ପୁରୁଣା ଭୁବନେଶ୍ୱର: ମାଉସୀଘର ତଥା ପ୍ରଭୁ ରାମେଶ୍ବରଙ୍କ ମନ୍ଦିରରେ ୫ ଦିନର ରହଣି ପରେ ଆଜି ପ୍ରଭୁ ଶ୍ରୀଲିଙ୍ଗରାଜ ବାହୁଡ଼ାଯାତ୍ରାରେ ବାହାରିଯାଇଛନ୍ତି। ବିଧି ବିଧାନ ଅନୁସାରେ ମାଉସୀଘରୁ ମେଲାଣି ନେବା ପରେ ରଥଦାଣ୍ଡରେ ଅପେକ୍ଷା କରିଥିବା ଅଣଲେଉଟା ରୁକୁଣା ରଥ ତିନି ଠାକୁର ଲିଙ୍ଗରାଜ, ଦୋଳଗୋବିନ୍ଦ ଓ ଭଉଣୀ ରୁକ୍ମିଣୀଙ୍କୁ ନେଇ ଲିଙ୍ଗରାଜମନ୍ଦିର ଅଭିମୁଖେ ବାହାରିଛି। ମାତ୍ର ମାଉସୀଘର ଯାତ୍ରା ଦିନ ଭଳି ବାହୁଡ଼ାଯାତ୍ରାରେ ବି ବାଟରେ ଅଟକିଯାଇଛି ରୁକୁଣା ରଥ। ଗୋସାଗରେଶ୍ବର ଛକରେ ତ୍ରିମୂର୍ତ୍ତିଙ୍କ ସହ ରଥ ଅଟକିଯାଇଛି। ତେଣୁ ପ୍ରଭୁଙ୍କ ନୀଳାଦ୍ରି ବିଜେ ଦର୍ଶନ ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଆଉ ଗୋଟିଏ ଦିନ ଅପେକ୍ଷା କରିବାକୁ ପଡ଼ିବ।
ଆଜି ସକାଳୁ ସକାଳୁ ରାମେଶ୍ବର ମନ୍ଦିରରେ ପୁଣି କୋଳାହଳ ବଢ଼ିଯାଇଥିଲା। ତିନି ଠାକୁର ନିଜ ମନ୍ଦିରକୁ ବାହୁଡ଼ିଯିବା ପୂର୍ବରୁ ମାଉସୀମା ଘରେ ଶେଷ ଦର୍ଶନ କରିବାକୁ ଭକ୍ତମାନଙ୍କ ଭିଡ଼ ଲାଗିଥିଲା। ଶ୍ରୀଜିଉଙ୍କ ମନ୍ଦିର ପ୍ରତ୍ୟାବର୍ତ୍ତନ ପାଇଁ ସ୍ୱତନ୍ତ୍ର ନୀତି ସଂପନ୍ନ କରାଯାଇଥିଲା। ଆଜି ଭୋର୍ ସାଢ଼େ ୬ଟାରେ ମଙ୍ଗଳ ଆଳତି, ଭୋର୍ ୬ଟା ୩୦ରୁ ସକାଳ ୯ଟା ୩୦ ପର୍ଯ୍ୟନ୍ତ ସାହାଣମେଲା ହୋଇଥିଲା। ସେପଟେ ରଥ ଦାୟିତ୍ବରେ ଥିବା ସେବାୟତମାନେ ବାହୁଡ଼ାଯାତ୍ରା ପାଇଁ ପ୍ରସ୍ତୁତିରେ ଲାଗିପଡ଼ିଥିଲେ। ରଥରେ ଚାରମାଳ ବନ୍ଧାଯାଇଥିଲା। ପୂର୍ବରୁ ରଥର ସିଂହାସନକୁ ବୁଲାଇ ଦିଆଯାଇଥିଲା। ଅପରାହ୍ଣ ୧ଟା ସୁଦ୍ଧା ଅଧରପଣା ନୀତି ସମାହିତ ହୋଇଥିଲା। ଏହାପରେ ଅପରାହ୍ଣ ୨ଟାରେ ଶ୍ରୀଜିଉଙ୍କ ପହଣ୍ଡି ନୀତି ହୋଇଥିଲା ଏବଂ ତ୍ରିମୂର୍ତ୍ତିଙ୍କୁ ରଥର ସିଂହାସନରେ ଉପବେଶନ କରାଯାଇଥିଲା। ପରେପରେ ରଥରେ ଠାକୁରଙ୍କ ପୂଜା ବିଧି ସଂପନ୍ନ କରାଯାଇଥିଲା। ଅପରାହ୍ଣ ୪ଟା ୪୦ରେ ଚାରମାଳ ଖୋଲିଦିଆଯାଇଥିଲା ଏବଂ ରଥଟଣା ଆରମ୍ଭ ହୋଇଥିଲା। ଡାହୁକ ଡାକ ଦେବା ମାତ୍ରେ ରଥଦାଣ୍ଡରେ ‘ହର ହର ମହାଦେବ’, ‘ଜୟ ଶ୍ରୀଲିଙ୍ଗରାଜ’, ‘ଓମ୍ ନମଃ ଶିବାୟ’ ଆଦି ଧ୍ବନି ଗଗନ ପବନ ପ୍ରକମ୍ପିତ କରିଥିଲା। ସମର୍ଥାମାନଙ୍କ ଘଣ୍ଟ,ଘଣ୍ଟା ମାଡ଼ରେ ଶ୍ରଦ୍ଧାଳୁମାନେ ଉତ୍ସାହିତ ହୋଇପଡ଼ିଥିଲେ। ସେବାୟତ ଓ ପୁଲିସ କର୍ମଚାରୀମାନେ ରଥକୁ ଟାଣିଥିଲେ। ଆଜି ହିଁ ଲିଙ୍ଗରାଜ ମନ୍ଦିରରେ ରଥ ଲାଗିବ ବୋଲି ଆରମ୍ଭରୁ ଉଦ୍ୟମ କରାଯାଇଥିଲା। କିନ୍ତୁ ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ରଥ ଗୋସାଗରେଶ୍ବର ଛକରେ ପହଞ୍ଚିଥିଲା। ସୂର୍ଯ୍ୟାସ୍ତ ପାଇଁ ରଥଟଣା ବନ୍ଦ କରାଯାଇଥିଲା।
Follow Us