଗିଛି। ପ୍ରକଳ୍ପ କାର୍ଯ୍ୟାନ୍ବୟନ ତଥା ପ୍ରଗତି କ୍ଷେତ୍ରରେ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ। ଦୁଇବର୍ଷ ପୂର୍ବେ, ଅର୍ଥାତ୍ ୨୦୨୩ରେ ପ୍ରକଳ୍ପ ସଂପନ୍ନ ତଥା ତ୍ବରାନ୍ବିତ କ୍ଷେତ୍ରରେ ମାତ୍ରାଧିକ ଶିଥିଳତା ଯୋଗୁ ରାଉରକେଲା ଦେଶର ୧୦୦ ସ୍ମାର୍ଟସିଟି ମଧ୍ୟରୁ ୪୭ତମ ସ୍ଥାନରେ ରହିଥିଲା। ଏତଦ୍ବ୍ୟତୀତ ଆବଶ୍ୟକତା ଥିବା ସତ୍ତ୍ବେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ନିର୍ମାଣ ପାଇଁ ସଦିଚ୍ଛା ପ୍ରକାଶ କରୁନାହାନ୍ତି। ବିଶେଷକରି ସହରର ପ୍ରବେଶ ପଥ ଭାବେ ବିବେଚିତ ପାନପୋଷ ନିକଟସ୍ଥ ବ୍ରାହ୍ମଣୀ ନଦୀତଟ ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପକୁ ବିଚାରକୁ ନେଉନାହାନ୍ତି। ୨୦୧୭ ମସିହାରୁ ଏହି ପ୍ରକଳ୍ପ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ଭୁଲି ଯାଇଥିଲେ ସ୍ମାର୍ଟସିଟି କର୍ତ୍ତୃପକ୍ଷ। ଆଗାମୀ ଦିନରେ ୩ଟି ନୂଆ ପ୍ରକଳ୍ପ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି। ସେଗୁଡ଼ିକ ହେଲା,ଟିସ୍କୋ ସାଇଟ୍ ଉନ୍ନତୀକରଣ, ବନ୍ୟାଜଳ ନିଷ୍କାସନ ଓ ବସଷ୍ଟାଷ୍ଟ୍ ପୁନର୍ବିକାଶ କରାଯିବ। ତେବେ ଏସବୁ ପ୍ରକଳ୍ପ ପୂର୍ବ ପ୍ରକଳ୍ପ ଭଳି ଅନିଶ୍ଚିତତା ଭିତରକୁ ଠେଲିହୋଇଯିବ ନା ବେଗ ଧରିପାରିବ; ତାହା ସମୟ କହିବ।
ଆହୁରି ପଢ଼ନ୍ତୁ: Mohan Majhi in Rourkela: ମୁଖ୍ୟମନ୍ତ୍ରୀଙ୍କଠାରୁ ଅନେକ ଆଶା: ରାଉରକେଲାକୁ ତୃତୀୟଥର ଆସୁଛନ୍ତି ମୋହନ ମାଝୀ
‘ବିକାଶ ନାଁରେ କିଛି କରାଯାଇନି। ଲୋକ କୌଣସି ସୁବିଧା ପାଇପାରିଲେନି। କେବଳ କୋଏଲନଗରସ୍ଥ ନିର୍ମାଣାଧୀନ ରିକ୍ରିଏସନାଲ ପାର୍କର ସ୍ଥିତିକୁ ଦେଖିଲେ, ସ୍ମାର୍ଟସିଟି ପ୍ରକଳ୍ପଗୁଡ଼ିକର ମାନ, ସ୍ଥାୟୀତ୍ବ ସ୍ପଷ୍ଟ ବାରି ହୁଏ। ଜନତାଙ୍କ ଅର୍ଥକୁ ଅପଚୟ କରାଯିବା ସହ ବହୁମାତ୍ରାରେ ଦୁର୍ନୀତି ହୋଇଥିବା ଆଶଙ୍କା କରାଯାଉଛି। ଏହାର ଭିଜିଲାନ୍ସ ତଦନ୍ତ ହେବା ଉଚିତ। ଏତଦ୍ବ୍ୟତୀତ ଉନ୍ନୟନ ପ୍ରକଳ୍ପ ନେଇ କୌଣସି ଯୋଜନା ନାହିଁ କିମ୍ବା ତାଳମେଳ ରହୁନି। ବାସ୍ତବରେ, ଏହା ଏକ ପ୍ରହସନରେ ସୀମିତ ରହିଛି।
-ଅଶୋକ ମହାନ୍ତି, ବୁଦ୍ଧିଜୀବୀ
‘ହକି ବିଶ୍ବକପ ପାଇଁ କେବଳ ସଜାସଜି କରିଥିଲେ, ତାହା ମଧ୍ୟ ଭୁଶୁଡ଼ିଗଲାଣି। ୫ ବର୍ଷ ବି ଗଲାନି। ଯେଉଁଭଳି ଭାବେ ସହରର ବିକାଶ ହେବା କଥା, ହେଲାନି। ରାସ୍ତା, ଆଲୋକବ୍ୟବସ୍ଥା, ନାଳ ନିର୍ମାଣ ଆଦି ରାଉରକେଲା ମହାନଗର ନିଗମ ବି କରିଥାନ୍ତା। ରାଉରକେଲା ସ୍ମାର୍ଟସିଟି ଲିମିଟେଡ୍ କେବଳ ଏସବୁରେ ସୀମିତ ନ ରହି ହାଉସିଂ ଓ ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ପଦକ୍ଷେପ ନିଆଯିବା କଥା। କିନ୍ତୁ କେଉଁ କାରଣରୁ ଏ ଦିଗକୁ ବିଚାରକଲେନି, ତାହା ଅସ୍ପଷ୍ଟ। ଯେଉଁ ଉଦ୍ଦେଶ୍ୟନେଇ ସ୍ମାର୍ଟସିଟିର ପରିକଳ୍ପନା କରାଯାଇଥିଲା, ବାସ୍ତବରେ ଲକ୍ଷ୍ୟ ସାଧିତ ହୋଇପାରିଲାନି।
-ପ୍ରମୋଦ ପଟ୍ଟନାୟକ, ସାଧାରଣ ସମ୍ପାଦକ, ଓଡ଼ିଶା ପୌର କର୍ମଚାରୀ ସଂଘ
‘ଦେଖିବାକୁ ଓ ଶୁଣିବାକୁ ସୁନ୍ଦର, କିନ୍ତୁ ଭିତର ଫମ୍ପା। ନୂଆ କିଛି ନାହିଁ। ପ୍ରକୃତରେ ସହରବାସୀ କ’ଣ ଚାହୁଁଛନ୍ତି, କ’ଣ ଆବଶ୍ୟକତା ରହିଛି, ସେ ବିଷୟରେ ବିଚାରବିମର୍ଷ କରାଯିବା କଥା। ସେଇଟା ନକରି ମନମର୍ଜି କିଛି ପ୍ରକଳ୍ପ ନିର୍ମାଣ କଲେ। ତେବେ ଏସବୁ ପ୍ରକଳ୍ପର ମାନ ନେଇ ଆରମ୍ଭରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏବେବି ଏକାଧିକ ପ୍ରକଳ୍ପ ଅଧପନ୍ତରିଆ। ନିର୍ମାଣ ଅବଧି ସରିଲାଣି, କିନ୍ତୁ ପ୍ରକଳ୍ପ ଶେଷ ହେଉନି। କେବଳ ଆଲୋଚନାରେ ସୀମିତ ରହିଛି ପ୍ରକଳ୍ପ।
-ଶୈଳେନ୍ଦ୍ର ମହାନ୍ତି, ବୁଦ୍ଧିଜୀବୀ
‘ରାଉରକେଲା ସ୍ମାର୍ଟସିଟି ମାନ୍ୟତା ମିଳିବାପରେ ସହରର ଜନସାଧାରଣ ବିକାଶ ପାଇଁ ଆଶାର କିରଣ ପାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସହରବାସୀଙ୍କ ସ୍ୱପ୍ନ, ଆଶା ଓ ଭାବନାକୁ ହାଲୁକାଭାବେ ନିଆଯାଇଛି। ବରିଷ୍ଠ ନାଗରିକ, ଛାତ୍ରଛାତ୍ରୀ, ଗରିବ ଖଟିଖିଆ ଆଦି ସମାଜର ସବୁବର୍ଗର ଲୋକଙ୍କ ଆକାଂକ୍ଷା ପୂର୍ଣ୍ଣ ହୋଇପାରିଲାନି। ବିଭିନ୍ନ ପ୍ରକଳ୍ପ ଶୀତଳଭଣ୍ଡାରକୁ ଚାଲିଯାଇଥିବାବେଳେ ଏକାଧିକ ଦିଗହୀନ ହୋଇପଡ଼ିରହିଛି। ବାସ୍ତବରେ ରାଉରକେଲା ସ୍ମାର୍ଟସିଟି ପ୍ରକଳ୍ପ ଏବେ ଭେଣ୍ଟିଲେଟର୍ରେ; ଯାହାକି କଷ୍ଟଦାୟକ, ଦୁଃଖଦ ଓ ନିରାଶାଜନକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/04/03/mTOcMd35SN0kDDjTVvag.jpg)