ଆଉ ‌ପାଦେ ଆଗେଇଲା ଆଇଏମ୍‌ଏ-ଏକାମ୍ରକାନନ ରାସ୍ତା : ୧୦୩୫ ମିଟର ରାସ୍ତା ପାଇଁ ୧୧ କୋଟି

Advertisment
ଆଉ ‌ପାଦେ ଆଗେଇଲା ଆଇଏମ୍‌ଏ-ଏକାମ୍ରକାନନ ରାସ୍ତା : ୧୦୩୫ ମିଟର ରାସ୍ତା ପାଇଁ ୧୧ କୋଟି

ରେଳ ବିହାରରୁ ଆରପିଆରସି ପାଚେରି ରାସ୍ତାର ଭିତ୍ତିପ୍ରସ୍ତର
ଜୁନ୍‌ ୩୦ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ

ଚନ୍ଦ୍ରଶେଖରପୁର : ଜୟଦେବ ବିହାର-ନନ୍ଦନକାନନ ରାସ୍ତାରୁ ଭିଡ଼ କମାଇବାକୁ ବାମ ପାର୍ଶ୍ବରେ ଚାଲିଥିବା ସମାନ୍ତରାଳ ରାସ୍ତା ଆଉ ପାଦେ ଆଗେଇଛି। ଜୁନ୍‌ ମାସ ମଧ୍ୟରେ ଜାଭିଅର ଛକ ପର୍ଯ୍ୟନ୍ତ ରାସ୍ତା ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି। ତାହାକୁ ନଜରରେ ରଖି ରେଳ ବିହାରଠାରୁ ଏକାମ୍ରକାନନ ତଥା ଆରପିଆରସି(ରିଜିଓନାଲ ପ୍ଲାଣ୍ଟ ରିସର୍ଚ୍ଚ ସେଣ୍ଟର) ପାଚେରି ପର୍ଯ୍ୟନ୍ତ ରା‌ସ୍ତା‌ କାମ ଲାଗି ଭିତ୍ତିପ୍ରସ୍ତର ପଡ଼ିଛି। ୧୦୩୫ ମିଟରର ଏହି ରାସ୍ତା ଲାଗି ୧୦ କୋଟି ୮୩ ଲକ୍ଷ ୫୨ ହଜାର ୬୩୩ ଟଙ୍କା ବ୍ୟୟ ଅଟକଳ ହୋଇଛି। ଏହି ରାସ୍ତା ୬ ଲେନ୍‌ ବିଶିଷ୍ଟ ହେବ। ଉଭୟ ପାର୍ଶ୍ବରେ ୨.୫୦ ମିଟରର ସାଇକେଲ୍‌ ଟ୍ରାକ୍‌ ରହିବ। ଉଭୟ ପାଖରେ ୪ ମିଟରର ଡ୍ରେନ୍‌ ସହ ୟୁଟିଲିଟି/ଫୁଟପାଥ୍‌ ରହିବ। ବାମ ପାର୍ଶ୍ବରେ ୭.୫୦ ମିଟରର ସର୍ଭିସ୍‌ ଡ୍ରେନ୍‌ ରହିବ।

ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାଥମେଟିକ୍ସ ଆଣ୍ଡ୍‌ ଆପ୍ଲିକେସନ(ଆଇଏମ୍‌ଏ)ଠାରୁ ଇନ୍‌ଫୋ‌ସିଟି ଦେଇ ଏକାମ୍ରକାନନ ପର୍ଯ୍ୟନ୍ତ ପ୍ରାୟ ୧୪ କିମି ବିଶିଷ୍ଟ ସାମନ୍ତରାଳ ରାସ୍ତା ନିର୍ମାଣ ଚାଲିଛି। ୨୦୨୦ ସେପ୍ଟେମ୍ବର ୧୩ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଜଙ୍ଗଲ ଜମି ସାଙ୍ଗକୁ ସରକାରୀ ଜମି ଜବରଦଖଲ ସମସ୍ୟା ଯୋଗୁଁ ରାସ୍ତା ନିର୍ମାଣ ବିଳମ୍ବିତ ହେଉଛି। ତେବେ ଏନେଇ ‘ସମ୍ବାଦ’ରେ ବାରମ୍ବାର ଖବର ପ୍ରକାଶ ପରେ କିଛି ଦିନ ତଳେ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର କାର୍ଯ୍ୟସ୍ଥଳକୁ ଯାଇ ସ୍ଥିତିର ସମୀକ୍ଷା କରିଥିଲେ। ଆସନ୍ତା ଜୁନ୍‌ ୩୦ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ।

ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ ବି ଇତି ମଧ୍ୟରେ ଏକାଧିକ ଥର ସ୍ଥିତିର ସମୀକ୍ଷା କରିବା ସହ କାର୍ଯ୍ୟ କିଭଳି ତୁରନ୍ତ ଶେଷ ହେବ ସେଦିଗରେ ପଦକ୍ଷେପ ନେବାକୁ କହିଛନ୍ତି। ୧୦୩୫ ମିଟର ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ବିଧାୟକ ଶ୍ରୀ ରାଉତ କହିଛନ୍ତି ଯେ ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତା ଭିଡ଼ କମାଇବାକୁ ହେଲେ ଏହି ସମାନ୍ତରାଳ ରାସ୍ତା ଅଧିକ ଗୁରୁତ୍ବ ବହନ କରୁଛି। ଜୁନ୍‌ ଶେଷ ସୁଦ୍ଧା ଭୟା ମୈତ୍ରୀବିହାର ଦେଇ ଜାଭିଅର ଛକରେ ବାହାର କରିବାକୁ ଲକ୍ଷ୍ୟ ରଖାଯାଇଥିବା ସେ କହିଛନ୍ତି। ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ବିଜେଡି ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ର, ପୂର୍ବତନ କର୍ପୋରେଟର ଭାରତୀ ସିଂ, ପ୍ରେମାନନ୍ଦ ଜେନା, ସୌଭାଗ୍ୟ ବାରିକ, ସୁବାସ ସାହୁ, ସମାଜସେବୀ ଅଶୋକ ସ୍ବାଇଁଙ୍କ ସମେତ ନିର୍ବାହୀ ଯନ୍ତ୍ରୀ ହିମାଂଶୁ ଶେଖର ଷଡ଼ଙ୍ଗୀ, ଉପ-ନିର୍ବାହୀ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଦଳାଇ, ସହକାରୀ ଯନ୍ତ୍ରୀ ରାଜକିଶୋର ଜେନା ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe