ସାଂକେତିକ ଫଟୋ
ଭୁବନେଶ୍ବର: ଗୁରୁବାର ବିଳମ୍ବିତ ରାତିରେ ନୂଆପଲ୍ଲୀସ୍ଥିତ ରାଜ୍ ଇଲେକ୍ଟ୍ରୋନିକ୍ସରେ କଳାକନା ବୁଲାଇଛନ୍ତି ଲୁଟେରା। ତାଲା କାଟିବା ସହ କାଚ କବାଟ ଭାଙ୍ଗି ପ୍ରାୟ ୫ଲକ୍ଷ ଟଙ୍କାର ମୋବାଇଲ୍, ଟିଭି, ଫ୍ୟାନ୍ ସମେତ ବହୁ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ଚୋରି କରିଛନ୍ତି। ଏନେଇ ରାଜ୍ ଇଲୋକ୍ଟ୍ରୋନିକ୍ସର ସନ୍ତୋଷ କୁମାର ବିଶ୍ବାଳ ଆଜି ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ନୂଆପଲ୍ଲୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି। ଦୋକାନର ସିସିଟିଭି ଲୁଟେରାମାନେ ଭାଙ୍ଗି ଦେଇଥିବାରୁ ପାଖ ଜୁଏଲାରି ଦୋକାନର ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ଅନୁଯାୟୀ, ନୂଆପଲ୍ଲୀସ୍ଥିତ ୧୦୧୩ନମ୍ବର ପ୍ଲଟ୍ରେ ରାଜ ଇଲୋକ୍ଟ୍ରୋନିକ୍ସର ସୋ’ ରୁମ୍ ରହିଛି। ଗତକାଲି ରାତି ପ୍ରାୟ ସାଢ଼େ ୯ଟାରେ ମ୍ୟାନେଜର ଅନନ୍ତ ରାଉତ ଦୋକାନ ତାଲା ପକାଇ ଘରକୁ ଯାଇଥିଲେ। ଆଜି ସକାଳ ପ୍ରାୟ ୯ଟା ବେଳେ ଦୋକାନ ଖୋଲିବା ବେଳକୁ ପ୍ରଥମ ଫ୍ଲୋର୍ରେ ତାଲା ଭଙ୍ଗାଯାଇଥିବା ଦେଖିଥିଲେ।
ଭିତରକୁ ଯାଇ ଦେଖିବା ବେଳକୁ ୨ଟି କାଚ କବାଟ ଏବଂ ସବୁ ସିସିଟିଭି କ୍ୟାମେରା ମଧ୍ୟ ଭଙ୍ଗା ଯାଇଥିଲା। ଦୋକାନରୁ ପ୍ରାୟ ୪ସେଟ୍ ଟିଭି, ଗୋଟିଏ ଅଡିଓ ସିଷ୍ଟମ, ୭ସେଟ୍ ମୋବାଇଲ୍ ଫୋନ୍ ଓ ନଗଦ ଅଢ଼େଇ ହଜାର ଟଙ୍କା ଲୁଟି ନେଇଥିଲେ। ଏହାର ମୂଲ୍ୟ ପ୍ରାୟ ୫ଲକ୍ଷ ଟଙ୍କା ହେବ ବୋଲି ଥାନାରେ ଅଭିଯୋଗ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୋକାନର ସିସି କ୍ୟାମେରା ଲୁଟେରାମାନେ ଭାଙ୍ଗିଥିବାରୁ କୌଣସି ଫଟୋ ଆସିନାହିଁ। ମାତ୍ର ପାଖ ଅଳଙ୍କାର ଦୋକାନର ସିସି କ୍ୟାମେରାରେ ଦେଖାଯାଉଛି। ଲୁଟେରାମାନେ ଏକ ଅଟୋ ସାହାଯ୍ୟରେ ଜିନିଷପତ୍ର ଲୁଟି ଫେରାର୍ ହେଉଛନ୍ତି। ।
Follow Us