ଭୁବନେଶ୍ବର : ବହୁ ସତର୍କତା ଓ ସଚେତନତା ସତ୍ତ୍ବେ ଲୋକେ ଚେତୁନାହାନ୍ତି। ସହଜରେ ସାଇବର ଠକଙ୍କ ଶିକାର ହେଉଛନ୍ତି। ସୁନ୍ଦରୀ ବେଶରେ ଅନ୍ଲାଇନ୍ରେ ଜାଲ ବିଛାଇ ବସିଥିବା ସାଇବର ଠକ ଜଣେ ଆସିଷ୍ଟାଣ୍ଟ ସେକ୍ସନ ଅଫିସରଙ୍କୁ ଚୂନ ଲଗାଇଛି। ଅଧିକାରୀଙ୍କ ଆକାଉଣ୍ଟରୁ ଲକ୍ଷେ ୨୨ ହଜାର ଟଙ୍କା ଉଡ଼ାଇ ନେଇଛି ସାଇବର ସୁନ୍ଦରୀ। ଏ ନେଇ ଅଧିକାରୀ ଜଣକ ସାଇବର ହେଲ୍ପ ଡେସ୍କରେ ଅଭିଯୋଗ କରିଛନ୍ତି।
ସୂଚନାନୁସାରେ ଗତ କିଛି ଦିନ ହେଲା ଅଧିକାରୀ ଜଣକ ଡେଟିଂ ସାଇଟ୍କୁ ଯାଇ ବାନ୍ଧବୀ ଖୋଜିଥିଲେ। ଏହି ମଉକାରେ ସାଇବର ଠକ ଜଣେ ସୁନ୍ଦରୀଙ୍କ ରୂପରେ ତାଙ୍କ ସହ ବନ୍ଧୁତା କରିଥିଲା। ନିଜକୁ ବିହାରର ବୋଲି କହିଥିଲା। କିଛି ଦିନ ଚାଟିଂ କରିବା ପରେ ନକଲି ସୁନ୍ଦରୀ ଅଧିକାରୀଙ୍କୁ ନିଜର ଜନ୍ମଦିନ କଥା କହି ଉପହାର ପାଇଁ ଦାବି କରିଥିଲା। ଅଧିକାରୀ ଜଣକ ସର୍ପ୍ରାଇଜ୍ ଉପହାର ଦେବାକୁ ଯାଇ ସୁନ୍ଦରୀଙ୍କ ଆକାଉଣ୍ଟକୁ କିଛି ଟଙ୍କା ପଠାଇଥିଲେ। ଏହା ପରେ ହଠାତ୍ ତାଙ୍କ ଆକାଉଣ୍ଟରୁ ଲକ୍ଷେ ୨୨ ହଜାର ଟଙ୍କା କଟି ଯାଇଥିଲା। ଏହା ପରେ ଯାଇ ଅଧିକାରୀ ଜଣକ ଠକାମିର ଶିକାର ହୋଇଥିବା ବୁଝିଥିଲେ।
Follow Us