ଭୂଲୁଣ୍ଠିତ ବୃହସ୍ପତି ପୃଥିବୀରେ କଣା

Advertisment

ଶୋଚନୀୟ ସ୍ଥିତିରେ ପଠାଣି ସାମନ୍ତ ପ୍ଲାନେଟାରିୟମ, ନବକଳେବର ପାଇଁ ସବୁକିଛି ଅସଜଡ଼ା

ଶୋଚନୀୟ ସ୍ଥିତିରେ ପଠାଣି ସାମନ୍ତ ପ୍ଲାନେଟାରିୟମ, ନବକଳେବର ପାଇଁ ସବୁକିଛି ଅସଜଡ଼ା

ଭୂଲୁଣ୍ଠିତ ବୃହସ୍ପତି ପୃଥିବୀରେ କଣା

ଭୁବନେଶ୍ୱର: ପଠାଣି ସାମନ୍ତ ପ୍ଲାନେଟାରିୟମର ନବକଳେବର ପାଇଁ ୨୦୨୧ ମସିହାରେ ନିଷ୍ପତ୍ତି ନିଆଯାଇଥିଲା। ପୁରୁଣା ଯନ୍ତ୍ରପାତି ତଥା ସରଞ୍ଜାମକୁ ହଟାଇ ନୂଆ ତଥା ଅତ୍ୟାଧୁନିକ ଜିନିଷ ଲଗାଇବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା। ଏପରିକି ଏଥିପାଇଁ ୪୫ କୋଟି ଟଙ୍କାର ବ୍ୟୟବରାଦ ମଧ୍ୟ ହୋଇଥିଲା। କିନ୍ତୁ ଇତି ମଧ୍ୟରେ ଦୀର୍ଘ ୩ ବର୍ଷ ବିତି ଯାଇଥିଲେ ସୁଦ୍ଧା ନବକଳେବର ତ ଦୂରର କଥା ଏଠାରେ ଇଟା ଖଣ୍ଡିଏ ପଡ଼ି ପାରିଲା ନାହିଁ। ପୁଣି ନବକଳେବର ହେବାର ନିଷ୍ପତ୍ତି ଯୋଗୁଁ ପ୍ଲାନେଟାରିୟମର ଠିକ୍‌ ପରିଚାଳନା ହେଉନଥିବାରୁ ଏହାର ଉଭୟ ଭିତର ଓ ବାହାର ସ୍ଥିତି ଶୋଚନୀୟ ହୋଇପଡ଼ିଲାଣି।

ପ୍ଲାନେଟାରିୟମକୁ ଛାତ୍ରଛାତ୍ରୀ କେବଳ ମହାକାଶ ସମ୍ୱନ୍ଧୀୟ ସୋ’ ଦେଖିବାକୁ ଆସନ୍ତି, ତାହା ନୁହେଁ; ପୂର୍ଣ୍ଣିମା, ଅମାବାସ୍ୟା, ଗ୍ରହଣ, ସୂର୍ଯ୍ୟ ପରାଗ ଅଥବା ଅନ୍ୟ କୌଣସି ଘଟଣା ଘଟିଲେ ମଧ୍ୟ ଗ୍ରହ ନକ୍ଷତ୍ର ସମ୍ପର୍କରେ ଜାଣିବାକୁ ଏଠାକୁ ଆସନ୍ତି। ପ୍ରତି ବର୍ଷ ବିଭିନ୍ନ ବିଦ୍ୟାଳୟରୁ ମଧ୍ୟ ପିଲାଙ୍କୁ ଏଠାକୁ ଅଣାଯାଏ। ନବୀକରଣ ପାଇଁ ପରିଚାଳନା ଅଭାବରୁ ପୁଣି ପୁରୁଣା ଯନ୍ତ୍ରପାତିରେ ସୋ’ ଚାଲିଥିବାରୁ ଦିନକୁ ଦିନ ଏଠାରେ ଦର୍ଶକଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି। ଲଗାତାର ଏଠାରେ ସମାନ ୩ଟି ସୋ ଚାଲୁଥିବାରୁ ମଧ୍ୟ ଲୋକମାନଙ୍କ ଆଗ୍ରହ କମିବାରେ ଲାଗିଲାଣି। ଭିତରେ ପଡ଼ିଥିବା ଚେୟାରଗୁଡ଼ିକ ମଧ୍ୟରୁ କିଛି ଭାଙ୍ଗି ଗଲାଣି ତ ଆଉ କିଛି ଦୟନୀୟ ସ୍ଥିତିରେ। ସୋ’ ଦେଖିବା ପାଇଁ ଲାଗିଥିବା ଦୁଇଟି ପ୍ରୋଜେକ୍ଟର ମଧ୍ୟରୁ ଏବେ ଗୋଟିଏ ଚାଲୁଛି।

publive-image

ଇଏ ତ ଗଲା ଭିତର କଥା, ବାହାରେ ମଧ୍ୟ ସମାନ ସ୍ଥିତି। ଦୟନୀୟ ଵାଟର ଫାଉଣ୍ଟେନ୍‌ କାମ କରୁନି। ବିଭିନ୍ନ ସ୍ଥାନରେ ଲାଇଟ୍‌ ଅସଜଡ଼ା ହୋଇପଡ଼ିଛି। ସେହିପରି ଗ୍ରହ, ନକ୍ଷତ୍ର ଓ ବିଜ୍ଞାନ ସମ୍ୱନ୍ଧୀୟ ଉପକରଣ ଥିବା ପାର୍କରେ ବୃହଷ୍ପତି ତଳେ ପଡ଼ିଥିବା ବେଳେ ପୃଥିବୀରେ କଣା ହୋଇଗଲାଣି। କିଛି ଜିନିଷ ଥିବା କେବଳ ଲେଖା ହୋଇଛି, କିନ୍ତୁ ସେଗୁଡ଼ିକ ନାହିଁ। ପରିଚାଳନା ଅଭାବରୁ ଚାରିଆଡ଼େ ବଣବୁଦା ହୋଇଗଲାଣି। ବିଭିନ୍ନ ସ୍ଥାନରେ ପାଇପ ଫାଟି ପାଣି ଗଦା ହେଉଛି। ଫଳରେ ସେଠାରେ ମଶାଙ୍କ ପ୍ରଭାବ ବଢ଼ୁଛି। ସେହିପରି ବାହାରେ ପଥରରେ ତିଆରି ହୋଇଥିବା ପ୍ରତିମୂର୍ତ୍ତିଗୁଡ଼ିକ ସଫା କରା ଯାଉନଥିବାରୁ କିମ୍ଭୁତକିମାକାର ହୋଇଗଲାଣି।

ସେହିପରି ଏଠାକାର ଅନ୍ୟତମ ତଥା ପ୍ରମୁଖ ସମସ୍ୟା ପାଲଟିଛି ପାର୍କି ବ୍ୟବସ୍ଥା। ଭିତରେ ଯାଗା ଥାଇ ସୁଦ୍ଧା ପାର୍କିଂ ପାଇଁ ଅନୁମତି ନଥିବାରୁ ଲୋକ ହଇରାଣରେ ପଡ଼ୁଛନ୍ତି। ସେମାନେ ବାଧ୍ୟହୋଇ ରାସ୍ତାକଡ଼ରେ ଅଥବା ବାହାରେ ସୌନ୍ଦର୍ଯ୍ୟୀକରଣ ତଥା ଲୋକ ବସିବା ପାଇଁ ହୋଇଥିବା ରହଣୀସ୍ଥଳ ନିକଟରେ ଗାଡ଼ି ପାର୍କିଂ କରୁଛନ୍ତି। ଯାହାଦ୍ୱାରା ସେଠାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଏପରିକି ଅଧିକାଂଶ ସମୟରେ ବେଆଇନ ପାର୍କିଂ କହି ପୁଲିସ ଗାଡ଼ି ଉଠାଇ ନେଉଛି। ଏହି ସମସ୍ୟାଗୁଡ଼ିକର ସମାଧାନ ପାଇଁ ଏଠାରେ ନବକଳେବର ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଫ୍ଲାଟ ସ୍କ୍ରିନ୍‌ ୩ଡି ପ୍ରେକ୍ଷାଳୟ, ଜ୍ୟୋର୍ତିବିଜ୍ଞାନୀ ଉଦ୍ୟାନ, ୧୪ ମିଟର ବିଶିଷ୍ଟ ଡୋମ୍‌ ସହିତ ଭୂତଳ ପାର୍କିଂ, କ୍ୟାଫେଟେରିଆ ଆଦି ଖୋଲିବାର ନିଷ୍ପତ୍ତି ହୋଇଥିଲା। ଏନେଇ କୌଣସି ନିର୍ଦ୍ଦିଷ୍ଟ ଉତ୍ତର ନଦେଇ ନିର୍ଦ୍ଦେଶକ ପ୍ରସନ୍ନ ପାତ୍ର କହିଲେ, ନବୀକରଣ ପୂର୍ବରୁ ସେଫ୍‌ଟି ପ୍ରୋଜେକ୍ଟ ରିପୋର୍ଟ ପାଇଁ ଆଇଆଇଟି ଭୁବନେଶ୍ୱର ସହିତ ପ୍ରଥମ ପର୍ଯ୍ୟାୟ ଆଲୋଚନା ହୋଇଛି। ଖୁବ୍‌ଶୀଘ୍ର କାମ ଆରମ୍ଭ କରିବାକୁ ଚେଷ୍ଟା କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe