ଆଗେଇ ଚାଲିଛି ନିର୍ମାଣ କାମ, ଗଡ଼ିବ ତ ରୁକୁଣା ରଥ?

Advertisment

ବଦଳିବେ ବ୍ରହ୍ମାମୂର୍ତ୍ତି, ରୁକୁଣା ରଥର କିଂବଦନ୍ତି

ବଦଳିବେ ବ୍ରହ୍ମାମୂର୍ତ୍ତି, ରୁକୁଣା ରଥର କିଂବଦନ୍ତି

ଆଗେଇ ଚାଲିଛି ନିର୍ମାଣ କାମ, ଗଡ଼ିବ ତ ରୁକୁଣା ରଥ?

ପୁରୁଣା ଭୁବନେଶ୍ୱର: ରଥଖଳାରେ ଯାଥାବିଧି ରୁକୁଣା ରଥ ନିର୍ମାଣ କାମ ଆଗେଇ ଚାଲିଛି। ଚାରି ଚକ ଠିଆ ହୋଇ ସାରିଲାଣି। ରଥଦାଣ୍ଡ ବି ପ୍ରସ୍ତୁତ ହୋଇ ରହିଛି ରୁକୁଣା ରଥକୁ ସ୍ବାଗତ କରିବା ପାଇଁ। ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁମାନେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ରଥାରୂଢ଼ ଶ୍ରୀଲିଙ୍ଗରାଜଙ୍କୁ ଆଖି ପୂରାଇ ଦେଖିବା ପାଇଁ। ମାତ୍ର ପୁଣି ଡରାଉଛି କରୋନା। ଏହି ମହାମାରୀର ଦ୍ବିତୀୟ ଲହର ପୁଣି ରୁକୁଣା ରଥ ଗଡ଼ିବା ଉପରେ ସନ୍ଦେହର କଳା ବାଦଲ ଢ଼ାଙ୍କି ଦେଇଛି।

ଆସନ୍ତା ଏପ୍ରିଲ୍‌ ୨୦ରେ ପଡ଼ୁଛି ପବିତ୍ର ଅଶୋକାଷ୍ଟମୀ ତଥା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏହାର ଠିକ୍‌ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ନେତ ଉତ୍ସବ ତିଥିରେ ରଥ ନିର୍ମାଣ ସରିବ ଓ ରଥ ପ୍ରତିଷ୍ଠା ହେବ। ଗତବର୍ଷ ସବୁ ସରିଥିଲା। ରଥ ଓ ରଥ ଦାଣ୍ଡ ପ୍ରସ୍ତୁତ ହୋଇ ସାରିଥିଲା। ମାତ୍ର ହଠାତ୍ କୋଭିଡ୍‌ କଟକଣା ସବୁ ବାତିଲ କରିଦେଲା। ବର୍ଷ ବର୍ଷର ପରମ୍ପରାରେ ଡୋରି ବାନ୍ଧି ହୋଇଗଲା। ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ କୋଭିଡ୍‌ କଟକଣାରେ ଗଡ଼ିଲା ନନ୍ଦିଘୋଷ, ଦେବଦଳନ ଓ ତାଳଧ୍ବଜ। କିନ୍ତୁ ଏକାମ୍ର ରଥଦାଣ୍ଡରେ ଗଡ଼ି ପାରିଲାନି ରୁକୁଣା ରଥ। ଚଳିତ ବର୍ଷ ବି ପୁଣି କରୋନାର ଲହର ଡରାଇଲାଣି। ତେଣୁ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ମନରେ କ୍ଷୋଭ ସୃଷ୍ଟି ହେଲାଣି।

ତେବେ ଚଳିତ ବର୍ଷ ରୁକୁଣା ରଥ ଗଡ଼ିବ ବୋଲି ଲୋକେ ବିଶ୍ବାସ ରଖିଛନ୍ତି। କରୋନା କଟକଣାରେ କେବଳ ପାଳିଆ ସେବାୟତଙ୍କୁ ନେଇ ରଥଯାତ୍ରା କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନାମା ଅନୁଯାୟୀ କୌଣସି ଉତ୍ସବ ପାଇଁ ସର୍ବାଧିକ ୨୦୦ ଲୋକଙ୍କ ସମାବେଶ ହୋଇପାରିବ। ତେଣୁ ଏହାକୁ ଆଖି ଆଗରେ ରଖି ରଥଯାତ୍ରା କରାଯିବାକୁ ପ୍ରସ୍ତୁତି ଚାଲିଛି। ଏନେଇ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ଦାଶ କୁହନ୍ତି ଯେ ଓଡ଼ିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଜ୍ଞପ୍ତି ଅନୁଯାୟୀ ଯାତ୍ରା କରାଯିବ। ୨୦୦ ଲୋକଙ୍କୁ ନେଇ ରଥଯାତ୍ରା କରିବାକୁ ପ୍ରସ୍ତୁତି ଆରମ୍ଭ କରୁଛୁ। ଆବଶ୍ୟକ ପଡ଼ିଲେ ପୁଲିସ ରଥ ଟାଣିବେ। ଏଥିପାଇଁ ‌ଟ୍ରଷ୍ଟ ବୋର୍ଡ ବୈଠକରେ ମତ ନିଆଯିବ। ତେବେ ବିଏମ୍‌ସି ଅନୁମତି ଉପରେ ସବୁ ନିର୍ଭର କରୁଛି। ଏନେଇ ବହୁ ସେବାୟତଙ୍କ କହିବା କଥା ଶ୍ରୀଜଗନ୍ନାଥଙ୍କ ରଥ କଟକଣାରେ ହେଲା। ସେହିପ‌ରି ରୁକୁଣା ରଥଯାତ୍ରା ହୋଇପାରିବ।

ଗତବର୍ଷ ପରି ଚଳିତ ବର୍ଷ ରଥଯାତ୍ରା ପରମ୍ପରା ବନ୍ଦ ନହେଉ। ଏହା ଲୋକଙ୍କ ଭାବାବେଗକୁ ଗଭୀର ଆଘାତ ଦେଉଛି। ପରମ୍ପରା ଭଙ୍ଗ ହେବା ଦ୍ବାରା ଲୋକଙ୍କ ଭଗବତ ବିଶ୍ବାସ ଓ ଭାବନା ଉପରେ କୁଠାରଘାତ ହେଉଛି। ତେଣୁ ଚଳିତ ବର୍ଷ ରୁକୁଣା ରଥ ବନ୍ଦ ନ ହେଉ ବୋଲି ସେବାୟତମାନେ ଦାବି କରିଛନ୍ତି। ସେମାନଙ୍କ କହିବା କଥା କରୋନା ଯୋଗୁଁ ବହୁ ପରମ୍ପରା ଭାଙ୍ଗିଛି। ଗତବର୍ଷ ରୁକୁଣା ରଥଯାତ୍ରା ପରି ଚନ୍ଦନ ଯାତ୍ରା ବନ୍ଦ ହୋଇଥିଲା। ରଥଯାତ୍ରା ସହ ଜଡ଼ିତ ବାହୁଡ଼ା ଓ ସ୍ବର୍ଣ୍ଣାଦ୍ରୀ ବିଜେ ବନ୍ଦ ହୋଇ ଯାଇଥିଲା। ଏମିତି ପରମ୍ପରା ଭଙ୍ଗ ହେଲେ ଲୋକଙ୍କ ଭିତରେ କୁତ୍ସିତଭାବନା ସୃଷ୍ଟି ହେବ‌ ବୋଲି ବୁଦ୍ଧିଜୀବୀ ମହଲରେ ଆଶଙ୍କା ପ୍ରକାଶ ପାଇଛି।publive-image

ବଦଳିବେ ବ୍ରହ୍ମାମୂର୍ତ୍ତି
ପୁରୁଣା ଭୁବନେଶ୍ୱର: ଚଳିତ ବର୍ଷ ରୁକୁଣାରଥର ସାରଥୀ ବ୍ରହ୍ମାଙ୍କ ମୂର୍ତ୍ତି ବଦଳିବ। ପୁରୁଣା ମୂର୍ତ୍ତି ଅବକ୍ଷୟ ଅବସ୍ଥାକୁ ଆସି ଯାଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଏଥିପାଇଁ ପୁରୀ ମୁକ୍ତିମଣ୍ଡପର ମତ ଲୋଡ଼ାଯିବ। ଏନେଇ ବିଭିନ୍ନ ନିଯୋଗ ମଧ୍ୟରେ ବ୍ୟାପକ ଆଲୋଚନା ଚାଲିଛି। ମୁକ୍ତିମଣ୍ଡପର ଅନୁମତି ମିଳିଲେ ପୁରୁଣା ମୂର୍ତ୍ତିକୁ ବିସର୍ଜନ କରାଯିବ ଓ ନିମ୍ବ କାଠରେ ନୂଆ ମୂର୍ତ୍ତି ନିର୍ମାଣ କରାଯାଇ ରଥରେ ପ୍ରତିଷ୍ଠା କରାଯିବ ବୋଲି ବିଚାର ଚାଲିଛି।

ଶ୍ରୀଲିଙ୍ଗରାଜଙ୍କ ରୁକୁଣାରଥର ସାରଥୀ ହେଉଛନ୍ତି ‘ବ୍ରହ୍ମା’। ବ୍ରହ୍ମାଙ୍କ ପୁରୁଣା ମୂର୍ତ୍ତିର ଅଣ୍ଟା ଓ ହାତ ପାଖ ନଷ୍ଟ ହୋଇଗଲାଣି। ସେହିଭଳି ଏହି ମୂର୍ତ୍ତି ଏବେ ଦୋହଲି ଗଲାଣି। କାହିଁ କେତେ ବର୍ଷ ହେଲା ରୁକୁଣା ରଥରେ ଏହି ବ୍ରହ୍ମା ମୂର୍ତ୍ତି ପୂଜା ପାଇ ଆସୁଛନ୍ତି। ଏହି ମୂର୍ତ୍ତି ବଦଳିବା କେହି ଜାଣି ନାହାନ୍ତି। ତେଣୁ ଭଗ୍ନ ଅବସ୍ଥାକୁ ଆସି ଯାଇଥିବା ଏହି ପୁରୁଣା ମୂର୍ତ୍ତିକୁ ନେଇ ହଠାତ୍‌ କିଛି ଅଘଟଣ ଘଟିବା ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ରଥଯାତ୍ରା ବେଳେ ଏପରି ସମସ୍ୟାକୁ ଏଡ଼ାଇବା ପାଇଁ ମନ୍ଦିର ପ୍ରଶାସନ ତତ୍ପରତା ଦେଖାଇଛି। ସେବାୟତମାନେ ଏକ ନୂତନ ମୂର୍ତ୍ତି ପାଇଁ ପ୍ରସ୍ତାବ ଦେଇଛନ୍ତି। ତେଣୁ ବିଭିନ୍ନ ନିଯୋଗ ସମ୍ପାଦକଙ୍କ ସହ ଆଲୋଚନା କରାଯାଇଛି। ଖୁବ୍‌ ଶୀଘ୍ର ପୁରୀ ମୁକ୍ତିମଣ୍ଡପରୁ ମତ ନିଆଯିବ। ଏଣୁ ମୁକ୍ତିମଣ୍ଡପ ମତ ଆସିବା ପରେ ଟ୍ରଷ୍ଟ ବୋର୍ଡରେ ଅନୁମୋଦନ କରାଯାଇ ମୂର୍ତି ପୁନର୍ନିମାଣ ହୋଇପାରିବ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ଦାଶ କହିଛନ୍ତି।

ରୁକୁଣା ରଥର କିଂବଦନ୍ତି
କିଂବଦନ୍ତି ଅନୁସାରେ ପ୍ରଭୁ ରାମଚନ୍ଦ୍ର ଲଙ୍କେଶ ରାବଣଙ୍କୁ ହତ୍ୟା କରି ସୀତାଙ୍କୁ ଉଦ୍ଧାର କରିଥିଲେ। ରାବଣ ବ୍ରାହ୍ମଣ ହୋଇଥିବାରୁ ରାମଚନ୍ଦ୍ରଙ୍କୁ ବ୍ରହ୍ମହତ୍ୟା ଦୋଷ ଲାଗିଥିଲା। ଏହି ପାପରୁ ମୁକ୍ତି ପାଇବା ପାଇଁ ସେ କୁଳଗୁରୁ ବଶିଷ୍ଠଙ୍କ କଥା ଅନୁସାରେ ଏକାମ୍ର କ୍ଷେତ୍ରକୁ ଆସି ରାମେଶ୍ୱରଠାରେ ହରିହର (ଲିଙ୍ଗରାଜ)ଙ୍କୁ ପୂଜା କଲେ। ଏହି ଉପାସନାରେ ପ୍ରଭୁ ଲିଙ୍ଗରାଜ ସନ୍ତୁଷ୍ଟ ହୋଇ ରାମଚନ୍ଦ୍ରଙ୍କୁ ବର ଯାଚିଥିଲେ। ଚୈତ୍ର ଶୁକ୍ଳପକ୍ଷ ଅଷ୍ଟମୀ ପୁନଃବସୁ ନକ୍ଷତ୍ରରେ ଦେବଦଳନ ରଥରେ ବସି ହରିହର (ଲିଙ୍ଗରାଜ) ରାମେଶ୍ୱର ମନ୍ଦିର ଆସିବେ ବୋଲି ରାମଚନ୍ଦ୍ର ବର ମାଗିଥିଲେ। ସେହିଦିନଠାରୁ ତାଙ୍କୁ ଦର୍ଶନ ଦେବା ଲାଗି ଲିଙ୍ଗରାଜ ମହାପ୍ରଭୁ ରାମେଶ୍ୱର ମନ୍ଦିରକୁ ପାଞ୍ଚ ଦିନ ପାଇଁ ରଥଯାତ୍ରାରେ ଆସିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe