Image Courtesy of The Indian Nation
ଭୁବନେଶ୍ବର: ବୟସ ୬୭। ପୁଣି ବହୁବିଧ ରୋଗରେ ପୀଡ଼ିତ। ଘରୁ ବାହାରକୁ ଆସିବା ମଧ୍ୟ କଷ୍ଟକର। ବୃଦ୍ଧ ବୟସରେ ବ୍ୟାଙ୍କ ଆକାଉଣ୍ଟରୁ ୫ଲକ୍ଷ ଟଙ୍କା ଠକେଇର ଶିକାର ହେବା ପରେ ପହଞ୍ଚିଥିଲେ ଲକ୍ଷ୍ମୀସାଗର ଥାନାରେ। ହେଲେ ବାରମ୍ବାର ଦୌଡ଼ିବା ପରେ ବି ଶୁଣି ନ ଥିଲା ପୁଲିସ। ବ୍ୟାଙ୍କକୁ ଯାଇ ମଧ୍ୟ ନିରାଶ ହୋଇଥିଲେ। ୧୮ ଦିନ କାଳ ଏମିତି ବାର ଦୁଆର ହେବା ପରେ ପହଞ୍ଚିଥିଲେ ପୁଲିସ କମିସନରଙ୍କ ପାଖରେ। ଶେଷରେ ପୁଲିସ କମିସନରଙ୍କ ନିର୍ଦ୍ଦେଶ ପାଇବା ପରେ ଲକ୍ଷ୍ମୀସାଗର ଥାନା ପୁଲିସ ଠକେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଥାନାରେ ୫-ଟି କେମିତି ପାଳନ କରାଯାଉଛି ତାହା ମଧ୍ୟ ପଦାରେ ପଡ଼ିଛି।
ଠକେଇର ଶିକାର ହୋଇଥିବା ବରିଷ୍ଠ ନାଗରିକ ହେଲେ ଲକ୍ଷ୍ମୀସାଗର ସନ୍ତୋଷୀ ବିହାରରେ ରହୁଥିବା ଭବାନୀ ମୋହନ ଦ୍ବିବେଦୀ(୬୭)। ଶ୍ରୀ ଦ୍ବିବେଦୀ ଜଣେ ଅବସରପ୍ରାପ୍ତ ସରକାରୀ ଅଧିକାରୀ। ତାଙ୍କର ଷ୍ଟେଟ୍ ବ୍ୟାଙ୍କ ଭୁବନେଶ୍ବର ମୁଖ୍ୟ ଶାଖାରେ ଆକାଉଣ୍ଟ ରହିଛି। ସେହି ଆକାଉଣ୍ଟ ଜରିଆରେ ସେ ପେନସନ୍ ମଧ୍ୟ ପାଆନ୍ତି। ସେ ଟଙ୍କା ଉଠାଣ ପାଇଁ ଏଟିଏମ୍ କାର୍ଡ ବଦଳରେ ଚେକ୍ ବ୍ୟବହାର କରନ୍ତି। କିନ୍ତୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଜାଲ୍ ଏଟିଏମ୍ କାର୍ଡ ବ୍ୟବହାର କରାଯାଇ ୫ ଲକ୍ଷ ଟଙ୍କା ଉଠାଇ ନିଆ ଯାଇଥିବା ସେ ଜାଣିବାକୁ ପାଇଥିଲେ। ସେପ୍ଟେମ୍ବର ୩୦ ତାରିଖରେ ସେ ଏ ସଂକ୍ରାନ୍ତରେ ଥାନାରେ ଅଭିଯୋଗ କରିବା ସହ ବ୍ୟାଙ୍କ କାରବାରର ଦସ୍ତାବିଜ୍ ଦେଇଥିଲେ। ଆଇଆଇସିଙ୍କୁ ମଧ୍ୟ ଭେଟିଥିଲେ। ମାତ୍ର ବାରମ୍ବାର ଦୌଡ଼ିବା ପରେ ମଧ୍ୟ ତାଙ୍କ ଅଭିଯୋଗ ରଖାଯାଇ ନ ଥିଲା। ସେ ଏ କଥା ବ୍ୟାଙ୍କରେ ଜଣାଇବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା। ତେଣୁ ସବୁଆଡ଼ୁ ନିରାଶ ହେବା ପରେ ଅକ୍ଟୋବର ୧୯ ତାରିଖରେ ସେ ପୁଲିସ କମିସନରଙ୍କ ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିବା ସହ ପୁଲିସ ଅବହେଳା କଥା ଜଣାଇଥିଲେ। ପୁଲିସ କମିସନରଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଆସିବା ପରେ ୨୯ ତାରିଖରେ ଲକ୍ଷ୍ମୀସାଗର ଥାନା କେସ୍ ନଂ-୩୪୦/୨୧ ଓ ଆଇପିସି ଦଫା-୪୨୦ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ରାଜଧାନୀରେ ପୁଣି ମାତିଲେଣି ଏଟିଏମ୍ ଲୁଟେରା, କାର୍ଡ ବଦଳାଇ ଲୁଟିନେଲେ ୧୭ ହଜାର
ଭୁବନେଶ୍ବର: ରାଜଧାନୀରେ ପୁଣି ମାତିଲେଣି ଏଟିଏମ୍ ଲୁଟେରା। କାର୍ଡ ବଦଳାଇ ଲୁଟି ନେଉଛନ୍ତି ଟଙ୍କା। ରାଜଭବନ ନିକଟରେ ଷ୍ଟେଟ୍ ବ୍ୟାଙ୍କ ଏଟିଏମ୍ କାଉଣ୍ଟରରେ ଜଣେ ବ୍ୟବହାରକାରୀଙ୍କ କାର୍ଡ ବଦଳାଇ କଳ୍ପନା ଛକ ନିକଟରେ ଥିବା ଏଟିଏମ୍ କାଉଣ୍ଟରରୁ ୧୭ ହଜାର ଟଙ୍କା ଲୁଟି ନେଇଛନ୍ତି। ଲୁଟର ଶିକାର ହୋଇଛନ୍ତି ସୂର୍ଯ୍ୟନଗର ଅଞ୍ଚଳରେ ରହୁଥିବା ଜଗନ୍ନାଥ ନାୟକ। ଏ ନେଇ ତାଙ୍କ ପତ୍ନୀ ଗତକାଲି କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଛି।
ମିଳିଥିବା ସୂଚନା ଅନୁସାରେ, ଗତକାଲି ସକାଳ ସାଢ଼େ ୯ଟାରେ ଜଗନ୍ନାଥ ରାଜଭବନ ନିକଟରେ ଥିବା ଷ୍ଟେଟ୍ ବ୍ୟାଙ୍କ ଏଟିଏମ୍ କାଉଣ୍ଟରକୁ ଯାଇଥିଲେ। ଏଟିଏମ୍ ଟଙ୍କା ଉଠାଣ ସମ୍ପର୍କରେ ତାଙ୍କର ବିଶେଷ ଜ୍ଞାନ ନ ଥିବାରୁ ସେଠାରେ ଥିବା ବ୍ୟବହାରକାରୀଙ୍କୁ ସେ ସାହାଯ୍ୟ କରିବା ପାଇଁ କାର୍ଡ ବଢ଼ାଇ ଦେଇଥିଲେ। ତେବେ ସେଠାରେ ଥିବା ଦୁର୍ବୃତ୍ତ ଜଣକ ଜଗନ୍ନାଥଙ୍କ କାର୍ଡ ନେଇଯାଇ ନିଜ ପାଖରେ ଥିବା ଅଚଳ କାର୍ଡ ବ୍ୟବହାର କରିଥିଲା। ସେହି କାର୍ଡକୁ ବ୍ୟବହାର କରି ଟଙ୍କା ଉଠି ପାରୁ ନ ଥିବା କହିଥିଲା। ଏହା ପରେ ଜଗନ୍ନାଥ ଚାଲି ଯାଇଥିଲେ। ଟଙ୍କା ଦରକାର ଥିବାରୁ ସେ ପାସ୍ବୁକ୍ ନେଇ ବ୍ୟାଙ୍କକୁ ଯାଇଥିଲେ। କିନ୍ତୁ ସେଠାରେ ଜାଣିବାକୁ ପାଇଥିଲେ କଳ୍ପନା ଛକ ନିକଟରେ ଏଟିଏମ୍ କାଉଣ୍ଟରରୁ ତାଙ୍କ କାର୍ଡ ବ୍ୟବହାର କରି ୧୭ ହଜାର ଟଙ୍କା ଉଠାଯାଇଛି। ଏହା ପରେ ସେ କାର୍ଡକୁ ବ୍ଲକ୍ କରିବା ସହ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଦୁଇଟି ଯାକ ଏଟିଏମ୍ କାଉଣ୍ଟରରୁ ସିସିଟିଭି ଫୁଟେଜ ସଂଗ୍ରହ କରିଛି। ଲୁଟେରାକୁ ଖୋଜା ଯାଉଥିବା ଜଣାପଡ଼ିଛି। ଏହି ଘଟଣା ନୂଆ ନୁହେଁ; ରାଜଧାନୀରେ ଏଭଳି ଶହ ଶହ ସଂଖ୍ୟାରେ ପୂର୍ବରୁ ଠକେଇ ହୋଇଥିବା ବେଳେ କୁଖ୍ୟାତ ଅନ୍ତଃରାଜ୍ୟ ଲୁଟେରା ମଧ୍ୟ ଧରା ପଡ଼ିଛନ୍ତି।
Follow Us