ଏନ୍‌ଏଚ୍‌ଏଆଇର ୨୩ ଲକ୍ଷ ବରବାଦ! ଖୋଳାରେ ୨୦, ପୋତାରେ ୩

Advertisment
ଏନ୍‌ଏଚ୍‌ଏଆଇର ୨୩ ଲକ୍ଷ ବରବାଦ! ଖୋଳାରେ ୨୦, ପୋତାରେ ୩

୨୦ କୋଟି ବ୍ୟୟରେ ୱେଲ୍‌କମ୍‌ ହୋଟେଲ୍‌ ସାମ୍ନାରେ ଫ୍ଲାଏ ଓଭର
୩ ଥାକିଆ ହେବ କସ୍‌ମୋପଲିସ୍‌ରୁ-ଏମ୍‌ସ୍‌ ଅଣ୍ଡରପାସ୍‌ ସର୍ଭିସ ରୋଡ୍‌

ଭୁବନେଶ୍ୱର : ଖାଲି ସମନ୍ବୟ ବୈଠକ ବସୁଛି। ହେଲେ କାହା ଭିତରେ ରହୁନି ସମନ୍ବୟ। ଯିଏ ଯାହା ପାରୁଛି କରୁଛି। କୌଣସି ବିଭାଗ ଅନ୍ୟ କାହା କଥା ଶୁଣିବାକୁ ନାରାଜ୍‌। ଏମିତି ଏକ ବିକଳ ଚିତ୍ର ଏବେ ସାମ୍ନାକୁ ଆସିଛି। ଜନସାଧାରଣଙ୍କ ଅର୍ଥକୁ ଅଧିକାରୀମାନେ କିଭଳି ଅନାୟାସରେ ବରବାଦ କରିପାରନ୍ତି ତାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଏମ୍‌ସ୍‌ ଛକରୁ କସ୍‌ମୋପଲିସ୍‌ ଛକ ପର୍ଯ୍ୟନ୍ତ ୩୦ଲକ୍ଷ ଟଙ୍କା ଖର୍ଚ୍ଚରେ ନଳା ନିର୍ମାଣ କରିବା ପରେ ଏହାକୁ ପୋତି ଦେଇଛି ଏନ୍‌ଏଚ୍‌ଏଆଇ(ଜାତୀୟ ରାଜପଥ ପ୍ରାଧିକରଣ)। ଏତେ ଗୁଡ଼ାଏ ଟଙ୍କା ଖର୍ଚ୍ଚ ପରେ ମଧ୍ୟ ଜଳ ନିଷ୍କାସନ ସମ୍ଭବ ହୋଇନଥିଲା। ନାଳ ତିଆରି କରିବା ପୂର୍ବରୁ ବିଏମ୍‌ସି ସହ ସମନ୍ବୟ ବୈଠକ ବସିଥିଲା। ବିଏମ୍‌ସି ଇଞ୍ଜିନିୟରମାନେ ଏ ନେଇ ପରାମର୍ଶ ମଧ୍ୟ ଦେଇଥିଲେ। ହେଲେ ଏହାର କିଛି ଲାଭ ହେଇନଥିଲା। ଏବେ ଜଳ ନିଷ୍କାସନ ସମ୍ଭବ ନ ହେବାରୁ ୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରି ଏନ୍‌ଏଚ୍‌ଏଆଇ ଏହି ନଳା ପୋତିବାକୁ ବାଧ୍ୟ ହୋଇଛି।

ଅନ୍ୟପଟେ କସ୍‌ମୋପଲିସ୍‌ରୁ ଏମ୍‌ସ୍‌ ଅଣ୍ଡରପାସ୍‌ ପର୍ଯ୍ୟନ୍ତ ସର୍ଭିସ୍‌ ରୋଡ୍‌କୁ ୩ଲେନ୍‌ ବିଶିଷ୍ଟ କରାଯାଉଛି। ପୂର୍ବରୁ ଏହା ଦୁଇ ଲେନ୍‌ ବିଶିଷ୍ଟ ରହିଥିଲା। ଦୂରଦୃଷ୍ଟି ଅଭାବରୁ, ଜାଗା ଥିଲେ ମଧ୍ୟ ସର୍ଭିସ୍‌ ରୋଡ୍‌କୁ ଲଗାଇ ଏହି ନଳା ତିଆରି କରାଯାଇଥିବାରୁ ଏବେ ରାସ୍ତା ଚଉଡ଼ା ପାଇଁ ଏହାକୁ ଭାଙ୍ଗିବାକୁ ପଡ଼ିଲା। ଅର୍ଥାତ୍‌ ସମନ୍ବୟ ଓ ଦୂରଦୃଷ୍ଟି ଅଭାବରୁ ଜନସାଧାରଣଙ୍କର କୋଟି କୋଟି ଟଙ୍କା କିଭଳି ବରବାଦ କରାଯାଏ ତାହାର ପ୍ରମାଣ ଦେଇଛି ଏନ୍‌ଏଚ୍‌ଏଆଇ। ଏମ୍‌ସ୍‌ ଅଣ୍ଡରପାସ୍‌ ନିକଟରେ ପାଣି ଜମା ହେଉଥିବାରୁ ଏହି ନଳା ଯୋଜନା ହୋଇଥିଲା। ଏମ୍‌ସ୍‌ ଅଣ୍ଡରପାସ୍‌ ନିକଟରୁ ଏହା କସ୍‌ମୋପଲିସ୍‌ ପର୍ଯ୍ୟନ୍ତ ଯାଇ ମୁଖ୍ୟ ନଳାରେ ପଡ଼ିଥାନ୍ତା। ତିନିବର୍ଷ ତଳେ ବିଏମ୍‌ସି ଓ ଏନ୍‌ଏଚ୍‌ଏଆଇର ସମନ୍ବୟ ବୈଠକ ବସି ଯୋଜନା ହେବା ପରେ ଏନ୍‌ଏଚ୍‌ଏଆଇ ଟେଣ୍ଡର କଲା। ୨୦ ଲକ୍ଷ ଖର୍ଚ୍ଚ କରି ନଳା ତିଆରି କଲା। ହେଲେ କସ୍‌ମୋପଲିସ୍‌ ପର୍ଯ୍ୟନ୍ତ ନ ନେଇ ୱେଲ୍‌କମ୍‌ ହୋଟେଲ ଦେଇ କିଡ୍‌ସ୍‌ ହସ୍‌ପିଟାଲ ପର୍ଯ୍ୟନ୍ତ ଯିବା ପରେ ମୁଖ୍ୟ ନଳାରେ ମିଶାଇ ଦେଇଥିଲେ। ଆଉ ଗୋଟିଏ ନଳା କସ୍‌ମୋପଲିସ ଛକରୁ ଆଣି ଏହି ୱେଲକମ୍‌ ହୋଟେଲ ସାମ୍ନାରେ ନଳା‌ରେ ମିଶାଇ ଦେଇଥିଲେ। ନଳା ନିର୍ମାଣରେ ଥିବା ଇଞ୍ଜିନିୟରିଂ ଦୋଷ ଯୋଗୁ ଏଥିରେ ପାଣି ଯାଇପାରିନଥିଲା। ଏଣୁ ଏହାକୁ ଭାଙ୍ଗି ନୂଆ ତିଆରି କରିବା ଯୋଜନା ହୋଇଥିଲା। ଇତିମଧ୍ୟରେ ୱେଲ୍‌କମ୍‌ ହୋଟେଲ ସାମ୍ନା‌ରେ ଫ୍ଲାଏ ଓଭର ନିର୍ମାଣ ଯୋଜନାକୁ ମଞ୍ଜୁରୀ ମିଳିଥିଲା। ତା’ ସହିତ ସର୍ଭିସ୍‌ ରୋଡ୍‌କୁ ତିନି ଲେନ୍‌‌ ବିଶିଷ୍ଟ କରିବାକୁ ନିଷ୍ପତ୍ତି ହୋଇଥିଲା। ଏହି କାମ ସହ ମିଶାଇ ଆଉ ଥରେ ଏକ ନଳା ଯୋଜନା ହେଲା। ଏବଂ ପୁରୁଣା ନଳାକୁ ପୋତି ଦେବାକୁ ନିଷ୍ପତ୍ତି ହୋଇଥିଲା।

publive-image

ଏବେ ନୂଆ ନଳା, ରାସ୍ତା ପ୍ରଶସ୍ତୀକରଣ ଓ ଫ୍ଲାଏ ଓଭର ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ୩୯ କୋଟି ଖର୍ଚ୍ଚ କରିବାକୁ ଯାଉଛି। ରାସ୍ତା ଓ ନଳାର ଲମ୍ବା ୯ଶହ ମିଟର ରହିଛି। ଦେଢ଼ମାସ ମଧ୍ୟରେ ରାସ୍ତା ଓ ନଳା ସାରିବାକୁ ସମୟ ଧାର୍ଯ୍ୟ ହୋଇଥିବାରୁ ଏନ୍‌ଏଚ୍‌ଏଆଇ ଏହି ନିର୍ମାଣ କାମ ଯୁଦ୍ଧକାଳୀନ ଭିତ୍ତିରେ କରୁଛି। ରାସ୍ତାକୁ ତିନିଥାକିଆ କରିବା ପାଇଁ ରାସ୍ତାକଡ଼ରୁ ଜବରଦଖଲ ଉଚ୍ଛେଦ ହେବା ସହ ନଳାକୁ ଭଙ୍ଗା ଯାଇଛି। ନୂଆ ଡ୍ରେନ୍‌ ପାଇଁ ରାଜପଥ କଡ଼ରେ ଖୋଳା ଆରମ୍ଭ ହୋଇଛି। ଏଆଇପିଏଲ୍‌ ସଂସ୍ଥା ଏହି କାମ କରୁଛି। ଦେଢ଼ମାସ ମଧ୍ୟରେ ଡ୍ରେନ୍‌ ଓ ରାସ୍ତା ହେବା ପରେ ଫ୍ଲାଏ ଓଭର କାମ ଆରମ୍ଭ ହେବ। ଫ୍ଲାଏ ଓଭର ପାଇଁ ୨୦ କୋଟି ଖର୍ଚ୍ଚ ହେବାକୁ ଥିବା ବେଳେ ରାସ୍ତା ଓ ଡ୍ରେନ୍‌ ପାଇଁ ୧୯ କୋଟି ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି।

ଏ ନେଇ ଏନ୍‌ଏଚ୍‌ଏଆଇ ପିଡି ଏନ୍‌. ହରିକ୍ରିଷ୍ଣ କହିଛନ୍ତି, ପାଣି ନିଷ୍କାସନ ସମସ୍ୟା ହେବାରୁ ଏଠାରେ ନଳା କରାଯାଇଥିଲା। ହେଲେ ନିଷ୍କାସନ ସମସ୍ୟା ସୁଧୁରିନଥିଲା। ଏଣେ ରାସ୍ତା ତିନିଥାକିଆ ହେବା ଯୋଜନା ହେବାରୁ ପୁରୁଣା ଡ୍ରେନ୍‌ ଭାଙ୍ଗି ନୂଆ କରାଯାଉଛି। ଏହି ନୂଆ ଡ୍ରେନ୍‌ ହେବା ପରେ ଜଳ ନିଷ୍କାସନ ସମସ୍ୟା ରହିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe