ରେଳବାଇରେ ଚାକିରି କରାଇ ଦେବାକୁ କହି ୨୧ଲକ୍ଷ ଚଳୁ, ଧରାପଡ଼ିଲେ ଠକ ଶଳା-ଭିଣୋଇ

Advertisment
ରେଳବାଇରେ ଚାକିରି କରାଇ ଦେବାକୁ କହି ୨୧ଲକ୍ଷ ଚଳୁ, ଧରାପଡ଼ିଲେ ଠକ ଶଳା-ଭିଣୋଇ

ଭୁବନେଶ୍ବର : ଏକ ବଡ଼ଧରଣର ଠାକାମିରେ ସଂପୃକ୍ତ ଶଳା-ଭିଣୋଇ ଆଜି ନାଟକୀୟ ଢଙ୍ଗରେ ପୁଲିସ ହାତରେ ଧରା ପଡ଼ିଛନ୍ତି। ଅଭିଯୁକ୍ତଦ୍ବୟ ହେଲେ, ସୌମ୍ୟରଂଜନ ରାଉତ ଓ ତା’ର ଭିଣୋଇ ସମରଜିତ୍‌ ରାଉତ। ଚନ୍ଦ୍ରଶେଖରପୁର ଥାନା ପୁଲିସ ଉଭୟଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଆସନ୍ତାକାଲି ସେମାନଙ୍କୁ କୋର୍ଟଚାଲାଣ କରାଯିବ। ନିଜକୁ ରେଳବାଇ ବିଭାଗର ବରିଷ୍ଠ ପଦାଧିକାରୀ କହି ଏହି ଧୂର୍ତ୍ତ ଶଳା-ଭିଣୋଇ ଯୋଡ଼ି ୫ ଜଣଙ୍କଠାରୁ ୨୧ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ସତ୍ତ୍ବେ ଦୀର୍ଘ ଦିନ ଧରି ପୁଲିସ ଏମାନଙ୍କୁ ଗିରଫ କରୁ ନଥିବାରୁ ଗତକାଲି ଅଭିଯୋଗକାରୀମାନେ ସୌମ୍ୟରଂଜନଙ୍କୁ ଅପହରଣ କରିନେଇଥିଲେ। ଏ ନେଇ ସୌମ୍ୟରଂଜନଙ୍କ ଭଉଣୀ ଥାନା‌ରେ ଅଭିଯୋଗ କରିଥିଲେ। କିନ୍ତୁ ଅପହରଣକାରୀଙ୍କ ସଂପର୍କରେ ପୁଲିସ୍‌କୁ ତଥ୍ୟ ଦେବା ବେଳେ ଶଳା-ଭିଣୋଇଙ୍କ ସବୁ କଳା କାରନାମା ପୁଲିସ୍‌ ଆଗରେ ଉଗାରି ଦେଇଥିଲେ। ଏହା ଜାଣିବା ପରେ ପୁଲିସ ସେମାନଙ୍କୁ ଗିରଫ କରିଥିଲା।

ସୂଚନା ମୁତାବକ, ସୌମ୍ୟରଂଜନ ନିଜକୁ ରେଳବାଇର ନିଯୁକ୍ତି ଅଧିକାରୀ ଓ ସମରଜିତ୍ ନିଜକୁ ରେଳବାଇର କାଉନସେଲର୍‌ର ପରିଚୟ ଦେଇ ବେକାର ଯୁବକଙ୍କୁ ଟାର୍ଗେଟ୍ କରୁଥିଲେ। ରେଳବାଇରେ ଚାକିରି କରାଇଦେ‌ବେ ବୋଲି କହି ସେମାନେ ପ୍ରଥମେ ବିଶ୍ବାସ ଜିତିବା ପାଇଁ ମିଛରେ ଲିଖିତ ପରୀକ୍ଷା, ମେଡିକାଲ୍ ଫିଟନେସ୍ ଆଦି ପରୀକ୍ଷା କରୁଥିଲେ। ପରେ ସେମାନଙ୍କଠାରୁ ଟଙ୍କା ନେଇ ଜାଲ୍‌ ନିଯୁକ୍ତିପତ୍ର ଦେଉଥିଲେ। ତେବେ ଧରାପଡ଼ଯିବା ଆଗରୁ ଉଭୟ ଅନ୍ତର୍ଧାନ ହୋଇଯାଉଥିଲେ। ଏହାକୁ ନେଇ ଗତ ୧୨ ତାରିଖରେ ଚନ୍ଦ୍ରଶେଖରପୁର ଥାନାରେ ପ୍ରଦ୍ୟୁମ୍ନ ନାୟକ, ପ୍ରଦୀପ ମନୋହରି, ସନ୍ଦୀପ ପ୍ରଧାନ, ଦୁର୍ଗାପ୍ରସାଦ ରଥ ଓ ସାଗର କୁମାର ଜେନା ଅଭିଯୋଗ କରିଥିଲେ। ସୌମ୍ୟରଂଜନ ଓ ସମରଜିତ୍‌ ସେମାନଙ୍କଠାରୁ ମୋଟ ୨୧ଲକ୍ଷ ଟଙ୍କା ଠକି ନେଇଥିବା ନେଇ ଅଭିଯୋଗ ହୋଇଥିଲା। କିନ୍ତୁ ଏ ନେଇ ପୁଲିସ ଆଖିଦୃଶିଆ ପଦକ୍ଷେପ ନ ନେବାରୁ ଗତକାଲି ଅଭିଯୋଗକାରୀମାନେ ସମରଜିତ୍‌ଙ୍କ ଘରକୁ ଯାଇଥିଲେ। କିନ୍ତୁ ସେତେବେଳେ ସମରଜିତ୍‌ ଘରେ ନଥିଲେ। ତେବେ ସେଠାରେ ସୌମ୍ୟଙ୍କୁ ଦେଖି ଅଭିଯୋଗକାରୀମାନେ ତାଙ୍କୁ ଅପହରଣ କରିନେଇଥିଲେ। ସୌମ୍ୟଙ୍କ ଭଉଣୀ ତଥା ସମରଜିତ୍‌ଙ୍କ ସ୍ତ୍ରୀ ପ୍ରତିବାଦ କରିଥିଲେ ହେଁ ସେମାନେ କିଛି ଶୁଣି ନଥିଲେ। ଟଙ୍କା ଦେଲେ ସୌମ୍ୟଙ୍କୁ ଫେରାଇଦେବୁ ବୋଲି କହିଥିଲେ। ତେଣୁ ବାଧ୍ୟ ହୋଇ ସମରଜିତ୍‌ଙ୍କ ପତ୍ନୀ ତମାଣ୍ଡୋ ଥାନାର ଦ୍ବାରସ୍ଥ ହୋଇଥିଲେ। ତେବେ କିଏ ଓ କାହିଁକି ସୌମ୍ୟଙ୍କୁ ଅପହରଣ କରିନେଲା ବୋଲି ପୁଲିସ ପ୍ରଶ୍ନ କରିବାରୁ ସମରଙ୍କ ପତ୍ନୀ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ପୁଲିସର ସନ୍ଦେହ ହେବାରୁ ପୁଲିସ ଅପହର୍ତ୍ତାଙ୍କୁ ଖୋଜିବ କ’ଣ, ଆଗ ମହିଳାଙ୍କୁ ଘନଘନ ଜେରା କରିଥିଲା। ତେଣୁ ପୁଲିସ୍‌ ଆଗରେ ମହିଳା ଜଣକ ସବୁ ସତ ଉଗାରି ଦେଇଥିଲେ।

ପରେ ତମାଣ୍ଡୋ ପୁଲିସ ଉଭୟ ସୌମ୍ୟ ଓ ସମରକୁ ଖୋଜିବାରେ ଲାଗିଥିଲା। ମୋବାଇଲ୍‌ ଟ୍ରାକ୍ କରି ପୁଲିସ ସମରଜିତ୍‌କୁ ତମାଣ୍ଡୋରୁ ଧରିଥିଲା। ତେବେ ତମା‌ଣ୍ଡୋ ଥାନା ପୁଲିସ ସୌମ୍ୟକୁ ପାଇବା ପୂର୍ବରୁ ଅପହର୍ତ୍ତାମାନେ ତାକୁ ଚନ୍ଦ୍ରଶେଖରପୁର ପୁଲିସ ପାଖରେ ହାଜର କରାଇ ଦେଇଥିଲେ। ପରେ ତମାଣ୍ଡୋ ପୁଲିସ ସମରଜିତ୍‌ଙ୍କୁ ଚନ୍ଦ୍ରଶେଖରପୁର ଥାନାକୁ ହସ୍ତାନ୍ତର କରିଥିଲା। ଅପରପକ୍ଷେ ୫ ଅଭିଯୋଗକାରୀମାନେ ସୌମ୍ୟଙ୍କୁ ଅପହରଣ କରିଥିବାରୁ ପୁଲିସ ସେମାନଙ୍କୁ ତାଗିଦ୍‌ କରିବା ସହ ନୋଟିସ୍ ଦେଇ ଛାଡ଼ି ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe