‘ଶବ୍ଦରଙ୍ଗ ନାଟ୍ୟ ଉତ୍ସବ’‌ - ଶେଷ ସଂଧ୍ୟାରେ ‘ଆମ ଘର ନକ୍ସା’

Advertisment
‘ଶବ୍ଦରଙ୍ଗ ନାଟ୍ୟ ଉତ୍ସବ’‌ - ଶେଷ ସଂଧ୍ୟାରେ ‘ଆମ ଘର ନକ୍ସା’

ଭୁବନେଶ୍ବର, ୧୩/୫ (ଇମିସ): ପ୍ରତ୍ୟେକ ମଣିଷ ଚାହେ, ତା’ର ନିଜର ପରିଚୟ। ତା’ ନିଜ ମାଟିରେ ଚେର ମେଲାଇ ଦୃଢ଼ ଭାବେ ଛିଡ଼ା ହେବ। ସମସ୍ତେ ଦେଖିବେ ତା’ର ସ୍ବତନ୍ତ୍ର ସ୍ଥିତି। ସେ ସ୍ଥିତିବାନ। ଉଠାଚୁଲିଆର ଦୁର୍ଭାଗ୍ୟବରଣ କରିବାକୁ କେହି ଚାହେ ନାହିଁ। ନିଜ ଗାଁରେ ଛୋଟ ଘରଟିଏ କରିବାର ସ୍ବପ୍ନ କାହାର ବା ନଥାଏ। ହେଲେ ସବୁ ସ୍ବପ୍ନ କ’ଣ ବାସ୍ତବତାର ରୂପ ନିଏ? ଏଭଳି ଏକ ପ୍ରଶ୍ନ ଓ ମଣିଷର ସ୍ବପ୍ନର କାହାଣୀ ‘ଆମ ଘରର ନକ୍ସା’ ମାଧ୍ୟମରେ ଆଜି ରବୀନ୍ଦ୍ର ମଣ୍ଡପ ମଞ୍ଚକୁ ନେଇ ଆସିଥିଲା ନାଟ୍ୟାନୁଷ୍ଠାନ ‘ଶବ୍ଦରଙ୍ଗ’।

ନାଟକର ନାୟକ ମାନଗୋବିନ୍ଦ ପାଟପୁର ଗାଁର ସ୍ଥିତିବାନ ବାସିନ୍ଦା। ୧୯୯୯ ମହାବାତ୍ୟାରେ ପୁରୁଣା ଘରଟା ଭାଙ୍ଗିଯାଏ। ବିପତ୍ନୀକ ମାନଗୋବିନ୍ଦ ପୁଅ ଦୁହିଁଙ୍କ ଉପରେ ନିର୍ଭରଶୀଳ। ଗାଁରେ ଘରଖଣ୍ଡିଏ ତୋଳିବା ତାଙ୍କର ଏକମାତ୍ର ସ୍ବପ୍ନ। ଦୁଇ ପୁଅଙ୍କ ପାଖରେ ମାନଗୋବିନ୍ଦଙ୍କର ଏହି ଗୋଟିଏ ହିଁ ଅଳି। ମାତ୍ର ଗାଁରେ ଘର ତୋଳିବା ପୁଅମାନଙ୍କ ପ୍ରାଥମିକତାରେ ହିଁ ନାହିଁ। ସେମାନେ ଘର ତୋଳିବେ ରାଜଧାନୀ ଭୁବନେଶ୍ବରରେ। ବାପାଙ୍କ ଆବେଗ ଓ ଭାବପ୍ରବଣତାର କୌଣସି ମୂଲ୍ୟ ନାହିଁ ପୁଅମାନଙ୍କ ପାଖରେ। ମଫସଲ ଗାଁରେ ଘର ତୋଳି ଲାଭ ବା କ’ଣ? ପିଲାମାନଙ୍କର ମିଛ ପ୍ରତିଶ୍ରୁତି, ବୋହୂମାନଙ୍କ ଅନାଦର ଓ ଉପେକ୍ଷାରେ ଛନ୍ଦି ହୋଇ ମାନସିକ ରୋଗୀ ପାଲଟି ଯାଆନ୍ତି ମାନଗୋବିନ୍ଦ। ସେ କ’ଣ ଶେଷରେ ଗଢ଼ିପାରନ୍ତି ନିଜ ସ୍ବପ୍ନର ଗାଁ ଘର?

ସ୍ବପ୍ନର ନକ୍ସା କ’ଣ ରୂପ ପାଏ ପକ୍କା କାନ୍ଥ ଓ ଶାଳ, ଶାଗୁଆନ କବାଟ ଝରକାରେ? କ’ଣ ହୁଏ ତାଙ୍କ ଛୋଟିଆ ସ୍ବପ୍ନର ଭବିଷ୍ୟତ? ଏହି ଆଶଙ୍କା ଓ ସ୍ବପ୍ନକୁ ନେଇ ବିଶିଷ୍ଟ କଥାକାର ଗୌରହରି ଦାସଙ୍କ ରଚିତ ଗଳ୍ପ ‘ଆମ ଘରର ନକ୍ସ‌ା’ ଆଜି ନାଟ୍ୟରୂପରେ ଦର୍ଶକଙ୍କୁ ଭାବପ୍ରବଣ କରିଥିଲା। ଅବସର ଥିଲା, ‘ଶବ୍ଦରଙ୍ଗ ନାଟ୍ୟ ଉତ୍ସବ’ ଶେଷ ସଂଧ୍ୟା। ନାଟକର ରଚନା ଗୌରହରି ଦାସ କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଦର୍ପନାରାୟଣ ସେଠୀ। ‘ଶବ୍ଦରଙ୍ଗ’ର କଳାକାର କିଶୋର ଖଣ୍ଡୁଆଳ, ଓଁକାର ଆଚାର୍ଯ୍ୟ, ଅବକାଶ ମିଶ୍ର, ଯସ୍ମିନ ପରିଡ଼ା, ଧାରା ଶ୍ରାବଣୀ ମହାପାତ୍ର, ସ୍ବାଗତିକା ପଣ୍ଡା, ପାର୍ଥସାରଥୀ ମହାନ୍ତି ଓ ରାଜେନ୍ଦ୍ର କୁମାର ଦାସ ପ୍ରମୁଖ ନିକ୍ଷୁଣ ଅଭିନୟ କରି ଦର୍ଶକଙ୍କୁ ବିଭୋର୍‌ କରିଥିଲେ।

ଆଜିର ସଂଧ୍ୟାର ଅତିଥି ଭାବେ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ପ୍ରଶାନ୍ତ ନନ୍ଦ, ‘ସମ୍ବାଦ ଗ୍ରୁପ୍‌’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଓ ନାଟ୍ୟ ବ୍ୟକ୍ତିତ୍ବ ରତ୍ନମାଳା ସ୍ବାଇଁ ଅତିଥି ଭାବେ ଯୋଗ ଦେଇଥିଲେ। ‘ଶବ୍ଦରଙ୍ଗ ନାଟ୍ୟ ଉତ୍ସବ’ର ସଭାପତି ‌ଗୌରହରି ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe