Sambad English
କଟକ : ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କେସ୍ ଡାଏରି ଦାଖଲ କରି ନଥିବାରୁ ଭୁବନେଶ୍ବର ମହିଳା ଥାନାର ତଦନ୍ତକାରୀ ଅଧିକାରୀ ୫୦ ହଜାର ଟଙ୍କା ତଣ୍ଡ ଗଣିବେ। ମହିଳା ଥାନାରେ ରୁଜୁ ଏକ ନାରୀ ନିର୍ଯାତନା ମାମଲାରେ ଆଗୁଆ ଜାମିନ ଲୋଡ଼ି ବି.ଗୁପ୍ତା ଆବେଦନ କରିଥିବା ବେଳେ ୨୦୨୧, ଅକ୍ଟୋବର ୧ରେ କେସ୍ ଡାଏରି ଦାଖଲ ପାଇଁ ତଦନ୍ତକାରୀ ଅଧିକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ କିନ୍ତୁ କେସ୍ ଡଏରି ଦାଖଲ କରାଯାଇ ନଥିଲା।
ବାରମ୍ବାର ସୁଯୋଗ ପରେ ମଧ୍ୟ ତଦନ୍ତକାରୀ ଅଧିକାରୀ କେସ୍ ଡାଏରି ଦାଖଲ କରୁ ନଥିବାରୁ ହାଇକୋର୍ଟ ଅସନ୍ତୋଷବ୍ୟକ୍ତ କରିଛନ୍ତି। କେସ୍ ଡାଏରି ଦାଖଲ କରି ନଥିବାରୁ ତଦନ୍ତକାରୀ ଅଧିକାରୀଙ୍କ ଉପରେ ଅର୍ଥଦଣ୍ଡ ଲାଗୁ କରାଯାଇଛି। ୫୦ ହଜାର ଟଙ୍କା (କଷ୍ଟ) ଆଇନସେବା ପ୍ରାଧିକରଣ ନିକଟରେ ଜମା କରିବାକୁ ତଦନ୍ତକାରୀ ଅଧିକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୨, ଜାନୁଆରି ୭ରେ କେସ୍ ଡାଏରି ସହିତ ୫୦ ହଜାର ଟଙ୍କା ଜମା କରାଯିବା ବାବଦ ରସିଦ ଦାଖଲ କରିବାକୁ ତଦନ୍ତକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ ପରବର୍ତ୍ତୀ ଶୁଣାଣି ସମୟରେ ତଦନ୍ତକାରୀ ଅଧିକାରୀ ଭର୍ଚୁଆଲ ମୋଡ୍ରେ ହଜାର ହେବେ।
କେସ୍ ଡାଏରି ଦାଖଲ କରି ନଥିବାରୁ କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ସେ ନେଇ ସତ୍ୟପାଠ ମାଧ୍ୟମରେ କାରଣ ଦର୍ଶାଇବାକୁ ତଦନ୍ତକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଆଗୁଆ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
Follow Us